ଦିନକରେ ବଲିଉଡରେ ଚିହ୍ନଟ ହେଲେ ୯ କରୋନା ପଜିଟିଭ୍; ସେଥିରେ ୨ ଜଣ ଟିଭି ସେଲିବ୍ରିଟି ସାମିଲ
ଅମିତାଭ୍ ବଚ୍ଚନଙ୍କ (Amitabh Bachchan) ପରିବାର ସମେତ ବଲିଉଡ (Bollywood) ଓ ଟେଲିଭିଜନ ଇଣ୍ଡଷ୍ଚ୍ରୀରୁ ଆହୁରି କେତେକ ସେଲିବ୍ରିଟି କରୋନା ଭାଇରସ୍ ପଜିଟିଭ (Corona Positive) ହୋଇଥିବା ଜଣାପଡ଼ିଛି ।

ଏବେ ସମଗ୍ର ଦେଶ କରୋନା ଭାଇରସ (Coronavirus) ସମସ୍ୟା ସହ ସଙ୍ଘର୍ଷ କରୁଛି । ଗତ ପାଞ୍ଚ ମାସ ହେଲା କରୋନା ସଂକ୍ରମଣ ବଢ଼ି ବଢ଼ି ଚାଲିଛି । ଏହି ସମୟରେ ବଲିଉଡ ଓ ଟିଭି ଇଣ୍ଡଷ୍ଟ୍ରିରୁ ଅନେକ ସେଲିବ୍ରିଟି କରୋନା ପଜିଟିଭ୍ ହୋଇଥିବା ଖବର ଆସିଛି । ଶନିବାର ଦିନ ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ତାଙ୍କ ପୁଅ ଅଭିଷେକ ବଚ୍ଚନ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ତାଙ୍କୁ ତୁରନ୍ତ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ଚିକିତ୍ସା ଜାରି ରହିଛି । ଏହା ପରେ ବଚ୍ଚନ ପରିବାରର ଆଉ ଦୁଇ ଜଣ ବ୍ୟକ୍ତି କରୋନା ପଜିଟିଭ୍ ହୋଇଥିବା ଜଣାପଡିଥିଲା ।

ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକ ବଚ୍ଚନଙ୍କ ପରେ ଐଶ୍ୱର୍ଯ୍ୟା ରାୟ ଓ ତାଙ୍କ ଝିଅ ଆରାଧ୍ୟା କରୋନା ପଜିଟିଭ୍ ହୋଇଥିଲେ । ଅଭିଷେକ ବଚ୍ଚନ ନିଜେ ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ଏହି ସୂଚନା ଦେଇଥିଲେ । ବଚ୍ଚନ ପରିବାରରେ ଏ ପର୍ଯ୍ୟନ୍ତ ଚାରି ଜଣ ସଦସ୍ୟ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ଅମିତାଭ ଓ ଅଭିଷେକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଐଶ୍ୱର୍ଯ୍ୟା ଓ ତାଙ୍କ ଝିଅ ଘରେ କ୍ୱାରାଣ୍ଟାଇନରେ ଅଛନ୍ତି ।

ଅଭିନେତା ଅନୁପମ ଖେରଙ୍କ ଘରେ ମଧ୍ଯ ୪ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ତାଙ୍କ ମା’ ଦୁଲାରୀ ଖେର, ଭାଇ ରାଜୁ ଖେର, ଭାଉଜ ଓ ଭାଣିଜୀ କରୋନା ପଜିଟିଭ୍ ହୋଇଥିବା ଜଣାପଡିଛି । ଅନୁପମ ଖେର ନିଜେ ଏକ ଭିଡିଓ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି ।

ଇମ୍ରାନ ହାସମୀଙ୍କ ଫିଲ୍ମ ‘ଉଙ୍ଗଲୀ’ରେ କାମ କରିଥିବା ଅଭିନେତ୍ରୀ ରେଚେଲ୍ ହ୍ଵାଇଟ୍ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ସେ ବଙ୍ଗାଳୀ ସିନେମାର ଏକ ଜଣାଶୁଣା ଅଭିନେତ୍ରୀ।

ଏକତା କପୁରଙ୍କ ବାଲାଜୀ ଟେଲି ଫିଲ୍ମ୍ସର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷା ତନୁଶ୍ରୀ ଦାସଗୁପ୍ତା ମଧ୍ୟ କରୋନା ପଜିଟିଭ୍ ହୋଇଥିବା ଜଣାପଡ଼ିଛି । ସେ ଏହା ଜାଣିବା ମାତ୍ରେ ହିଁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ନିଜ ସ୍ୱାସ୍ଥ୍ୟ ବିଷୟରେ ସୂଚନା ଦେଇ ସେ କହିଛନ୍ତି ଯେ ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି ।