ମହାପ୍ରଭୁଙ୍କ ଏହି ଦୁର୍ଲଭ ପଦ୍ମବେଶରେ ୭ଟି ଗଛ,୪୨ ଟିଡାଳି,୭ଟି କୁମ୍ଭ ,୪ ଟିହଂସ,୪ଟି କରପଲ୍ଲଭ ,୩ ଟି ଚୂଡ ,୩ ଟିଶ୍ରୀମୁଖ ପଦ୍ମ,୨୦ଟି କରପଲ୍ଲବ ମାଳ ବା ଆଙ୍ଗୁଠି ମାଳ,୮୦ ଟି ଚୁଳ ପଦ୍ମ,୨ଟି ତିଳକ,୪ଟି ମଗର କୁଣ୍ଡଳ,ଇତ୍ୟାଦି ଲାଗିଥାଏ। ଯାହାକୁ ଅତ୍ୟନ୍ତ ନିଷ୍ଠାର ସହ ହବିଷାନ୍ନ ଗ୍ରହଣ କରି ପାରମ୍ପରିକ ସେବାୟତ ମାନେ ପ୍ରସ୍ତୁତ କରୁଥିବା କହିଛନ୍ତି। ଅନ୍ୟପଟେ ମହାପ୍ରଭୁଙ୍କ ସେବା କରି ନିଜକୁ ବେଶ୍ ଭାଗ୍ୟଶାଳୀ ମନେ କରୁଥିବା ବେଶ କାରିଗର ମାନେ ନିଜ ପ୍ରତିକ୍ରିୟାରେ କହିଛନ୍ତି।
ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ ଅନୁଷ୍ଠିତ ହେବ। ମୁଣ୍ଡ ଠାରୁ ପାଦ ପର୍ଯ୍ୟନ୍ତ ପଦ୍ମ ଫୁଲରେ ବିଭୂଷିତ ହେବେ ଚତୁର୍ଦ୍ଧାବିଗ୍ରହ। ସେହି ପରମ୍ପରା ଅନୁଯାଇ ସେହି ଦିନ ରାତି ବଡସିଂହାର ନୀତିରେ ମହାପ୍ରଭୂ ପଦ୍ମବେଶରେ ସଜ୍ଜିତ ହୋଇ ପହୁଡ ହେବେ । ତାପର ଦିନ ଅର୍ଥାତ ଗୁରୁବାର ଭକ୍ତମାନେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଅବକାଶ ନୀତି ପର୍ଯ୍ୟନ୍ତ ଦର୍ଶନ କରିପାରିବେ। ମହାପ୍ରଭୁଙ୍କ ଏହି ଦୁର୍ଲଭ ପଦ୍ମବେଶକୁ ଚଳିତବର୍ଷ ନିଜ ଚର୍ମଚକ୍ଷୁରେ ଦେଖିବାର ସୁଯୋଗ ପାଇବେ ଭକ୍ତଗଣ । ସେପଟେ ଶ୍ରୀଜୀଉଙ୍କର ଦୈନନ୍ଦିନ ନୀତି ହୋଇ ସନ୍ଧ୍ୟାଧୂପ ସମାପନ ହେବାପରେ ବେଶ ମଇଲମ ହୋଇ ଚନ୍ଦନଲାଗି ହେବ ।
ବଡଛତା ମଠ ଯୋଗାଇଥିବା ପଦ୍ମ ବେଶରେ ବଡ଼ସିଂହାର ବେଶ ଅନୁଷ୍ଟିତ ହେବ ଓ ମଠ ତରଫରୁ ଖିରୀ, ଅମାଲୁ ଭୋଗ କରାଯାଇ ଶ୍ରୀଜୀଉଙ୍କର ରାତ୍ର ପହୁଡ଼ ହେବ । ଏହି ବେଶ ପାଇଁ କାରିଗର ମାନେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ବେଶ ସାମଗ୍ରୀ ଯୋଗାଇ ଦେଇଥିବା ବେଳେ ଭୁବେନେଶ୍ୱର ଜଣେ ଭକ୍ତ ମଧ୍ୟ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଆବଶ୍ୟକୀୟ ପଦ୍ମଫୁଲ ଶ୍ରୀମନ୍ଦିରକୁ ଯାଇ ଗାରଦରେ ଯୋଗାଇ ଦେଇଛନ୍ତି ।