ବେସହାରା ଦୁଇ ଭଉଣୀ ଆଜିକୁ ପାଖାପାଖି ଦଶ ବର୍ଷ ତଳେ ଏକ ଦୁର୍ଘଟଣାରେ ଆରପାରିକୁ ଚାଲିଯାଇଥିଲେ ଏହି ଦୁଇ ଝିଅଙ୍କ ବାପା । କିଛି ଦିନ ତଳେ ମହାମାରୀ କରୋନା ନେଇଗଲା ତାଙ୍କ ମାଆଙ୍କୁ । ଉଭୟ ବାପା ଓ ମାଆଙ୍କୁ ହରାଇ ଏବେ ଭୁବନେଶ୍ବରର ଏହି ଦୁଇ ଅନାଥ ଭଉଣୀ ଝାନସୀ ରାଣୀ ଓ ଯଶସ୍ୱିନୀ ନିଜ ମାଉସୀଙ୍କ ଘରେ ରହୁଛନ୍ତି । ମଉସାଙ୍କ ରୋଜଗାର କମ୍ ଥିବାରୁ କେମିତି ପରିବାର ଚଳାଇବେ ସେ ନେଇ ଚିନ୍ତାରେ ସମସ୍ତେ । ଜୁନ୍ ୧୮ ତାରିଖରେ ଏହି ଦୁଇ ଝିଅଙ୍କ ମା’ ବିଦେଶିନୀ ପୃଷ୍ଟି କୋଭିଡରେ ଆକ୍ରାନ୍ତ ହୋଇ ଆରପାରିକୁ ଚାଲିଗଲେ। ଭୁବନେଶ୍ୱର ଡୁମଡୁମାରେ ଏକ ଭଡ଼ା ଘରେ ରହୁଥିଲେ ବିଦେଶିନୀ । ସ୍ବାମୀଙ୍କ ମୃତ୍ୟୁ ପରେ ଏକ ବେସରକାରୀ ସଂସ୍ଥା ପକ୍ଷରୁ ମିଳୁଥିବା ପେନସନ ଟଙ୍କାରେ ଦୁଇ ପିଲାଙ୍କୁ ପଢ଼ାଇବା ସହ ପରିବାର ଚଳାଉଥିଲେ ସେ । କରୋନା ଆକ୍ରାନ୍ତ ହୋଇ ହସପିଟାଲକୁ ଯିବା ପୂର୍ବରୁ ନିଜ ଦୁଇ ଝିଅଙ୍କୁ ଆଣି ଭଉଣୀଙ୍କ ଘରେ ଛାଡ଼ିଦେଇଥିଲେ ବିଦେଶିନୀ । ହେଲେ କରୋନାରେ ତାଙ୍କର ମୃତ୍ୟୁ ହେଲା ଓ ଭଡ଼ା ଘରକୁ ଆସିଲା ତାଙ୍କ ମୃତ ଦେହ । ବିଦେଶିନୀଙ୍କ ମୃତ୍ୟୁ ପରଠାରୁ କପିଳ ପ୍ରସାଦରେ ନିଜ ମଉସା-ମାଉସୀଙ୍କ ଘରେ ଆଶ୍ରୟ ନେଇଛନ୍ତି ଦୁଇ ଭଉଣୀ । ଆଗକୁ କେମିତି ପାଠ ପଢି଼ ମଣିଷ ହେବେ ସେ ନେଇ ଚିନ୍ତାରେ ଅଛନ୍ତି ଦୁହେଁ । ବଡ଼ ଭଉଣୀ ଝାନସିରାଣୀ ପୃଷ୍ଟି ଡୁମଡୁମାର ଏକ ସରକାରୀ ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀରେ ପଢୁଛନ୍ତି । କପିଳ ପ୍ରସାଦରେ ଥିବା ବି.ଏମ୍. ସ୍କୁଲରେ ଯଶସ୍ୱିନୀ ଚତୁର୍ଥ ଶ୍ରେଣୀରେ ପଢୁଛନ୍ତି । ସେମାନଙ୍କର ମୂଳ ଘର ଖୋର୍ଦ୍ଧା ହଳଦିଆରେ। ଏହି ଦୁଇ ବାପା-ମା’ ଛେଉଣ୍ଡ ପିଲାଙ୍କ ଦାଦା ଓ ଖୁଡ଼ୀ ଗାଆଁରେ ଅଛନ୍ତି, ହେଲେ ଦୁଇ ଝିଅଙ୍କର ଗାଁକୁ ଯିବାକୁ ଇଚ୍ଛା ନାହିଁ। ସେମାନେ ଏବେ ମଉସା ଓ ମାଉସୀଙ୍କୁ ସାହାରା ଭାବରେ ଗ୍ରହଣ କରି ନେଇଛନ୍ତି । ଭୁବନେଶ୍ୱରରେ ରହି ପାଠ ପଢି଼ବେ ବୋଲି ମନସ୍ଥ କରିଛନ୍ତି । ହେଲେ ମଉସା ଅଭିମନ୍ୟୁ ସାହୁଙ୍କ ଆର୍ଥିକ ସ୍ଥିତି ଭଲ ନଥିବାରୁ ନିଜ ପରିବାର ସହ ଦୁଇ ଭଉଣୀଙ୍କୁ ଧରି କିଭଳି ସଂସାର ଚଲାଇବେ ସେ ନେଇ ଚିନ୍ତାରେ ସେମାନେ । ଶିଶୁ ମଙ୍ଗଳ ସମିତିର (ସି.ଡବ୍ଲୁ.ସି.) ଅତିରିକ୍ତ ଅଧକ୍ଷ ଡାକ୍ତର ପର୍ଶୁରାମ ମହାରଣା (ବାମ) କହିଛନ୍ତି ଯେ ଖୁବ୍ ଶୀଘ୍ର ଏହି ଦୁଇ ପିଲାଙ୍କ କାଉନସେଲିଂ କରାଯାଇ ସରକାରଙ୍କ ଆଶିର୍ବାଦ ଯୋଜନା ଅନୁସାରେ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ‘‘ସରକାର ମୋତେ କିଛି ସାହାଯ୍ୟ କଲେ ମୁଁ ଓ ମୋ’ ଆଠ-ନଅ ବର୍ଷର ସାନ ଭଉଣୀ ଦୁହେଁ ଭୁବନେଶ୍ୱରରେ ରହି ପାଠ ପଢ଼ିପାରିବୁ,’’ କହିଛନ୍ତି ଝାନସୀ ରାଣୀ ।