News18 Odia Digital
ମୁମ୍ବାଇ: ୟେସ ବ୍ୟାଙ୍କ୍ ଲିମିଟେଡ୍ ହେଉଛି – ବା କେଇ ଘଣ୍ଟା ପୂର୍ବରୁ ଥିଲା – ଭାରତର ପଞ୍ଚମ ବୃହତ୍ତମ ବେସରକାରୀ ବ୍ୟାଙ୍କ୍ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ଠାରୁ ଆସିଥିବା ଏକ ଆବେଦନ ଉପରେ ବିଚାର କରିବା ପରେ କେନ୍ଦ୍ର ସରକାର ଏହି ବ୍ୟାଙ୍କର କାର୍ଯ୍ୟକୁ ସ୍ଥଗିତ ରଖିବାର ନିର୍ଦ୍ଦେଶ ଦେଇଛନ୍ତି ।
ଆରବିଆଇ ସ୍ପଷ୍ଟ କରିଛି ଯେ ୟେସ୍ ବ୍ୟାଙ୍କ୍ ପାଖରେ ଏକ ବିଶ୍ବସନୀୟ ପୂନରୁଦ୍ଧାର ଯୋଜନା ନ ଥିବାରୁ ଓ ସେହି ବ୍ୟାଙ୍କର ଜମାକାରୀଙ୍କ ସ୍ବାର୍ଥରେ ବ୍ୟାଙ୍କିଂ ରେଗୁଲେସନ ଆକ୍ଟ, ୧୯୪୯ର ଧାରା ୪୫ ଅନୁଯାୟୀ ସେହି ବ୍ୟାଙ୍କ୍ ଉପରେ ଉପରେ ସ୍ଥଗିତାଦେଶ ଜାରି କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଆବେଦନ ଦେଇଥିଲା । ସେହି ଅନୁସାରେ କେନ୍ଦ୍ର ସରକାର ମାର୍ଚ୍ଚ ୫ ତାରିଖ ଦିନ୬ଟା ଠାରୁ ଆରମ୍ଭ କରି ଏପ୍ରିଲ୍ ୩ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କ୍ ଉପରେ ରହିତାଦେଶ ଜାରି କରିଥିଲେ ।
ଏହି ରହିତାଦେଶ ଅବଧିରେ ୟେସ୍ ବ୍ୟାଙ୍କ ଉପରେ ୧୦ଟି ପ୍ରମୁଖ ପ୍ରତିବନ୍ଧକ ଲଗାଯାଇଛି:
୧. ୟେସ୍ ବ୍ୟାଙ୍କ କୌଣସି ଜମାକାରୀଙ୍କୁ ସେମାନଙ୍କର କୌଣସି ସେଭିଙ୍ଗସ, କରେଣ୍ଟ ବା ଅନ୍ୟ କୌଣସି ଜମା ଖାତାରେ ଥିବା ଟଙ୍କାରୁ ୫୦,୦୦୦ ଟଙ୍କାରୁ ବେଶୀ ଦେଇପାରିବ ନାହିଁ ।
୨. ଏପରିକି ଯଦି ଜଣେ ଜମାକାରୀ ୟେସ୍ ବ୍ୟାଙ୍କରେ ଗୋଟେରୁ ବେଶୀ ଆକାଉଣ୍ଟ ରଖିଛନ୍ତି, ତାହେଲେ ବି ତାଙ୍କର ସମସ୍ତ ଆକାଉଣ୍ଟରୁ ମୋଟ ୫୦,୦୦୦ ଟଙ୍କାରୁ ଅଧିକ ରାଶି ତାଙ୍କୁ ଦିଆଯିବ ନାହିଁ ।
