ୟେସ୍ ବ୍ୟାଙ୍କର ପ୍ରତିଷ୍ଠାତା ଓ ପୂର୍ବ MD ରାଣା କପୁର ଗିରଫ; ଗଲା ବର୍ଷ ୧୨୮ କୋଟି ଟଙ୍କାର ଘର କିଣିଥିଲେ

କେର୍ପୋରେଟ୍ ସେକ୍ଟରରେ ରାଣା କପୁରଙ୍କର ଏକ ଦୃଢ଼ ନେଟୱର୍କ୍ ରହିଛି । ସେ ଏମିତି କେତେକ କମ୍ପାନୀକୁ ପୁଞ୍ଜି ସହାୟତା କରିଥିଲେ ଯେଉଁମାନଙ୍କୁ ଅନ୍ୟ ବ୍ୟାଙ୍କମାନେ ଋଣ ଦେବାକୁ ଅନିଚ୍ଛା ପ୍ରକାଶ କରିଥିଲେ । ଦିନେ ମାଷ୍ଟରଷ୍ଟ୍ରୋକ୍ ଭାବେ ପରିଗଣିତ ହୋଇଥିବା ଏହି ପଦକ୍ଷେପ ବର୍ତ୍ତମାନ ୟେସ୍ ବ୍ୟାଙ୍କ ପାଇଁ ସବୁଠୁ ଖରାପ ସ୍ଥିତି ଆଣିଛି ।

ରାଣା କପୁର ଓ (ଡାହାଣ) ସେ ପ୍ରତିଷ୍ଠା କରିଥିବା ବ୍ୟାଙ୍କର ଏକ ଶାଖା

ରାଣା କପୁର ଓ (ଡାହାଣ) ସେ ପ୍ରତିଷ୍ଠା କରିଥିବା ବ୍ୟାଙ୍କର ଏକ ଶାଖା

  • Share this:
News18 Odia Digital

ମୁମ୍ବାଇ/ନୂଆ ଦିଲ୍ଲୀ: ୟେସ୍ ବ୍ୟାଙ୍କରେ (Yes Bank) ଆସିଥିବା ସଙ୍କଟ ମାମଲାରେ ସେହି ବ୍ୟାଙ୍କର ପୂର୍ବତନ ପ୍ରମୋଟର ତଥା ପ୍ରତିଷ୍ଠାତା ରାଣା କପୁରଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (Enforcement Directorate) ଚ଼ଢ଼ାଉ କରିଛି । ଆଜି ତାଙ୍କୁ ଗିରଫ କରାଯାଇଛି ବୋଲି CNBTC-TV18 କୁ ସୂଚ଼ନା ମିଳିଛି ।

ସୂତ୍ରଙ୍କ ଅନୁସାରେ ଇଡି (ED)ର ମୁମ୍ବାଇ କାର୍ଯ୍ୟାଳୟରେ ରାଣା କପୁରଙ୍କୁ ଲଗାତାର ପଚ଼ରାଉଚ଼ରା କରାଯାଉଛି । ୟେସ୍‌ ବ୍ୟାଙ୍କର ପ୍ରତିଷ୍ଠାତା ତଥା ଏହି ସଙ୍କଟ ଉଜାଗର ହେବା ପୂର୍ବରୁ ଥିବା ସିଇଓ ରାଣା କପୁରଙ୍କ ବିରୁଦ୍ଧରେ ଇଡି ଏକ ଅର୍ଥ ହେରଫେର (ମନି ଲଣ୍ଡରିଂ) ମାମଲା ରୁଜୁ କରିଛି । ଗତ ୧୨ ଘଣ୍ଟାରୁ ଅଧିକ ସମୟ ଧରି ରାଣା କପୁରଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଇଡି ଚ଼ଢ଼ାଉ ଜାରି ରଖିଛି ।

ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ (RBI) ରାଣା କପୁରଙ୍କୁ ଅଗଷ୍ଟ ୨୦୧୮ରେ ୟେସ୍‌ ବ୍ୟାଙ୍କରେ ନିଜ ପଦରୁ ଇସ୍ତଫା ଦେବା ପାଇଁ କହିଥିଲେ । ସେ ୨୦୧୯ ଜାନୁଆରୀ ୩୧ରେ ସେହି ପଦ ଛାଡିଥିଲେ ।

ଅନୁସନ୍ଧାନକାରୀ ସଂସ୍ଥା ଇଡି ରାଣାଙ୍କ ବିରୋଧରେ ଶୁକ୍ରବାର ଦିନ ଏକ ଲୁକ୍‌ ଆଉଟ୍‌ ନୋଟିସ ଜାରି କରିଥିଲା । ଏହା ପରେ ରାଣା ଶନିବାର ମୁମ୍ବାଇର ଇଡି କାର୍ଯ୍ୟାଳୟକୁ ଯାଇଥିଲେ । ଏବେ ବି ରାଣାଙ୍କ ସହିତ ଏଡିର ଏକ ଟିମ୍‌ ପଚ଼ରାଉଚ଼ରା ଜାରି ରଖିଛି ।

ବିଗତ କିଛି ବର୍ଷ ମଧ୍ୟରେ ୟେସ୍ ବ୍ୟାଙ୍କର ପରିଚ଼ାଳନା ଉପରେ ନିରନ୍ତର ପ୍ରଶ୍ନ ଚି଼ହ୍ନ ରହିଆସିଛି । ସେଥି ପାଇଁ ବ୍ୟାଙ୍କର ବଜାର ପୁଞ୍ଜିକରଣ (market capitalization) ରେ କ୍ରମାଗତ ହ୍ରାସ ଦେଖିବାକୁ ମିଳିଛି ।

