ଏପରି କିଛି ଫିଲ୍ମ ସମ୍ପର୍କରେ ଚର୍ଚ୍ଚା କଲେ ଆମ ମନକୁ ପ୍ରଥମେ ଆସିଯାଏ ଫିଲ୍ମ ‘ମଦର୍ ଇଣ୍ଡିଆ’ କଥା। ୧୯୫୭ ମସିହାରେ ରିଲିଜ୍ ହୋଇଥିବା ଏହି ଐତିହାସିକ ମେଲୋଡ୍ରାମା ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ମେହେବୁବ୍ ଖାନ୍। ଫିଲ୍ମ ‘ମଦର୍ ଇଣ୍ଡିଆ ’ଏକ କାଳଜୟୀ ଓମେନ୍ ସେଣ୍ଟ୍ରିକ୍ ଫିଲ୍ମ, ଯେଉଁଥିରେ ସ୍ବାଧୀନୋତ୍ତର ଭାରତ ବର୍ଷରେ ମହିଳା ମାନଙ୍କ ସ୍ଥିତିକୁ ଦର୍ଶାଯାଇଥିଲା। ଏଥିରେ ନର୍ଗିସ୍ ଦତ୍ତ ଓ ସୁନିଲ୍ ଦତ୍ତଙ୍କ ଅଭିନୟ ଥିଲା ଉଚ୍ଚକୋଟିର।
୧୯୫୭ ମସିହାରେ ହିଁ ରିଲିଜ୍ ହୋଇଥିଲା ଆଉ ଏକ ନାରୀ କୈନ୍ଦ୍ରିତ ଫିଲ୍ମ ‘ଆନ୍ଧି’। ଏହି ଫିଲ୍ମରେ ଭାରତ ପ୍ରଥମ ମହିଳା ପ୍ରଧାନ ମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଜୀବନୀ ଉପରେ ନିର୍ମିତ ହୋଇଥିଲା ଏହି ଫିଲ୍ମ। ଏଥିରେ ସୁଚିତ୍ରା ସେନ୍ ଇନ୍ଦିରାଙ୍କ ଚରିତ୍ର ପ୍ଳେ କରିଥିଲେ। ସେତେବେଳର ସରକାରଙ୍କ ଦ୍ବାରା ହଲ୍ ରିଲିଜକୁ ବ୍ୟାନ୍ କରାଯାଇଥିଲା ବେଳେ ଟିଭିରେ ପ୍ରିମିୟର କରାଯାଇଥିଲା। ସେ ଯାହା ବି ହେଉ ଜଣେ ନାରୀର ଇଚ୍ଛା ଓ ଉଦ୍ୟମକୁ ଏହି ଫିଲ୍ମରେ ସୁନ୍ଦର ଭାବେ କାହାଣୀ ପର୍ଯ୍ୟବେଶିତ କରାଯାଇଥିଲା।
ସେହିପରି ୧୯୭୭ ମସିହାରେ ରିଲିଜ୍ ହୋଇଥିଲା ଫିଲ୍ମ ’ଭୂମିକା ଦି ରୋଲ୍’। ଏହି ଫିଲ୍ମରେ ଜଣେ ଅଭିନେତ୍ରୀର ଜୀବନୀ କେମିତି ଥିଲା ତାହା ଦର୍ଶାଯାଇଥିଲା। ଜଣେ ଶିଶୁ କଳାକାର ଭାବେ ଅଭିନୟ ଜୀବନ ଆରମ୍ଭ କରିଥିବା ଝିଅ ପରେ ନାମକରା ଅଭିନେତ୍ରୀ ବନୁଛନ୍ତି। ଏହା ଭିତରେ ସେ କେଉଁ ସବୁ ପରିସ୍ଥିତିର ସାମ୍ନା କରିବାକୁ ପଡୁଛି ତାହା ଉପରେ ଫିଲ୍ମର କାହାଣୀ। ଏଥିରେ ସ୍ମିତା ପାଟିଲଙ୍କ ଅଭିନୟ ଦର୍ଶକଙ୍କୁ ହଲକୁ ଅନେକ ମାତ୍ରାରେ ଟାଣି ଆଣିପାରିଥିଲା। ଭାରତୀୟ ସିନେମା ଶିଳ୍ପରେ ଏହା ଏକ ବ୍ୟାପକ ବିରାଟପରିବର୍ତ୍ତନ ଆଣିଥିଲା।
ସ୍ବାଧାନତା ପରବର୍ତ୍ତୀ ସମୟ ଠାରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ, ଅନେକ ନାରୀ କୈନ୍ଦ୍ରୀକ ଫିଲ୍ମ ନିର୍ମାଣ କରାଯାଇଛି। ତେବେ ୧୯୯୦ ପରଠାରୁ ବିଶେଷ କରି ସତ କାହାଣୀକୁ ନେଇ ଅନେକ ଓମେନ୍ ସେଣ୍ଟ୍ରିକ୍ ଫିଲ୍ମ ନିର୍ମାଣ କରାଯାଇଛି। ୧୯୯୦ ମସିହା ପରେ ପରେ ରିଲିଜ୍ ହୋଇଥିବା ଫିଲ୍ମ ହେଲା ‘ଦାମିନୀ’। ୧୯୯୩ ମସିହାରେ ରିଲିଜ୍ ହୋଇଥିବା ଏହି ଫିଲ୍ମରେ ମଧ୍ୟ ଜଣେ ନାରୀର ପାରିବା ପଣିଆକୁ ଦର୍ଶାଯାଇଥିଲା। ନିଜ ଦିଅର ଓ ସାଙ୍ଗ ମିଶି କରିଥିବା ଏକ ଗଣ ଦୁଷ୍କର୍ମର ପ୍ରତ୍ୟକ୍ଷଦର୍ଶୀ ଥିଲେ କାହାଣୀର ନାୟିକା ମିନାକ୍ଷୀ ଶେସାଦ୍ରୀ। ନିଜ ପରିବାର ବିରୋଧରେ ସଂଘର୍ଷ କରି ଜଣେ ନାରୀ କେମିତି ଆଉ ଏକ ନାରୀକୁ ନାୟ ଦେଇପାରେ ତାହା ହେଉଛି ଫିଲ୍ମର କାହାଣୀ।
