ଭାରତରେ ତିଆରି ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା କରୋନା ଟିକାର ୨ଟି ଡୋଜ୍ ୯୦% ପ୍ରଭାବଶାଳୀ
Oxford-AstraZeneca coronavirus vaccine: ଅକ୍ସଫୋର୍ଡ ୟୁନିଭରସିଟି ଓ ଆଷ୍ଟ୍ରାଜେନେକା କମ୍ପାନୀ ଦାବି କରିଛନ୍ତି ଯେ ସେମାନଙ୍କ ଟିକା କୋଭିଶିଲ୍ଡର ଦୁଇଟି ଡୋଜ୍ ନେଲେ ଭଲ ପ୍ରତିରକ୍ଷା ପ୍ରତିକ୍ରିୟା ମିଳୁଛି ଓ ଏହା ୯୦% ପର୍ଯ୍ୟନ୍ତ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି ।

ଅକ୍ସଫୋର୍ଡ ୟୁନିଭରସିଟି ଓ ଆଷ୍ଟ୍ରାଜେନେକା କମ୍ପାନୀ ଦ୍ୱାରା ବିକଶିତ (Oxford-AstraZeneca coronavirus vaccine) କରୋନା ଭାଇରସ୍ ଟିକାର (କୋଭିସିଲ୍ଡ, Covishield) ଦୁଇଟି ପୂରା ଡୋଜ୍ ଉତ୍ତମ ପ୍ରତିରକ୍ଷା ପ୍ରତିକ୍ରିୟା ଦେଉଛି । ଅକ୍ସଫୋର୍ଡ ୟୁନିଭରସିଟି ଅନୁଯାୟୀ ତାଙ୍କର ଏହି ଟିକାର ଗୋଟିଏ ପୂରା ଡୋଜ୍ ଦିଆଯିବା ପରେ ଅଧା ବୁଷ୍ଟର୍ ଡୋଜ୍ ତୁଳନାରେ ଦୁଇଟି ପୂରା ଡୋଜ୍ ଦେଲେ ଅଧିକ ଭଲ ପ୍ରତିରକ୍ଷା ପ୍ରତିକ୍ରିୟା ସୃଷ୍ଟି କରୁଥିବା ଦେଖାଯାଇଛି । ଏହି ଦାବି ଟୀକାକରଣର ମଧ୍ୟବର୍ତ୍ତୀ ପରୀକ୍ଷା ଫଳାଫଳ ଉପରେ ପ୍ରକାଶିତ ତଥ୍ୟର ବିପରୀତ । ଭାରତରେ ଏହି ଟିକା ପୁଣେର ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ କରାଯାଉଛି ।

ଏହି ଦାବିରେ କୁହାଯାଇଥିଲା ଯେ ଟିକାର ଗୋଟିଏ ପୂରା ଡୋଜ ପରେ ଅଧା ଡୋଜ୍ ଦିଆଯିବା ପରେ ଏହାର ପ୍ରଭାବ ଅଧିକ ଦେଖାଯାଉଛି, ଦୁଇଟି ପୂରା ଡୋଜ୍ ଦିଆଯିବା ପରେ ନୁହେଁ । ଗୁରୁବାର ଦିନ ପ୍ରକାଶିତ ଦ୍ୱିତୀୟ ପର୍ଯ୍ୟାୟ କ୍ଲିନିକାଲ୍ ଟ୍ରାଏଲ୍ ରିପୋର୍ଟରେ ଅଧା ଡୋଜ୍ ବା ପୂରା ଡୋଜ ବିଷୟରେ କିଛି କୁହାଯାଇ ନାହିଁ । ବିଶ୍ୱବିଦ୍ୟାଳୟ ଏକ ବିବୃତ୍ତିରେ କହିଛି ଯେ ପ୍ରଥମେ ସେମାନେ ଏକ ପୂରା ଡୋଜ୍ ଓ ଏକ ଅଧା ଡୋଜ୍ ଦେଇ ଟ୍ରାଏଲ୍ କରିଥିଲେ । ଅର୍ଥାତ୍ ପ୍ରାର୍ଥୀଙ୍କୁ ଦେଢ଼ ଡୋଜ ଦିଆଯାଇଥିଲା । ଏବେ ଦୁଇଟି ପୂରା ଡୋଜ ଦିଆଯାଇଛି ଓ ଏହାର ଫଳାଫଳ ବହୁତ ଭଲ ଆସିଛି ।

