ବ୍ରିଟେନର ସମୁଦ୍ରରେ ଜଣେ ମତ୍ସ୍ୟଜୀବୀଙ୍କ ଜାଲରେ ଏମିତି ଏକ ମାଛ ଧରାପଡ଼ିଥିଛି ଯାହାକୁ ଛୁଇଁବା ମାତ୍ରେ ମଣିଷର ମୃତ୍ୟୁ ହୋଇପାରେ କିମ୍ବା ପକ୍ଷାଘାତ ହୋଇପାରେ । ଏହି ମାଛକୁ ‘ସିଂହ ମାଛ’ (lion fish) କୁହାଯାଏ । ଏହି ମାଛର ନିଜ ଶତ୍ରୁକୁ ଘାୟଲ କରିବାର ଏମିତି ଶକ୍ତି ଅଛି ଯେ ତାହା ଜାଣି ବିଶେଷଜ୍ଞମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଏହି ସିଂହ ମାଛ ମୁଖ୍ୟତଃ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଦେଖାଯାଏ । ଅନେକ ଲୋକ ଏହି ମାଛକୁ ମୃତ୍ୟୁର ଦୂତ ବୋଲି ଭାବନ୍ତି । ମାତ୍ର ଛଅ ଇଞ୍ଚ୍ ଲମ୍ବା ଏହି ମାଛକୁ ଛୁଇଁଲେ ମୃତ୍ୟୁ ଅନିବାର୍ଯ୍ୟ । କେହି କେହି ଏହାକୁ ଜେବ୍ରା ଫିସ୍ ବୋଲି ବି କୁହନ୍ତି । ଆଉ କେତେକ ୟାକୁ ଫାୟାର ଫିସ୍ କୁହନ୍ତି । ମୃତ୍ୟୁର ଏହି ଦୂତ ଧରାପଡ଼ିଛି ଜଣେ ୩୯ ବର୍ଷୀୟ ବ୍ରିଟିଶ୍ ମତ୍ସ୍ୟଜୀବୀଙ୍କ ଜାଲରେ । ମତ୍ସ୍ୟଜୀବୀ ନିଜ ପିତାଙ୍କ ସହ ବ୍ରିଟେନର ଚେସିଲ୍ ବିଚରେ ମାଛ ଧରିବାକୁ ଯାଇଥିଲେ । ସେଠାରେ ଏହି ସିଂହ ମାଛ ତାଙ୍କ ଜାଲରେ ଫସିଥିଲା । ମତ୍ସ୍ୟଜୀବୀ ଜଣକ ମାଛଟି ଧରିବା ବେଳେ ଜାଣି ନ ଥିଲେ ଯେ ସିଂହ ମାଛକୁ ଛୁଇଁଲେ ମୃତ୍ୟୁ ହୋଇପାରେ କିମ୍ବା ପକ୍ଷାଘାତ ହୋଇପାରେ । ତଥାପି ସେପରି କିଛି ଘଟି ନ ଥିଲା । ମତ୍ସ୍ୟଜୀବୀ ସିଂହ ମାଛକୁ ଛୁଇଁ ନ ଥିଲେ । ଏହି ମାଛ ପୂର୍ବରୁ କାହାରି ଜାଲରେ ଧରାଯାଇ ନ ଥିବାରୁ ସେ ବହୁତ ଖୁସି ଥିଲେ । ଏହି ମାଛଗୁଡ଼ିକ ନାଲି, ଧଳା ଓ କଳା ସହିତ ଅନ୍ୟ ବିଭିନ୍ନ ରଙ୍ଗର ହୋଇଥାନ୍ତି । ସେମାନେ ଦେଖିବାକୁ ଖୁବ୍ ସୁନ୍ଦର । ଅନେକ ଲୋକ ତ ତା’ ସୌନ୍ଦର୍ଯ୍ୟର ଆକର୍ଷଣରେ ତାକୁ ଧରି ପକାନ୍ତି ଓ ତା’ପରେ ଦୁର୍ଘଟଣା ଘଟେ । ବ୍ରିଟେନରେ ପ୍ରଥମ ଥର ପାଇଁ ମିଳିଛି ମାରାତ୍ମକ ପଶୁମାନଙ୍କ ମଧ୍ୟରୁ ଅନ୍ୟତମ ଏହି ମାଛ ।