ବାଲେଶ୍ୱରରେ କରୋନା ଭାଇରସ୍ କାରଣରୁ ଦୁଇ ପିଲାଙ୍କ ମଥା ଉପରେ ଦୁଖଃର ପାହାଡ଼ ନଇଁ ଆସିଛି । ମାତ୍ର ୨୧ ଦିନ ମଧ୍ୟରେ ଦୁନିଆରୁ ଚାଲିଗଲେ ଯୁବ ବୟସର ପତି ଓ ପତ୍ନୀ । ପଛରେ ଛାଡ଼ିଗଲେ ଦୁଇ ପିଲାଙ୍କୁ । ଏହି କରୁଣ ଘଟଣା ଘଟିଛି ବାଲେଶ୍ବର ସହରରେ । ସେହି ଦିନରୁ ୧୩ ବର୍ଷର ଝିଅଟି ନିଜ ୭ ବର୍ଷର ଭାଇର ସବୁ ଦାୟିତ୍ୱ ନେଇଛି । ପାଖରେ ଜେଜେବାପା ଓ ଜେଜିମା’ ଥିଲେ ବି ସାନ ଭାଇଟି ଭଉଣୀ ଉପରେ ବହୁତ ନିର୍ଭର କରୁଛି । ବାଲେଶ୍ୱର ପୌରପାଳିକା ୨୭ ନମ୍ବର ୱାର୍ଡ଼ର ମାଣିଖମ୍ବର ହୋମିଓପାଥିକ୍ ଡାକ୍ତର ୩୭ ବର୍ଷୀୟ ରାଜେଶ ସିଂ ମେ ୧୨ ତାରିଖ ଦିନ କରୋନାରେ ଆଖି ବୁଜିଥିଲେ । ଠିକ୍ ୨୧ ଦିନ ପରେ ପତି ଚାଲିଯିବାର ଦୁଃଖ ସହି ନ ପାରି ତାଙ୍କ ସ୍ତ୍ରୀ ଜୁଲି ସିଂ ଆତ୍ମହତ୍ୟା କରିଥିଲେ । ବାପାମାଆଙ୍କୁ ହରାଇବା ପରେ ୧୩ ବର୍ଷୀୟା ଋତୁ କ୍ରିଷ୍ଣା ସିଂ ଓ ୭ ବର୍ଷର ଆଦିତ୍ୟ ନାରାୟଣ ସିଂ ଜେଜେ ବାପା ଓ ଜେଜେମାଙ୍କ ପାଖରେ ରହୁଛନ୍ତି । ଋତୁ ଅଷ୍ଟମ ଶ୍ରେଣୀରେ ପଢ଼େ । ଆଦିତ୍ୟ ପ୍ରଥମ ଶ୍ରେଣୀରେ ପଢ଼େ । ୭୦ ବର୍ଷୀୟ ଜେଜେବାପା ପରେଶ ଚନ୍ଦ୍ର ସିଂ ହଠାତ୍ ପୁଅବୋହୁଙ୍କୁ ହରାଇ ନିଜକୁ ବେସାହାରା ମନେ କରୁଛନ୍ତି । ୫୩ ବର୍ଷୀୟା ଜେଜେମାଆ ବିଳାସିନୀ ସିଂ ନାତିନାତୁଣୀଙ୍କ ସାହାରା ପାଲଟିଛନ୍ତି । ଏଫ୍.ସି.ଆଇ.ରୁ ଅବସର ନେଇଥିବା ପରେଶ ଚନ୍ଦ୍ର ସିଂ କହିଛନ୍ତି ଯେ ସେ ମାତ୍ର ୨,୦୦୦ ଟଙ୍କା ପେନସନ୍ ପାଆନ୍ତି । ଜୀବନର ଏହି ଅପରାହ୍ଣରେ ଦୁଇ ପିଲାଙ୍କୁ ବଡ଼ କରିବା ତାଙ୍କ ପାଇଁ ଅସମ୍ଭବ କାମ ପରି ଲାଗୁଛି ବୋଲି ସେ କହିଛନ୍ତି । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ (DCPO) ଯୁବକ ମାଝୀ ଏହି ପରିବାରକୁ ଯାଇ ଭେଟିଛନ୍ତି । ମୁଖ୍ୟ ମନ୍ତ୍ରୀଙ୍କ ଆଶିର୍ବାଦ ଯୋଜନାରେ ଏହି ଦୁଇ ପିଲାଙ୍କୁ ସାହାଯ୍ୟ ଯୋଗାଇଦିଆଯିବ ବୋଲି ସେ କହିଛନ୍ତି । କରୋନା କାରଣରୁ ରାଜ୍ୟ ଓ ଦେଶରେ ଅନାଥ ହୋଇଯାଇଥିବା ଶିଶୁମାନଙ୍କ ମଧ୍ୟରେ ସାମିଲ୍ ହୋଇଥିବା ଋତୁ ଓ ଆଦିତ୍ୟ ଆଶିର୍ବାଦ ଯୋଜନାରେ ଲାଭାନ୍ୱିତ ହୋଇ ଶିକ୍ଷିତ ଓ ସୁନାଗରିକ ହେବେ ବୋଲି ସମସ୍ତେ ଆଶା କରୁଛନ୍ତି ।