ରାୟଗଡ଼ାରେ ତ୍ରିକୋଣୀୟ ପ୍ରେମର ପରିଣତି ହେଲା ହତ୍ୟା । ଜଣେ ଯୁବତୀକୁ ଦୁଇ ଜଣ ଯୁବକ ପ୍ରେମ କରି ବସିଲେ । ହେଲେ ଜଣେ ପ୍ରେମିକ ଅନ୍ୟକୁ ଏତେ ଈର୍ଷ୍ୟା କଲା ଯେ ଶେଷରେ ସେ ତାକୁ ହତ୍ୟା କରିଦେଲା । ଏମିତି ହତ୍ୟା କାଣ୍ଡର ଚାଞ୍ଚଲ୍ୟକର ଖବର ଆସିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ପଙ୍ଗେଲୁ ଅଞ୍ଚଳରୁ । ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଗାଁର ଯୁବକ ଉମାକାନ୍ତ ସେହି ଗାଁର ଜଣେ ଯୁବତୀକୁ ପ୍ରେମ କରୁଥିଲା । ଉମାକାନ୍ତର ସାଙ୍ଗ ରୁମାନ୍ ବଗର୍ତ୍ତୀ ମଧ୍ଯ ଉମାକାନ୍ତର ପ୍ରେମିକାକୁ ଏକତରଫା ଭଲପାଇ ବସିଥିଲା । ଉମାକାନ୍ତର ଅତି ନିବିଡ଼ ପ୍ରେମକୁ ଦେଖି ସହି ପାରୁ ନ ଥିଲା ରୁମାନ୍ । ତେଣୁ ଉମାକାନ୍ତକୁ ସବୁ ଦିନ ପାଇଁ ରାସ୍ତାରୁ ହଟେଇ ନିଜ ପ୍ରେମକୁ ସୁଦୃଢ଼ କରିବାକୁ ଚାହୁଁଥିଲା ସେ । ଯୋଜନା କରି ଉମାକାନ୍ତକୁ ମେ ୩ ତାରିଖ ଦିନ ରାୟଗଡ଼ା ଆଣିଥିଲା ରୁମାନ୍ । ତା’ ପର ଦିନ ଅର୍ଥାତ୍ ୪ ତରିଖ ରାତିରେ ନିଜର ଦୁଇ ଜଣ ସମ୍ପର୍କୀୟଙ୍କ ସହ ଯୋଜନା ଅନୁସାରେ ପାଙ୍ଗେଲୁ ନିକଟସ୍ଥ ଏକ ଆଡ଼ିବନ୍ଧ ନିକଟରେ ଉମାକାନ୍ତକୁ ହତ୍ୟା କରି ପୋତି ଦେଇଥିଲା ରୁମାନ । ଉମାକାନ୍ତ ନିଖୋଜ ହୋଇଥିବା ଏତଲା ପାଇବା ପରେ ପୋଲିସ ତା’ ମୋବାଇଲ୍ ଫୋନ୍ ଟ୍ରାକିଂ କରି ଅଭିଯୁକ୍ତ ରୁମାନ ନିକଟରେ ପହଞ୍ଚି ଥିଲା । ପଚରାଉଚରାରେ ରୁମାନ୍ ସତ ମାନିଯାଇଥିଲା । ପୋଲିସ ତାକୁ ନେଇ ଯେଉଁଠି ଉମାକାନ୍ତର ମୃତ ଦେହ ସେ ପୋତିଥିଲା ସେଇଠିକୁ ଯାଇଥିଲା । ପୋଲିସ ସାମନାରେ ରୁମାନ୍ ମାଟି ଖୋଳି ନିଜ ବନ୍ଧୁ ଉମାକାନ୍ତର ଶବ ବାହାର କରିଥିଲା । ରୁମାନକୁ ଗିରଫ କରିବ ପରେ ପୋଲିସ ତଦନ୍ତ ଜାରି ରଖିଛି । ତା’ର ସେହି ଦୁଇ ଜଣ ସମ୍ପର୍କୀୟ ଓ ସେହି ଯୁବତୀ ସହ ବି ପଚରାଉଚରା କରିବ ପୋଲିସ । (ଫଟୋରେ ପୋଲିସ ଅଧିକାରୀ)