World Test Championship: ଶିଖର ଧାୱନ ଖେଳିପାରନ୍ତି ଫାଇନାଲ; ଶୁବମନ ଗିଲ ଖେଳିବାକୁ ନେଇ ସନ୍ଦେହ!
World Test Championship: ୧୮ ଜୁନ୍ ରୁ ୨୨ ଜୁନ୍ ମଧ୍ୟରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚମ୍ପିୟାନସିପର ଫାଇନାଲ୍ ମ୍ୟାଚ ଖେଳାଯିବ । ଭାରତୀୟ ଦଳ ବର୍ତ୍ତମାନ ଆଇସିସି ଟେଷ୍ଟ ମାନ୍ୟତାରେ ଏକ ନମ୍ବର ସ୍ଥାନ ଅଧିକାର କରିଛି ଓ ନ୍ୟୁଜିଲ୍ୟାଣ୍ଡ ଦଳ ଦ୍ୱିତୀୟ ସ୍ଥାନରେ ରହିଛି ।
ଶିଖର ଧାୱନ ଖେଳିପାରନ୍ତି ଫାଇନାଲ
- News18 Odia
- Last Updated: May 6, 2021, 2:19 PM IST
ନୂଆ ଦିଲ୍ଲୀ: ଆଇପିଏଲ ୨୦୨୧ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି । ବର୍ତ୍ତମାନ ଭାରତୀୟ ଦଳକୁ ଆସନ୍ତା ମାସ ୧୮ ରୁ ୨୨ ଜୁନ୍ ମଧ୍ୟରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଅନ୍ତିମ ମ୍ୟାଚ୍ ଖେଳିବାକୁ ପଡିବ । ଭାରତୀୟ ଦଳ ବର୍ତ୍ତମାନ ଆଇସିସି ଟେଷ୍ଟ ମାନ୍ୟତାରେ ଏକ ନମ୍ବର ସ୍ଥାନ ଅଧିକାର କରିଛି ଓ ନ୍ୟୁଜିଲ୍ୟାଣ୍ଡ ଦଳ ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ଏଭଳି ପରିସ୍ଥିତିରେ WTC ଫାଇନାଲ ଜବରଦସ୍ତ ହେବ ବୋଲି ଆଶା କରାଯାଉଛି । ଭାରତୀୟ ଦଳରେ ଚେତେଶ୍ୱର ପୂଜାରା, ବିରାଟ କୋହଲି, ଜସପ୍ରୀତ ବୁମ୍ରା, ରବିଚନ୍ଦ୍ରନ ଅଶ୍ୱିନଙ୍କ ଭଳି ମ୍ୟାଚ ବିଜେତା ଥିବାବେଳେ ନ୍ୟୁଜିଲ୍ୟାଣ୍ଡ ଦଳରେ କେନ ୱିଲିୟମସନ, ରସ ଟେଲର, ଟ୍ରେଣ୍ଟ ବୋଲ୍ଟ ଓ ଟିମ ସାଉଥୀ ଭଳି ମ୍ୟାଚ ବିଜେତା ଅଛନ୍ତି ।
ଶୁବମନ ଗିଲ ଫର୍ମରେ ନାହାଁନ୍ତି
ଇଂଲଣ୍ଡ ବିପକ୍ଷ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଗିଲ୍ ହାରାହାରି ୧୯.୮୦ ରେ ମାତ୍ର ୧୧୯ ରନ୍ ସଂଗ୍ରହ କରିବାରେ ସଫଳ ହୋଇଥିଲେ । ତାଙ୍କର ଖରାପ ପ୍ରଦର୍ଶନ ଆଇପିଏଲ ୨୦୨୧ ରେ ମଧ୍ୟ ଜାରି ରହିଲା । ଆଇପିଏଲରେ କୋଲକାତା ନାଇଟ୍ ରାଇଡର୍ସ ତରଫରୁ ଓପନର୍ ଭାବେ ସାତୋଟି ମ୍ୟାଚରେ ହାରାହାରି ୧୮.୮୫ ରେ ମାତ୍ର ୧୩୨ ରନ୍ ସ୍କୋର କରିବାରେ ସଫଳ ହୋଇଥିଲେ । ଏଭଳି ପରିସ୍ଥିତିରେ ତାଙ୍କ ବଦଳରେ ଶିଖର ଧାୱନ କିମ୍ବା ପୃଥ୍ବୀ ଶ ସ୍ଥାନ ପାଇପାରନ୍ତି । ଶିଖର ଧାୱନ ହାରାହାରି ୫୪.୨୮ ରେ ଆଠଟି ମ୍ୟାଚରେ ୩୮୦ ରନ୍ ସ୍କୋର କରି ଚଳିତ ଆଇପିଏଲରେ ସର୍ବାଧିକ ସ୍କୋରର ରହିଛନ୍ତି । ଏଥି ସହିତ ପୃଥ୍ବୀ ଶ ୧୬୬.୪୮ ଷ୍ଟ୍ରାଇକ୍ ହାରରେ ଆଠଟି ମ୍ୟାଚ୍ ରେ ୩୦୮ ରନ୍ ସଂଗ୍ରହ କରିଛନ୍ତି । ଉଭୟ ଖେଳାଳି ତିନୋଟି ଲେଖାଏଁ ଅର୍ଦ୍ଧଶତକ ହାସଲ କରିଛନ୍ତି ।
ତିନି ବର୍ଷ ପୂର୍ବେ ନିଜର ଶେଷ ଟେଷ୍ଟ ଖେଳିଥିଲେ ଧାୱନ
ଥରେ ତିନିଟି ଫର୍ମାଟରେ ଭାରତୀୟ ଦଳ ପାଇଁ ଖୋଲିଥିବା ଶିଖର ଧାୱନ ୨୦୧୮ ପରଠାରୁ ଭାରତୀୟ ଟେଷ୍ଟ ଦଳରୁ ବାଦ ପଡିଛନ୍ତି । ୨୦୧୮ ରେ ଇଂଲଣ୍ଡ ଗସ୍ତରେ ଖରାପ ପ୍ରଦର୍ଶନ ପରେ ସେ ଦଳରୁ ଓହରି ଯାଇଥିଲେ । ତାଙ୍କ ସ୍ଥାନରେ ମୟଙ୍କ ଅଗ୍ରୱାଲ ଓ ଗିଲ ନିଜର ସ୍ଥାନ ପକ୍କା କରିଥିଲେ । ଶିଖର ଧାୱନ ହାରାହାରି ୪୦.୬୧ ରେ ୩୪ ଟି ଟେଷ୍ଟରେ ୨୩୧୫ ରନ୍ ସଂଗ୍ରହ କରିଛନ୍ତି । ତାଙ୍କ ନାମରେ ସାତଟି ଶତକ ଓ ପାଞ୍ଚଟି ଅର୍ଦ୍ଧ ଶତକ ରହିଛି । ରୋହିତ ଶର୍ମାଙ୍କ ସହ ତାଙ୍କର ଅଭିଜ୍ଞତା ଦୃଷ୍ଟିରେ ରଖି ୩୫ ବର୍ଷୀୟ ଧାୱନଙ୍କୁ ଫାଇନାଲରେ ଖେଳିବାକୁ ସୁଯୋଗ ମିଳିପାରେ ।






