ମାରାତ୍ମକ Corona: ମଣିଷର ଚର୍ମରେ ୯ ଘଣ୍ଟା ପର୍ଯ୍ୟନ୍ତ ଜୀବିତ ରହିପାରେ କରୋନା ଭାଇରସ୍
ବୈଜ୍ଞାନିକଙ୍କ ଟିମ୍ ଏହି ଗବେଷଣା ପରେ କହିଛନ୍ତି ଯେ ସମ୍ପୂର୍ଣ୍ଣ ପ୍ରମାଣିତ ହୋଇଯାଇଛି ଯେ ବାରମ୍ବାର ହାତ ଧୋଇବା ଓ ପରିଷ୍କାର ରହିବା ମହତ୍ୱପୂର୍ଣ ଓ ସାନିଟାଇଜର ବ୍ୟବହାର କରିବା ଅପେକ୍ଷା ପାଣିରେ ହାତ ଧୋଇବା ଅଧିକ ଲାଭଦାୟକ ।

କରୋନା ଜୀବାଣୁ ସହ ଜଡ଼ିତ ମାମଲାଗୁଡ଼ିକ ଉପରେ ଅନୁସନ୍ଧାନ କରୁଥିବା ଜାପାନର କ୍ୟୋଟୋ ପ୍ରିଫେକ୍ଟାଲ୍ ୟୁନିଭରସିଟି ଅଫ୍ ମେଡିସିନ୍ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛି । ଏହି ଅଧ୍ୟୟନରୁ ଜଣାପଡ଼ିଛି ଯେ କରୋନା ଭୂତାଣୁ ମଣିଷର ଚର୍ମରେ ଘଣ୍ଟା ଘଣ୍ଟା ବଞ୍ଚି ରହିବାରେ ସକ୍ଷମ । ଯଦି ତାକୁ ଅନୁକୂଳ ପରିବେଶ ମିଳେ ତେବେ ତାହା ପ୍ରାୟ ନଅ ଘଣ୍ଟା ପର୍ଯ୍ୟନ୍ତ ମାନବ ଚର୍ମରେ ବଞ୍ଚିରହିପାରେ ।

ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନଙ୍କ ଟିମ୍ ଅନେକ ପ୍ରାଣୀ ଓ ମାନବ ଚର୍ମରେ କରୋନା ଭାଇରସ୍ ବଞ୍ଚିରହିବା ସମୟ ଉପରେ କାର୍ଯ୍ୟ କରିଥିଲେ । ଏହି ଅଧ୍ୟୟନରେ ଜାଣିବାକୁ ମିଳିଛି ଯେ କରୋନା ଭାଇରସ୍ ମଣିଷର ଚର୍ମରେ ଇନଫ୍ଲୁଏଞ୍ଜା-ଏ ଭାଇରସ୍ ଠାରୁ ବି ଅଧିକ ସମୟ ବଞ୍ଚିରହେ ।

ବୈଜ୍ଞାନିକଙ୍କ ଟିମ୍ ଏହି ଅଧ୍ୟୟନ ପରେ କହିଛନ୍ତି ଯେ ଏହା ଦ୍ୱାରା ଏହା ସମ୍ପୂର୍ଣ୍ଣ ପ୍ରମାଣିତ ହୋଇଛି ଯେ ବାରମ୍ବାର ହାତ ଧୋଇବା ଓ ପରିଷ୍କାର ରହିବା କେତେ ମହତ୍ୱପୂର୍ଣ । ଗବେଷକଙ୍କ ଜିମ୍ ଅନୁଯାୟୀ ସାନିଟାଇଜର ବ୍ୟବହାର କରିବା ଅପେକ୍ଷା ଅଧିକ ପାଣିରେ ହାତ ଧୋଇବା ସର୍ବଦା ଅଧିକ ଲାଭଦାୟକ ।

