ଦେଶରେ ପ୍ରଥମ ଥର କେମିତି ହୋଇଥିଲା କରୋନା ପୀଡ଼ିତଙ୍କ ଉଭୟ ଫୁସଫୁସର ପ୍ରତିରୋପଣ
ଚଣ୍ଡିଗଡ଼ର ବାସିନ୍ଦା ୩୨ ବର୍ଷୀୟ ରିଜୱାନ୍ ଓରଫ ମୋନୁ ଏକ ମାରାତ୍ମକ ଫୁସଫୁସ ରୋଗରେ ପୀଡ଼ିତ ଥିଲେ, ଯାହାକୁ ମେଡିକାଲ ଭାଷାରେ ସାର୍କୋୟଡୋସିସ୍ (Sarcoidosis) କୁହାଯାଏ । ମୋନୁ କରୋନା ସଂକ୍ରମିତ ହୋଇଯାଇଥିବାରୁ ମାମଲା ଅଧିକ ଜଟିଳ ହୋଇଥିଲା ।

ଫୁସଫୁସର ଏକ ଗୁରୁତର ରୋଗରେ ପୀଡ଼ିତ ଏହି ରୋଗୀଙ୍କୁ ହାଇଦ୍ରାବାଦର ଏକ ଡାକ୍ତରଖାନାରେ ନୂଆ ଜୀବନ ଦିଆଯାଇଥିଲା । ଡାକ୍ତରମାନେ ତାଙ୍କର ଦୁଇଟି ଯାକ ଫୁସଫୁସକୁ ପ୍ରତିରୋପଣ କରିଥିଲେ । ରିଜୱାନ ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି ।

ସାର୍କୋଏଡୋସିସ୍ (Sarcoidosis) ରୋଗ ସହିତ ସଂଗ୍ରାମ କରୁଥିବା ରିଜୱାନଙ୍କର ଦୁଇଟି ଯାକ ଫୁସଫୁସ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । କେବଳ ଟ୍ରାନ୍ସପ୍ଲାଣ୍ଟ ବିକଳ୍ପ ହିଁ ବାକି ରହିଥିଲା । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଚାଲିଥିଲା । ସେ ହାଇଦ୍ରାବାଦର କୃଷ୍ଣ ଇନଷ୍ଟିଚ୍ୟୁଟରେ ଚିକିତ୍ସିତ ହେଉଥିଲେ । ହେଲେ ନୂଆ ଫୁସଫୁସର ଅପେକ୍ଷାରେ ଦିନ ବିତି ଯାଉଥିଲା ।

ଏହି ସଙ୍କଟ ଦ୍ୱିଗୁଣିତ ହୋଇଥିଲେ ଯେତେବେଳେ ଫୁସଫୁସ ରୋଗରେ ପୀଡ଼ିତ ରିଜୱାନ୍ କରୋନାରେ ସଂକ୍ରମିତ ହୋଇଥିଲେ । ତାଙ୍କ ଅବସ୍ଥା ଖରାପ ହେଉଥିବା ସମୟରେ ଡାକ୍ତର ସନ୍ଦୀପ ଅଟୱାର ତାଙ୍କୁ ଚିକିତ୍ସା କରିବା ଆରମ୍ଭ କରିଥିଲେ । ଏହି ସମୟ ମଧ୍ୟରେ ଏକ ସଂଯୋଗରୁ ନୂଆ ଆଶା ସୃଷ୍ଟି ହୋଇଥିଲା ।

ରିଜୱାନଙ୍କୁ ଏକ ନୂଆ ଜୀବନ ଦେଇଥିବା ଡକ୍ଟର ଅଟୱାର କହିଛନ୍ତି ଯେ ରିଜୱାନଙ୍କ ନୂଆ ଫୁସଫୁସ କୋଲକାତାରୁ ମିଳିଥିଲା । ସେଠାରେ ଜଣେ ମୃତ ବ୍ୟକ୍ତିଙ୍କ ଫୁସଫୁସ ରିଜୱାନଙ୍କ ଫୁସଫୁସ୍ ସହ ମେଳ ଖାଇଥିଲା । ଏହା ପରେ କୋଲକାତାରୁ ବିମାନ ଦ୍ୱାରା ସେହି ଫୁସଫୁ୍ସ୍ ଦୁଇଟିକୁ ହାଇଦ୍ରାବାଦକୁ ଅଣାଯାଇଥିଲା ।

ରିଜୱାନଙ୍କ ଫୁସଫୁସ ସର୍ଜରୀ କରିଥିବା ୨୪ ବର୍ଷର ଅଭିଜ୍ଞତା ଥିବା ଡାକ୍ତର ଅଟୱାର କହିଛନ୍ତି ଯେ ଏହା ଏକ ଜଟିଳ ଅସ୍ତ୍ରୋପଚାର ଥିଲା କାରଣ ଗୋଟିଏ ନୁହେଁ ବରଂ ଉଭୟ ଫୁସଫୁସକୁ ପ୍ରତିରୋପଣ କରିବାକୁ ପଡ଼ିଥିଲା । ଏହି ସର୍ଜରୀରେ ଭୁଲ କରିବା ପାଇଁ କୌଣସି ସୁଯୋଗ ନ ଥିଲା । ଏ ସବୁ ସତ୍ତ୍ୱେ ଡାକ୍ତର ଏହି ଅସମ୍ଭବ ଦିଶୁଥିବା କାର୍ଯ୍ୟକୁ ସମ୍ଭବ କରିଥିଲେ ।

ଏହା ଉଭୟ ଫୁସଫୁସ ପ୍ରତିରୋପଣ କରିବାର ଭାରତରେ ପ୍ରଥମ ମାମଲା ଥିଲା । ଏହି ସର୍ଜରୀ ସେପ୍ଟେମ୍ବର ମାସରେ ହୋଇଥିଲା । ଡାକ୍ତର ରିଜୱାନଙ୍କ ସ୍ୱାସ୍ଥ୍ୟ ଉପରେ ପରବର୍ତ୍ତୀ ଛଅ ସପ୍ତାହ ପର୍ଯ୍ୟନ୍ତ ନଜର ରଖିବେ । ଡକ୍ଟର ଅଟୱାର ନିଜ କରିୟରରେ ୧୨ ହଜାରରୁ ଅଧିକ ଅସ୍ତ୍ରୋପଚାର କରିଛନ୍ତି, ଯେଉଁଥିରେ ଫୁସଫୁସ, ହୃଦୟ ଓ କୃତ୍ରିମ ଟ୍ରାନ୍ସପ୍ଲାଣ୍ଟ ସର୍ଜରୀ ସାମିଲ ଅଛି ।