ଆଜି ପଞ୍ଚଭୂତରେ ଲୀନ ହେବ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କ ମରଶରୀର। ପୁରୀ ସ୍ବର୍ଗଦ୍ବାରରେ ପିଣ୍ଟୁଙ୍କ ଶେଷକୃତ୍ୟ ହେବା ନେଇ ସୂଚନା ମିଳିଛି। ଗୁରୁବାର ହାଇଦ୍ରାବାଦରୁ ବିମାନ ଯୋଗେ ଆସି ଭୁବନେଶ୍ବରରେ ପହଞ୍ଚିଥିଲା ପିଣ୍ଟୁଙ୍କ ମରଶରୀର। ସେହିପରି ପିଣ୍ଟୁଙ୍କ ଶେଷ ଦର୍ଶନ କରିବା ଲାଗି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ବହୁ କଳାକାର ବିମାନବନ୍ଦରରେ ଉପସ୍ଥିତ ଥିଲେ। ଆଜି ପିଣ୍ଟୁ ନନ୍ଦଙ୍କ ଶେଷକୃତ୍ୟ। ବର୍ତ୍ତମାନ ଭୁବନେଶ୍ବର ସ୍ଥିତ କଳାରାହଙ୍ଗ ଘରେ ପିଣ୍ଟୁଙ୍କୁ ଶେଷ ଦର୍ଶନ କରିବାକୁ ପହଞ୍ଚିଛନ୍ତି ଅନେକ କଳାକାର। ବର୍ତ୍ତମାନ ପିଣ୍ଟୁଙ୍କ ମରଶରୀର ପାଖରେ ଅଛନ୍ତି ପରିବାର ଓ ବନ୍ଧୁ ପରିଜନ। ଆଉ କିଛି ସମୟରେ ପରେ ପିଣ୍ଟୁଙ୍କ ମରଶରୀରକୁ ପୁରୀ ସ୍ବର୍ଗଦ୍ବାର ନିଆଯିବ। ସେଠାରେ ତାଙ୍କ ମୃତ ଦେହ ସତ୍କାର କରାଯିବ। ଅଭିନେତାଙ୍କ ମୃତ୍ୟୁକୁ ନେଇ ଭାଙ୍ଗି ପଡ଼ିଛନ୍ତି ଅନେକ ସାଥୀ-କଳାକାର। ସେହିପରି ପରିବାରରେ ଖେଳିଯାଇଛି ଶୋକର ଛାୟା। ବୁଧବାର ବିଳମ୍ବିତ ରାତିରେ ଅଭିନେତା ପିଣ୍ଟୁ ନନ୍ଦଙ୍କର ହାଇଦ୍ରାବାଦ ସ୍ଥିତ ଯଶୋଦା ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଲିଭର ରିରୋରିସ ରୋଗରେ ପୀଡ଼ିତ ଥିଲେ ଅଭିନେତା।