ସେହିପରି ସିନେ ନିର୍ମାତା ମଧୁର ଭଣ୍ଡାରକରଙ୍କ ଫିଲ୍ମ ‘ଚାନ୍ଦିନୀ ବାର୍’ ଏମିତି ଏକ ହୃଦୟଶ୍ପର୍ଶୀ କାହାଣୀ, ଯେଉଁଥିରେ ଜଣେ ଦେହଜୀବୀର ସଂଘର୍ଷର କଥା ପରଦାରେ ଦୃଶ୍ୟାୟନ କରାଯାଇଥିଲା। ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ ଥିବା ତବୁ କିପରି ସବୁ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ନିଜ ପିଲାଙ୍କ ଜୀବନ ଗଢ଼ିଛନ୍ତି, ଓ ସମାଜରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରାଇପାରିଛନ୍ତି, ତାହା ପରଦାରେ ଦେଖିଛନ୍ତି ଦର୍ଶକ।
ସାଧାରଣତଃ ପରଦାରେ ନିର୍ଦ୍ଦେଶକ ଓ ପ୍ରଯୋଜକ ଜଣେ ନାରୀର ବାସ୍ତବ କାହାଣୀ ଦର୍ଶାଇବାକୁ ଚାହିଁଥାନ୍ତି। ଏ ଯେମିତି ୨୦୧୧ ମସିହାରେ ରିଲିଜ୍ ହୋଇଥିବା ଫିଲ୍ମ ‘ନୋ ୱାନ୍ କିଲ୍ଡ ଜେସିକା’। ରାଜକୁମାର ଗୁପ୍ତା ନିର୍ଦ୍ଦେଶିତ ଏହି ବାୟୋଗ୍ରାଫିକାଲ୍ ଫିଲ୍ମରେ ରାନୀ ମୁଖାର୍ଜୀ ଓ ବିଦ୍ୟା ବାଲନ୍ ଥିଲେ ଲିଡ୍ ରୋଲରେ। ଦିଲ୍ଲୀରେ ମଡେଲ୍ ଜେସିକା ଲାଲ୍ ହତ୍ୟା କାଣ୍ଡକୁ ନେଇ ଫିଲ୍ମର କାହାଣୀ।
୨୦୧୧ ମସିହାରେ ରିଲିଜ୍ ହୋଇଥିଲା ଫିଲ୍ମ ‘ଦି ଡାର୍ଟି ପିକ୍ଚର୍’। ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସିଲ୍କ ସ୍ମିତାଙ୍କ କାହାଣୀକୁ ନେଇ ନିର୍ମିତ ହୋଇଥିଲା ଏହି ବାୟୋଗ୍ରାଫିକାଲ୍ ଫିଲ୍ମ। ପରିସ୍ଥିତି ପଡ଼ି ଜଣେ ନାରୀ ଉପଭୋଗର ସାମଗ୍ରୀ ହୋଇପାରେ ତଥାପି ସମାଜରେ ତାର ସମ୍ମାନର ସହ ବଞ୍ଚିବାର ଅଧିକାର ଅଛି। ଆଉ ନିଷ୍ଠା ବଳରେ ସେ କିପରି ଯେ କୌଣିସି ପରିସ୍ଥିତିରେ ନିଜକୁ ପ୍ରମାଣିତ କରିଥାଏ ତାହା ଦର୍ଶକ ଦେଖିଛନ୍ତି ଫିଲ୍ମ ‘ଦି ଡାର୍ଟି ପିକ୍ଚର’ରେ।
ସେହିପରି ବିଦ୍ୟା ବାଲନ୍ ଅଭିନୀତ ଫିଲ୍ମ ’କାହାଣୀ’। ମସିହାରେ ରିଲିଜ୍ ହୋଇଥିବା ଏହି ଫିଲ୍ମ ସବୁ ସମୟ ପାଇଁ ଜଣେ ନାରୀର ଧୈର୍ଯ୍ୟ ଓ ସାହାସିକତାର ପ୍ରମାଣ ଦେବ। ସୁଜଏ ଘୋଷଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ବିଦ୍ୟା ବାଗଚୀ ଭୂମିକାରେ ଦର୍ଶକ ଦେଖିଥିଲେ ବିଦ୍ୟା ବାଲନଙ୍କୁ। ଏହା ଏମିତି ଏକ ଫିଲ୍ମ ଯେଉଁଥିରେ ଦର୍ଶକ ଆବଶ୍ୟକ କରିନାହାନ୍ତି ଜଣେ ହିରୋର ଉପସ୍ଥିତି। ନିଜ ନିଖୋଜ ସ୍ବାମୀକୁ ଖୋଜିବାକୁ ଆସି ବିଦ୍ୟା ବାଗଚୀ କିପରି ନିଜ ମିଶନରେ ସଫଳ ହେଉଛନ୍ତି ତାହା ସ୍କ୍ରିନରେ ଦେଖିଛନ୍ତି ଦର୍ଶକ।