୩. ୟେସ୍ ବ୍ୟାଙ୍କର କୌଣସି ଜମାକାରୀଙ୍କୁ ଯଦି ବ୍ୟାଙ୍କକୁ କୌଣସି ପ୍ରକାରେ ଦେୟ ଦେବାର ଥାଏ, ତାହେଲେ ସେ ଉଠେଇବାକୁ ଚ଼ାହୁଁଥିବା ରାଶିରୁ ତାଙ୍କର ଥିବା ଦେୟକୁ କାଟି ନାବା ପରେ ହିଁ ବାକି ଟଙ୍କା ଦିଆଯିବ ।
୪. କୌଣସି ଜମାକାରୀଙ୍କ ଦ୍ବାରା ୫୦,୦୦୦ ଟଙ୍କାରୁ ଅଧିକ ଉଠେଇବା ପାଇଁ ଆରବିଆଇର ଅନୁମତି ଆବଶ୍ୟକ ହେବ । ସେହି ଉଠାଇବା ରାଶି ୫ ଲକ୍ଷ୍ୟ ଟଙ୍କାରୁ ଅଧିକ ବା ଆକାଉଣ୍ଟରେ ଥିବା ଜମା ରାଶିର ପରିମାଣ ଯାରୁ ବେଶୀ ହୋଇପାରିବ ନାହିଁ ।
୫. ଗୁରୁବାର ରାତି ୮ଟାରୁ ୟେସ୍ ବ୍ୟାଙ୍କ କୌଣସି ଋଣ ଦେଇ ପାରିବ ନାହିଁ ବା ଋଣ ନବୀକରଣ କରିପାରିବ ନାହିଁ, କୌଣସି ବିନିଯୋଗ କରିବ ନାହିଁ । କେବଳ ପୂର୍ବରୁ ପ୍ରାପ୍ତ ହୋଇଥିବା ବିଲଗୁଡ଼କ ପରିଶୋଧ କରିପାରିବ.
୬. ୟେସ୍ ବ୍ୟାଙ୍କ ନିଜର କୌଣସି ସମ୍ପତ୍ତିକୁ ହସ୍ତାନ୍ତର କରିବା ପାଇଁ କୌଣସି ଚୁକ୍ତିନାମା କିମ୍ବା ଆପୋଷ ବୁଝାମଣା କରିପାରିବ ନାହିଁ ।
୭. ୟେସ୍ ବ୍ୟାଙ୍କ କେବଳ କର୍ମଚାରୀଙ୍କ ବେତନ, ଭଡ଼ା, କର ବା ଶୁଳ୍କ, ପ୍ରିଣ୍ଟିଂ, ଷ୍ଟେସନାରୀ ଓ ଆଇନଗତ ଖର୍ଚ୍ଚ ବାବଦରେ ଖର୍ଚ୍ଚ କରିପାରିବ । ପ୍ରତ୍ୟେକ କ୍ଷେତ୍ରରେ ଏହି ଖର୍ଚ୍ଚ ୫୦,୦୦୦ ଟଙ୍କାରୁ ଅଧିକ ହେବ ନାହିଁ ।
୮. ୟେସ୍ ବ୍ୟାଙ୍କକୁ ଉଧାରକାରୀଙ୍କ ଦ୍ବାରା ନିଆଯାଇଥିବା ଋଣ ବିରୁଦ୍ଧରେ ବନ୍ଧକ ରଖିଥିବା କୌଣସି ଦ୍ରବ୍ୟ କିମ୍ବା ପ୍ରତିଶୃତିକୁ ମୁକ୍ତ କରିବା ପାଇଁ ଅନୁମତି ଦିଆଯାଇଛି ।
୯. ଆରବିଆଇ ୟେସ୍ ବ୍ୟାଙ୍କର ବୋର୍ଡକୁ ୫ ମାର୍ଚ୍ଚରୁ ୩୦ ଦିନ ପର୍ଯ୍ୟନ୍ତ ନିଲମ୍ବନ କରିଛି ।
୧୦. ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବତନ ଡେପୁଟି ମାନେଜିଂ ଡାଇରେକ୍ଟର ତଥା ସିଏଫଓ ପ୍ରଶାନ୍ତ କୁମାରଙ୍କୁ ୟେସ୍ ବ୍ୟାଙ୍କର ପ୍ରଶାସକ ଭାବେ ନିଯୁକ୍ତି କରାଯାଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।