ପ୍ରାୟ ମାସକ ପୂର୍ବେ ଆଷ୍ଟ୍ରାଜେନେକା ଓ ଅକ୍ସଫୋର୍ଡ ଟିକାକରଣରେ ତ୍ରୁଟି ଥିବା ମାନିଥିଲେ । ସେତେବେଳେ ଟିକା ପରୀକ୍ଷଣର ତୃତୀୟ ପର୍ଯ୍ୟାୟର ଫଳାଫଳ ପ୍ରକାଶ ପାଇଥିଲା, ଯେଉଁଥିରେ ବିଭିନ୍ନ ଫଳାଫଳ ସାମନାକୁ ଆସିଥିଲା । ଏବେ ବିବୃତିରେ କୁହାଯାଇଛି ଯେ ଟିକାକରଣର ବୁଷ୍ଟର ଡୋଜ୍ ସିଙ୍ଗଲ୍ ଡୋଜ୍ ଅପେକ୍ଷା ଅଧିକ ଶକ୍ତିଶାଳୀ ଆଣ୍ଟିବଡି ପ୍ରତିକ୍ରିୟା ସୃଷ୍ଟି କରୁଛି । ଏହା ଷ୍ଟାଣ୍ଡାର୍ଡ ଡୋଜ୍ ଠାରୁ ଅଧିକ ଉତ୍ତମ ପ୍ରତିକ୍ରିୟା ଦେଖାଉଥିବା କୁହାଯାଇଛି ।

ଅକ୍ସଫୋର୍ଡ ଟିକାର ମଧ୍ୟବର୍ତ୍ତୀ ଫଳାଫଳଗୁଡିକରେ ଟିକାର ଡୋଜ ଶକ୍ତି ଅନୁଯାୟୀ ୯୦% କିମ୍ବା ୬୨% ପ୍ରଭାବଶାଳୀ ବୋଲି କୁହାଯାଇଥିଲା । ବୈଜ୍ଞାନିକଙ୍କ ଅନୁଯାୟୀ ଏହି ଟିକାର ହାରାହାରି ପ୍ରଭାବ ୭୦% ଥିଲା । କିନ୍ତୁ କିଛି ଦିନ ପରେ ଏହି ତଥ୍ୟ ଉପରେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଥିଲା । ଯେଉଁ ଡୋଜ ପ୍ୟାଟର୍ଣ୍ଣରେ ପ୍ରାର୍ଥୀଙ୍କ ଦେହରେ ଟିକା ୯୦% ପର୍ଯ୍ୟନ୍ତ ପ୍ରଭାବଶାଳୀ ପ୍ରମାଣିତ ହୋଇଥିଲା ସେଥିରେ ପ୍ରଥମେ ଅଧା ଡୋଜ୍ ଦିଆଯାଇଥିଲା ଓ ମାସକ ପରେ ପୂରା ଡୋଜ୍ ଦିଆଯାଇଥିଲା । ପରେ ଜଣାପଡ଼ିଥିଲା ଯେ କମ୍ପାନୀ କୌଣସି ପ୍ରାର୍ଥୀଙ୍କୁ / ଅଂଶଗ୍ରହଣକାରୀଙ୍କୁ ଅଧା ଡୋଜ ଦେବାର ପ୍ଲାନ୍ କରି ନ ଥିଲା ।

ଟିକାର ଟ୍ରାୟଲ୍ ସମୟରେ ବ୍ରିଟିଶ ଗବେଷକମାନେ ପୂରା ଡୋଜ୍ ଦେବାକୁ ଯାଉଥିଲେ, କିନ୍ତୁ ଭୁଲବଶତଃ ଅଂଶଗ୍ରହଣକାରୀମାନଙ୍କୁ ଅଧା ଡୋଜ ଦିଆଯାଇଥିଲା । ଏହି କାରଣରୁ ଗବେଷକମାନେ ଏକ ଭିନ୍ନ ଡୋଜ୍ ପ୍ୟାଟର୍ଣ୍ଣରେ ପହଞ୍ଚିଥିଲେ । ବିଶେଷଜ୍ଞମାନେ ଏହାକୁ ଏକ ଉପଯୋଗୀ ଭୁଲ ବୋଲି କହୁଛନ୍ତି, କିନ୍ତୁ କମ୍ପାନୀ ଆରମ୍ଭରେ ଏହି ଭୁଲ ବିଷୟରେ ସୂଚନା ଦେଇ ନ ଥିଲା, ଯେଉଁଥି ପାଇଁ ଏହାର ଉଦ୍ଦେଶ୍ୟ ସନ୍ଦେହଜନକ ଥିଲା ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କରୋନା ଟିକା ପାଇଁ ୫୦% ପ୍ରାଭାବର ମାନଦଣ୍ଡ ସ୍ଥିର କରିଛି, ଯାହା ଅକ୍ସଫୋର୍ଡ ଟିକା ଦ୍ୱାରା ଭଲ ଭାବରେ ପୂରଣ ହୋଇଛି । ଏହାର ନିରାପତ୍ତା ପରୀକ୍ଷଣରେ ବି ଏହି ଟିକା ସଫଳ ହୋଇଛି ଏବଂ ଏହାର ବ୍ୟବହାର ଅନେକ ଦେଶରେ ଆରମ୍ଭ ହୋଇଛି । ଅକ୍ସଫୋର୍ଡ ଭ୍ୟାକ୍ସିନର ଜରୁରୀକାଳୀନ ଅନୁମୋଦନ ପାଇଁ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (SII) ଆବେଦନ କରିଛି । SII ଆଷ୍ଟ୍ରାଜେନେକା ସହିତ ଟିକାର ପରୀକ୍ଷଣ ଓ ଉତ୍ପାଦନ ପାଇଁ ଚୁକ୍ତି କରିଥିଲା । ଭାରତରେ ଏହି ଟିକା କୋଭିଶିଲ୍ଡ (Covishield) ନାମରେ ମିଳିବ ।