କେର୍ପୋରେଟ୍ ସେକ୍ଟରରେ ରାଣା କପୁରଙ୍କର ଏକ ଦୃଢ଼ ନେଟୱର୍କ୍‌ ରହିଛି । ବ୍ୟାଙ୍କ ପାଇଁ ଅନେକ ଗୁରୁତ୍ବପୂର୍ଣ୍ଣ କାରବାର ଚ଼ୁକ୍ତି କରେଇବାରେ କପୁର ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେ ଏମିତି କିଛି କମ୍ପାନୀଗୁଡ଼ିକୁ ପୁଞ୍ଜି ସହାୟତା ପ୍ରଦାନ କରିଥିଲେ ଯେଉଁମାନଙ୍କୁ ଅନ୍ୟ ବ୍ୟାଙ୍କମାନେ ଋଣ ଦେବାକୁ ଅନିଚ୍ଛା ପ୍ରକାଶ କରିଥିଲେ । କିନ୍ତୁ ଦିନେ ମାଷ୍ଟରଷ୍ଟ୍ରୋକ ଭାବେ ବିବେଚ଼ନା କରାଯାଇଥିବା ଏହି ପଦକ୍ଷେପ ବର୍ତ୍ତମାନ ୟେସ୍ ବ୍ୟାଙ୍କ ପାଇଁ ସବୁ ଠାରୁ ଖରାପ ପରିସ୍ଥିତି ସୃଷ୍ଟି କରିଛି ।

୨୦୦୩ରେ ୟେସ୍‌ ବ୍ୟାଙ୍କ୍‌ ପାଇଁ ଲାଇସେନ୍ସ ପାଇଥିବା କପୁର ୨୦୦୪ରେ ସାରା ଦେଶରେ ଜୋରସୋରରେ ନିଜର ଏହି ବ୍ୟାଙ୍କ ଆରମ୍ଭ କରିଥିଲେ, କିନ୍ତୁ ମାତ୍ର ୧୬ ବର୍ଷରେ ହିଁ ତାଙ୍କ ବ୍ୟାଙ୍କ୍‌ ନଷ୍ଟ ହୋଇଗଲା । ଫୋବର୍ସ ପତ୍ରିକା ଉଦୟ କୋଟାକଙ୍କ ପରେ ରାଣା କପୁରଙ୍କୁ ଭାରତର ଦ୍ବିତୀୟ ଧନୀ ବ୍ୟାଙ୍କ୍‌ ମାଲିକ ଆଖ୍ୟା ଦେଇଥିଲା । ୨୦୧୮ରେ କପୁରଙ୍କ ସମ୍ପତ୍ତି ୧.୩ ବିଲିୟନ ଡ଼ଲାର ଥିଲା । ସେ ବର୍ଷ ମୁମ୍ବାଇରେ ୧୨୮ କୋଟି ଟଙ୍କାର ଏକ ଭବ୍ୟ ଘର କିଣିଥିଲେ ।

୨୦୧୮ରେ ଇକେନୋମିକ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ରାଣା କପୁର ମୁମ୍ବାଇର ଆଲ୍ଟମାଉଣ୍ଟ ରୋଡରେ ୧୨୮ କୋଟି ଟଙ୍କାର ଏକ ଘର କିଣିଥିଲେ । ଏହି ବିଶାଳ ବଙ୍ଗଳାର ପାଖ ବଙ୍ଗଳାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମାଲିକ ମୁକେଶ ଅମ୍ବାନୀ ରହନ୍ତି । ଭାରତର ଅନ୍ୟ ଜଣେ ବଡ ବ୍ୟବସାୟୀ କୁମାର ମଙ୍ଗଲମ ବିର୍ଲା ମଧ୍ୟ ଏହି ଇଲାକାରେ ରହନ୍ତି । ୨୦୧୮ରେ ଇକେନୋମିକ ଟାଇମ୍ସକୁ ରାଣା କହିଥିଲେ ଯେ ଏହି ଘର କେବଳ ସେ ନୁହେଁ ତାଙ୍କ ପରିବାର କିଣିଛନ୍ତି । ପରେ ସେହି ଘରକୁ ଭାଙ୍ଗି ତା’ ସ୍ଥାନରେ କପୁର ଏକ ନୂଆ ବଙ୍ଗଳା ବନେଇଥିଲେ ।

ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ରାଣା ଆମେରିକାରୁ ଏମ୍‌.ବି.ଏ. (MBA) ଡିଗ୍ରୀ ହାସଲ କରିଥିଲେ । ତା’ ପର ଠାରୁ ସେ ଲଗାତର ବ୍ୟାଙ୍କିଂ ସେକ୍ଟର ସହ ଯୋଡ଼ି ରହିଛନ୍ତି । ସେ ବ୍ୟାଙ୍କ ଅଫ ଆମେରକାରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ସେଠି ସେ ପାଖାପାଖି ୧୬ ବର୍ଷ କାର୍ଯ୍ୟ କରିଥିଲେ । ସେ ୨୦୦୪ରେ ୟେସ୍ ବ୍ୟାଙ୍କ ଆରମ୍ଭ କରିଥିଲେ । ତାଙ୍କ ଜଣେ ବିଜନେସ୍‌ ସହଯୋଗୀ ଅଶୋକ କପୁରଙ୍କର ୨୦୦୮ରେ ମୁମ୍ବାଇ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ହୋଇଯାଇଥିଲା । ରାଣାଙ୍କ ଜଣେ ଝିଅ ରାକ୍ଷୀ କପୂର ବି ଏହି ବ୍ୟାଙ୍କରେ ଏକ ବଡ଼ ପଦରେ କାର୍ଯ୍ୟ କରୁଥିଲେ ।
Published by:Anand Shankar Thankur Das
First published: