ସମ୍ବଲପୁରର ଇଷ୍ଟ ଦେବୀ ମା’ ସମଲେଶ୍ବରୀଙ୍କ ମନ୍ଦିର ଅଗଷ୍ଟ ୩ ତାରିଖଠାରୁ ଖୋଲିଛି ସମ୍ବଲପୁରର ଇଷ୍ଟ ଦେବୀ ମା’ ସମଲେଶ୍ବରୀଙ୍କ ମନ୍ଦିର । କୋଭିଡ ନିୟମ ପାଳନ କରି ଭକ୍ତମାନେ ମା’ଙ୍କର ପ୍ରତ୍ୟକ୍ଷ ଦର୍ଶନ ଲାଭ କରୁଛନ୍ତି । ଦୀର୍ଘ ତିନି ମାସ ପରେ ମା’ଙ୍କର ପ୍ରତ୍ୟକ୍ଷ ଦର୍ଶନ ପାଇ ଭକ୍ତମାନେ ଖୁସି ପ୍ରକଟ କରିଛନ୍ତି । ମନ୍ଦିରର ପ୍ରବେଶ ଦ୍ବାରରେ ହାତ ସାନିଟାଇଜ୍ କରିବା ପରେ ଭକ୍ତମାନଙ୍କୁ ମନ୍ଦିରକୁ ପ୍ରବେଶ କରିବାକୁ ଦିଆଯାଉଛି । କୋଭିଡ ସ୍ଥିତିରେ ସୁଧାର ଓ ରାଜ୍ୟ ସରକାରଙ୍କ ଅନଲକ୍ ନିଷ୍ପତ୍ତି ପରେ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ଦୀର୍ଘ ଦିନ ହେଲା ମା’ ସଲେଶ୍ବରୀଙ୍କ ମନ୍ଦିର ବନ୍ଦ ରହିଥିବାରୁ ଭକ୍ତମାନେ ମା’ଙ୍କ ଦର୍ଶନରୁ ବଞ୍ଚିତ ହେଉଥିଲେ । ଏବେ କିନ୍ତୁ ପୂର୍ବ ପରି ଚଳଚଞ୍ଚଳ ହୋଇଉଠିଛି ମା’ଙ୍କ ପୀଠ । ପୂର୍ବରୁ କରୋନା କଟକଣା କାରଣରୁ ମନ୍ଦିର ବନ୍ଦ ରହୁଥିବା ଯୋଗୁଁ ମନ୍ଦିର ଚୂଡ଼ାରେ ଲାଗିଥିବା ମା’ଙ୍କ ଧ୍ବଜାକୁ ଦର୍ଶନ କରି ଫେରୁଥିଲେ ଭକ୍ତମାନେ । ଏବେ ମନ୍ଦିର ଖୋଲିବା ପରେ ଭକ୍ତମାନେ ମା’ଙ୍କ ପ୍ରତ୍ୟକ୍ଷ ଦର୍ଶନ କରି ନିଜକୁ ଭାଗ୍ୟବାନ ମନେକରୁଛନ୍ତି । ମନ୍ଦିରର ଗର୍ଭଗୃହ ଭିତରକୁ ଭକ୍ତମାନଙ୍କ ପ୍ରବେଶ ଉପରେ ପ୍ରତିବନ୍ଧ ରହିଛି । ବାହାରୁ ପୂଜା ସାମଗ୍ରୀ ମଧ୍ୟ ଭକ୍ତମାନେ ନେଇ ମନ୍ଦିର ଭିତରକୁ ଆସିପାରିବେ ନାହିଁ । ସକାଳ ୬ଟାରୁ ସାଢେ ୧୧ଟା ଓ ମଧ୍ୟାହ୍ନ ୩ଟାରୁ ସନ୍ଧ୍ୟା ସାଢେ ୭ଟା ପର୍ଯ୍ୟନ୍ତ ଭକ୍ତମାନଙ୍କ ଦର୍ଶନ ପାଇଁ ମନ୍ଦିର ଖୋଲା ରହିବ । ସପ୍ତାହକୁ ଗୋଟିଏ ଦିନ ପ୍ରତି ସୋମବାର ବିଶୋଧନ ପାଇଁ ମନ୍ଦିର ବନ୍ଦ ରହିବ ।