ଅକ୍ସଫୋର୍ଡ ମାସକ ମଧ୍ୟରେ ଦ୍ୱିତୀୟ ଥର ପାଇଁ ପ୍ରଥମ ପର୍ଯ୍ୟାୟ ପରୀକ୍ଷଣରୁ ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ଫଳାଫଳ ପ୍ରକାଶ କରିଥିଲା । ତଥାପି ପୂର୍ବରୁ ଦିଆଯାଇଥିବା ଦେଢ଼ ଡୋଜ ବିଷୟରେ ରେଫରେନ୍ସ ଏଥିରେ ଦିଆଯାଇ ନ ଥିଲା । ଅକ୍ସଫୋର୍ଡ କେବଳ ଏହାର ଟିକାର ଦୁଇଟି ପୂରା ଡୋଜ୍ ଦେବା ଉପରେ ଗୁରୁତ୍ୱ ଦେଇଥିଲା । ଏହି ୟୁନିଭର୍ସିଟି କହିଛି ଯେ ଦେଢ଼ ଡୋଜ୍ ଓ ଦୁଇ ଡୋଜ୍ ବ୍ୟବହାର କରିବା ଏହାର ରଣନୀତିର ଏକ ଅଂଶ ଥିଲା । ଏହା ଉପରେ ପୂର୍ବରୁ ପ୍ରଶ୍ନ ଉଠିଛି, କାରଣ ଡୋଜରେ ପାର୍ଥକ୍ୟ ହେତୁ ଫଳାଫଳର ପାର୍ଥକ୍ୟ ଆସିବା ସ୍ୱାଭାବିକ କଥା । ଅକ୍ସଫୋର୍ଡ କହିଛି ଯେ ବୁଷ୍ଟର ଡୋଜ ଦିଆଯିବା ପରେ ଯେଉଁ ଫଳାଫଳ ଆସିଛି ସେଥିରୁ ସ୍ପଷ୍ଟ ହୋଇଛି ଯେ ଗୋଟିଏ ଡୋଜ୍ ତୁଳନାରେ ଆଣ୍ଟିବଡି ଶୀଘ୍ର ପ୍ରସ୍ତୁତ ହେଉଛି । ଷ୍ଟାଣ୍ଡାର୍ଡ ଡୋଜ ବ୍ୟବହାର କରାଯିବା ଉଚିତ୍ ବୋଲି ୟୁନିଭର୍ସିଟି କହିଛି ।

<br />ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନେକା ୨୩ ନଭେମ୍ବର ଦିନ ଏକ ବିବୃତ୍ତି ଜାରି କରି କହିଥିଲା ଯେ ଏହି ଟିକା (AZD1222) ବ୍ରିଟେନ ଓ ବ୍ରାଜିଲରେ କରାଯାଇଥିବା ପରୀକ୍ଷଣରେ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ଜଣାପଡ଼ିଛି । ଏହି ଟିକା ଅଧା ଡୋଜରେ ୯୦% ପର୍ଯ୍ୟନ୍ତ ପ୍ରଭାବଶାଳୀ ବୋଲି ଜଣାପଡ଼ିଥିଲା । ଏହା ପରେ ଦ୍ୱିତୀୟ ମାସରେ ପୂରା ଡୋଜ୍ ଦିଆଯିବା ପରେ ୬୨% ପ୍ରଭାବଶାଳୀ ହେଉଥିବା ଦେଖାଯଆଇଥିଲା । ଏହାର ମାସକ ପରେ ଦୁଇଟି ପୂରା ଡୋଜ୍ ଦେବା ପରେ ଟିକାର ପ୍ରଭାବ ୭୦% ଦେଖାଯାଇଥିଲା ।