ସୁସାହିତ୍ୟିକ ଓ ପୂର୍ବତନ ବାଚସ୍ପତି ଶରତ କର ଆଉ ନାହାନ୍ତି; କରୋନାରେ ଚାଲିଗଲେ
ତିନି ଥର MLA ଓ ଥରେ MP ରହିବା ସହ ରାଜ୍ୟରେ ଏକାଧିକ ବାର ମନ୍ତ୍ରୀ ହୋଇଥିବା ଶରତ କର ରାଜ୍ୟର ସର୍ବକାଳୀନ କନିଷ୍ଠ ମନ୍ତ୍ରୀ ହେବାର ରେକର୍ଡ ରଚିଥିଲେ । ସେ ୧୯୭୭ରେ କଟକ ଲୋକସଭା ଆସନରେ ଜାନକୀବଲ୍ଲଭ ପଟ୍ଟନାୟକଙ୍କୁ ହରାଇଥିଲେ ।

ପ୍ରଖ୍ୟାତ ଲେଖକ ଓ ପୂର୍ବତନ ବାଚସ୍ପତି ଶରତ କର ଶେଷ ନିଦ୍ରାରେ ଶୋଇଯାଇଛନ୍ତି । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଏହି ବିଶିଷ୍ଟ ରାଜନେତା, ସାହିତ୍ୟିକ ତଥା ସୁବକ୍ତାଙ୍କର ଦେହାନ୍ତ ହୋଇଛି । ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ସହିତ ସେ କରୋନାରେ ଆକ୍ରାନ୍ତ ହୋଇ ଗତ ୧୫ ଦିନ ଧରି ଚିକିତ୍ସିତ ହେଉଥିଲେ ବୋଲି କହିଛନ୍ତି ତାଙ୍କ ପୁତ୍ର । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା । ତାଙ୍କ ବିୟୋଗରେ ସମଗ୍ର ରାଜନୀତି ମହଲ ଶୋକରେ ବୁଡିଛି ।

କଟକ ଜିଲ୍ଲା ମାହାଙ୍ଗା ଚାଇଁଆପାଳରେ ୧୯୩୯ ମସିହା ସେପ୍ଟେମ୍ବର ୫ ତାରିଖରେ ଶରତ କରଙ୍କ ଜନ୍ମ । ୧୯୬୪ରେ ଆହ୍ଲାବାଦ ବିଶ୍ବବିଦ୍ୟାଳୟରେ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ସାରିବା ପରେ ରାଜନୀତିରେ ପାଦ ଥାପିଥିଲେ ସେ । ବିଶ୍ବବିଦ୍ୟାଳୟରେ ପଢ଼ିବା ବେଳେ ସ୍ବାଧୀନତା ସଂଗ୍ରାମୀ ଲାଲବାହାଦୁର ଶାସ୍ତ୍ରୀଙ୍କ ସଂସ୍ପର୍ଶରେ ଆସି ରାଜନୀତି ପାଇଁ ବଳାଇଥିଲେ ମନ । ଶାସ୍ତ୍ରୀଜୀଙ୍କ ମିଟିଂରେ ଯୋଗଦାନ ପରେ ଏଆଇସିସିର ସଦସ୍ୟ ପାଲଟିଥିଲେ ଶରତ ।

ଲାଲବାହାଦୁର ଶାସ୍ତ୍ରୀ ଶରତଙ୍କୁ ପରାମର୍ଶ ଦେଇଥିଲେ ଓଡ଼ିଶା ଫେରିବା ପରେ ବିଜୁ ପଟ୍ଟନାୟକଙ୍କୁ ସାକ୍ଷାତ କରିବାକୁ । ତାହା ହିଁ କରିଥିଲେ ଶରତ । ଏହାର ପରିଣାମ ସ୍ବରୂପ ବିଜୁ ବାବୁଙ୍କୁ ଶେଷ ଶଯ୍ୟା ଯାଏଁ ତାଙ୍କର ଅତି ନିକଟ ହୋଇ ରହିଥିଲେ ସେ।

୧୯୭୧ରେ ପ୍ରଥମ କରି ମାହାଙ୍ଗା ଆସନରୁ ଲଢ଼ି ବିଜୟୀ ହୋଇଥିଲେ ଶରତ କର। ତାଙ୍କ ପାର୍ଟିର ନାଁ ଥିଲା ଜନତା ପାର୍ଟି (ଲୋକଦଳ) । ତତ୍କାଳୀନ ବିଶ୍ବନାଥ ଦାସ ସରକାରରେ ମନ୍ତ୍ରୀ ପଦ ପାଇ ରାଜ୍ୟର ସର୍ବକାଳୀନ କନିଷ୍ଠ ମନ୍ତ୍ରୀ ହେବାର ରେକର୍ଡ ରଚିଥିଲେ ସେ ।

୧୯୭୭ରେ ଶରତଙ୍କୁ ମିଳିଥିଲା ଏକ ବଡ଼ ବ୍ରେକ୍ । ସେ କଟକ ଲୋକସଭା ଆସନରୁ ଲଢ଼ି ସେତେବେଳର ଟାଣୁଆ କଂଗ୍ରେସ ନେତା ଜାନକୀବଲ୍ଲଭ ପଟ୍ଟନାୟକଙ୍କୁ ସେ ପରାସ୍ତ କରିଥିଲେ ଓ ଷଷ୍ଠ ଲୋକସଭାର ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ । ୧୯୭୭ରୁ ୧୯୮୦ ଯାଏଁ ସାଂସଦ ରହିଥିଲେ ଶରତ ।

୧୯୯୦ରେ ପୁଣି ମାହାଙ୍ଗା ଆସନରୁ ବିଧାୟକ ନିର୍ବାଚିତ ହୋଇଥିଲେ । ତୃତୀୟ ଥର ଶରତ ଜିତିଥିଲେ ୨୦୦୦ ମସିହାରେ । ସେହି ବର୍ଷ ଦ୍ବାଦଶ ବିଧାନ ସଭାରେ ବାଚସ୍ପତି ରହିଥିଲେ ସେ । ମାର୍ଚ୍ଚ ୧୦, ୨୦୦୦ରୁ ମେ ୨୧, ୨୦୦୪ ଯାଏଁ ବାଚସ୍ପତି ଦାୟିତ୍ବ ତୁଲାଇଥିଲେ । ତିନି ତିନି ଥର ବିଧାୟକ, ଥରେ ସାଂସଦ ସହ ରାଜ୍ୟରେ ଏକାଧିକ ବାର ମନ୍ତ୍ରୀ ରହିଥିଲେ ଶରତ ।

ରାଜନୀତି ସହିତ ବିଶିଷ୍ଟ ସାହିତ୍ୟିକ ଭାବେ ଶରତ ଅର୍ଜିଥିଲେ ଅପାର ପ୍ରସିଦ୍ଧି । ତାଙ୍କ ଶ୍ରେଷ୍ଠ ପୁସ୍ତକଗୁଡ଼ିକ ଭିତରେ ‘ଦ୍ରୁତ ବିଳମ୍ବିତ’, ‘ମନ୍ଥନ’, ‘ରୋମନ୍ଥନ’ ଓ ‘ଅନନ୍ୟ’ ଭଳି ପୁସ୍ତକ ଲାଭ କରିଛି ପାଠକୀୟ ଆଦୃତି । ସେ ମଧ୍ୟ ଅନେକ ଧାର୍ମିକ ଓ ସାଂସ୍କୃତିକ ପୁସ୍ତକର ରଚୟିତା ଥିଲେ । ଜଣେ ପ୍ରବଚକ ଭାବେ ଶରତ କରଙ୍କର ରହିଥିଲା ଅଜସ୍ର ସୁଖ୍ୟାତି ।

ଶରତ କରଙ୍କ ଧର୍ମପତ୍ନୀ ଅବସରପ୍ରାପ୍ତ ପ୍ରାଧ୍ୟାପିକା ଅନିମା କର ଜଣେ ସୁଗାୟିକା ଓ ଆକାଶବାଣୀର ଜଣେ ସ୍ବୀକୃତିପ୍ରାପ୍ତ କଳାକାର ।