ଭୁବନେଶ୍ୱର କମିସନରେଟ ପୋଲିସ କବଜାରେ ପଡ଼ିଛି ଏକ ମୋବାଇଲ ଫୋନ୍ ଲୁଟେରା ଗ୍ୟାଙ୍ଗ । ଦୁଇ ଜଣ ଲୁଟେରାଙ୍କୁ ଗିରଫ କରିବା ସହିତ ୧୦୨ଟି ମୋବାଇଲ ଫୋନ୍ ଜବତ କରିଛି ପୋଲିସ । ଉଭୟ ଗିରଫ ଲୁଟେରାଙ୍କ ଘର ଅନୁଗୁଳରେ । ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ଲୁପୁନ ସାହୁ ଓ ସଞ୍ଜୟ ଗଡ଼ନାୟକ। ରାଜଧାନୀ ଭୁବନେଶ୍ୱର ସମେତ ଅନୁଗୁଳ, ଯାଜପୁର ଓ ରାଉରକେଲାରୁ ବି ଏମାନେ ମୋବାଇଲ ଫୋନ୍ ଲୁଟ୍ କରିବା ପରେ କମ୍ ଟଙ୍କାରେ ବିକ୍ରି କରୁଥିଲେ । ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ କହିଛନ୍ତି ଯେ ଗତ ବର୍ଷ ଭୁବନେଶ୍ୱରରୁ ବସ୍ ଯୋଗେ ରାଉରକେଲା ଯାଉଥିବା ଏକ ମୋବାଇଲ ଫୋନ୍ ଭର୍ତ୍ତି ପେଟି ଗାଏବ ହୋଇଯାଇଥିଲା । ପେଟିରେ ପାଖାପାଖି ୯୧ଟି ମୋବାଇଲ ଫୋନ୍ ଥିଲା । ଏ ନେଇ ଅଭିଯୋଗ ହେବା ପରେ ଖୋଳତାଡ଼ ଆରମ୍ଭ କରିଥିଲା ପୋଲିସ । ବସରୁ ଚୋରି ହୋଇଥିବା ୯୧ଟି ମୋବାଇଲ ଫୋନ୍ ମଧ୍ୟରୁ ପୋଲିସ ୮୨ଟି ଜବତ କରିବାରେ ସକ୍ଷମ ହୋଇଛି । ଗଲା କିଛି ଦିନ ହେବ ରାଜଧାନୀ ଭୁବନେଶ୍ୱରରେ ସକ୍ରିୟ ଥି୍ଲେ ଏହି ଲୁଟେରାମାନେ । ଦିନ ହେଉ କି ରାତି, କାହାକୁ ଏକୁଟିଆ ଦେଖିଲେ ଟାର୍ଗେଟ କରୁଥିଲେ । କଳା ରଙ୍ଗର ପଲସରରେ ଆସି ଆଖି ପୁଛୁଳାକେ ପକେଟରୁ ଝାମ୍ପି ନେଉଥିଲେ ମୋବାଇଲ ଫୋନ୍ । ଲୁଟ ମୋବାଇଲ ଫୋନର EMIE ନମ୍ବର ଯାଞ୍ଚ କରିବା ପରେ ପୋଲିସ ସେଗୁଡ଼ିକର ମାଲିକକୁ ଡାକି ଫେରାଇବା ଆରମ୍ଭ କରିଛି । ନିଜ ଚୋରି ହୋଇଯାଇଥିବା ମୋବାଇଲ୍ ଫୋନ୍ ଫେରି ପାଇବା ପରେ ଖୁସି ବ୍ୟକ୍ତ କରିଛନ୍ତି ଲୋକେ । ଏଥି ପାଇଁ କମିସନରେଟ ପୋଲିସକୁ ଧନ୍ୟବାଦ ଦେଉଛନ୍ତି ସେମାନେ । ପୂର୍ବରୁ ଏହି ଲୁଟେରାମାନଙ୍କ ମଧ୍ୟରୁ ୬ ଜଣଙ୍କୁ ଗିରଫ କରାଯାଇଥିଲା ବୋଲି ପୋଲିସ କହିଛି । ଅନ୍ୟ ଯେଉଁମାନେ ଏହି ଗ୍ୟାଙ୍ଗ ସହ ଜଡ଼ିତ ସେମାନଙ୍କୁ ଧରିବାକୁ ପ୍ରୟାସ ଜାରି ରହିଛି ବୋଲି ପୋଲିସ କହିଛି । କେବଳ ମୋବାଇଲ ଫୋନ ନୁହେଁ, ଏହି ଲୁଟେରା ଗ୍ୟାଙ୍ଗ ବାଇକ୍ ଚୋରିରେ ବି ସଂପୃକ୍ତ ଥିଲେ ବୋଲି ପୋଲିସ ଜାଣିପାରିଛି । ସେ ନେଇ ତଦନ୍ତ ଆରମ୍ଭ ହୋଇଛି ।