ଏହି ଗବେଷଣା ମେଡିକାଲ ଜର୍ଣ୍ଣାଲ ‘କ୍ଲିନିକାଲ ଇନଫେକ୍ସସ୍ ଡିଜିଜ୍’ରେ ପ୍ରକାଶିତ ହୋଇଛି । ଏହି ଗବେଷଣା କରୋନା ଭାଇରସ୍ ଓ ଇନଫ୍ଲୁଏଞ୍ଜା-ଏ ଭାଇରସକୁ କେନ୍ଦ୍ରରେ ରଖି କରାଯାଇଥିଲା । ଗବେଷଣାରେ ଏହା ସ୍ପଷ୍ଟ ହୋଇଛି ଯେ କରୋନା ଭାଇରସ୍ ଶୀଘ୍ର ବିସ୍ତାର କରିବାରେ ଅଧିକ ସକ୍ଷମ । ଅବଶ୍ୟ ଏହା ମାନବ ଚର୍ମରେ ବିଭିନ୍ନ ପରିବେଶରେ ଭିନ୍ନ ଭିନ୍ନ ଆଚରଣ କରୁଥିବା ଦେଖିବାକୁ ମିଳିଛି ।

ଅନ୍ୟ ପକ୍ଷରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର (WHO) ରିପୋର୍ଟ ଅନୁଯାୟୀ ବିଶ୍ୱର ମୋଟ ଜନସଂଖ୍ୟାର ୧୦% କରୋନା ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇସାରିଛି । WHOର ଜରୁରୀକାଳୀନ ମୁଖ୍ୟ ଡକ୍ଟର ମାଇକେଲ ରିଆନ କହିଛନ୍ତି ଯେ ଏକ ଆକଳନ ଅନୁଯାୟୀ ବିଶ୍ୱର ପ୍ରତି ୧୦ ଜଣଙ୍କ ମଧ୍ୟରୁ ଜଣେ ସଂକ୍ରମିତ ହୋଇପାରନ୍ତି । ଏହାର ସିଧାସଳଖ ଅର୍ଥ ହେଉଛି ଯେ ବିଶ୍ୱର ଜନସଂଖ୍ୟାର ଏକ ବୃହତ ଅଂଶ ବିପଦରେ ଅଛି ।

ଏକ ଆକଳନ ଅନୁଯାୟୀ ବିଶ୍ୱର ମୋଟ ଜନସଂଖ୍ୟା ୭୬୦ କୋଟି । WHO ଅନୁଯାୟୀ ସେମାନଙ୍କ ମଧ୍ୟରେ ସାଢ଼େ ତିନି କୋଟିରୁ ଅଧିକ ଲୋକ ସଂକ୍ରମିତ ହୋଇସାରିଛନ୍ତି । ତେବେ କିଛି ବିଶେଷଜ୍ଞ ଦୀର୍ଘ ଦିନ ଧରି କହିଆସୁଛନ୍ତି ଯେ ସଂକ୍ରମିତ ଲୋକଙ୍କ ସଂଖ୍ୟା ବର୍ତ୍ତମାନ ଯାହା କୁହାଯାଉଛି ତା’ଠାରୁ ବେଶ୍ ଅଧିକ।

ଡକ୍ଟର ରିୟାନ୍ କହିଛନ୍ତି ଯେ ସତର୍କତା ଅବଲମ୍ବନ କରିବା ଦ୍ୱାରା ଅନେକ ଲୋକଙ୍କ ଜୀବନ ରକ୍ଷା କରାଯାଇପାରିବ । ଦକ୍ଷିଣ-ପୂର୍ବ ଏସିଆରେ ସଂକ୍ରମଣର ମାମଲା ବୃଦ୍ଧି ପାଇଛି । ୟୁରୋପ ଓ ପୂର୍ବ-ଭୂମଧ୍ୟସାଗରୀୟ ଅଞ୍ଚଳରେ ଅଧିକ ମୃତ୍ୟୁ ଘଟୁଛି । ଏଥି ସହିତ ଆଫ୍ରିକା ଓ ପଶ୍ଚିମ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସ୍ଥିତି ବହୁତ ଭଲ ଅଛି । କରୋନା ମହାମାରୀ ବୃଦ୍ଧି ପାଇଚାଲିଛି ବୋଲି ରିୟାନ୍ ଚେତାବନୀ ଦେଇଛନ୍ତି । ଦୁନିଆ ବର୍ତ୍ତମାନ ଏକ କଠିନ ସମୟ ଦେଇ ଗତି କରୁଛି ବୋଲି ସେ କହିଛନ୍ତି ।