News18 Odia Digital
ସିଡନୀ/ନୂଆ ଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ବାରା ପ୍ରକାଶିତ ମହିଳା କ୍ରିକେଟ ଖେଳାଳିଙ୍କ ଟି-୨୦ ଆନ୍ତର୍ଜାତୀୟ ରାଙ୍କିଙ୍ଗ ତାଲିକାରେ ଶୀର୍ଷ ସ୍ଥାନ ହାସଲ କରିଥିବା ୧୬ ବର୍ଷିୟା ଭାରତୀୟ କ୍ରିକେଟର ଶେଫଳି ବର୍ମା ଏବେ ପେପସୀ କୋଲାର ବିଜ୍ଞାପନରେ ଦେଖିବାକୁ ମିଳିବେ । ଏହା କୌଣସି ବଡ଼ ବ୍ରାଣ୍ଡ୍ ସହ ଶେଫାଳିଙ୍କର ପ୍ରଥମ ଚ଼ୁକ୍ତି ।
ଅଷ୍ଟ୍ରେଲିଆରେ ଚ଼ାଲିଥିବା ମହିଳା ଟି-20 ବିଶ୍ବ କପରେ ଚ଼ମତ୍କାର ପରର୍ଶନ କରି ଚ଼ର୍ଚ୍ଚାକୁ ଆସିଥିବା ଶେଫାଳି ବର୍ମାଙ୍କୁ ପେପସୀ କମ୍ପାନୀ ବର୍ଷକ ପାଇଁ ଚ଼ୁକ୍ତିବଦ୍ଧ କରିଥିବା ଜଣାପଡ଼ିଛି । ଶେଫାଳୀ ହେଉଛନ୍ତି ଭାରତୀୟ ପୁରୁଷ ଓ ମହିଳା କ୍ରିକେଟ ଦଳର ସର୍ବକନିଷ୍ଠ ଖେଳାଳି । ସେ ଏବେ ଆଇସିସି ଖେଳାଳୀ ରାଙ୍କିଙ୍ଗ ଟେବୁଲରେ ୧ ନମ୍ବର ସ୍ଥାନରେ ଅଛନ୍ତି । ସେ ୧୯ଟି ସ୍ଥାନ ଡେଇଁ ନ୍ୟୁଜିଲ୍ୟାଣ୍ଡର ଅଧିନାୟିକା ସୁଜି ବେଟ୍ସଙ୍କୁ ପଛରେ ପକାଇ ୭୬୧ ପଏଣ୍ଟ ସହ ଶୀର୍ଷ ସ୍ଥାନ ହାସଲ କରିଛନ୍ତି ।
ଅଷ୍ଟ୍ରେଲିଆରେ ଚ଼ାଲିଥିବା ମହିଳା ଟି-୨୦ ବିଶ୍ବ କପରେ ଶେଫାଳୀ ଶ୍ରେଷ୍ଠ ପଦର୍ଶନକାରୀଙ୍କ ମଧ୍ୟରୁ ଜଣେ ଥିଲେ । ଏ ପର୍ଯ୍ୟନ୍ତ ସେ ହାରାହାରି ୪୦.୪୫ ରନ୍ ସହ ଚ଼ାରିଟି ମ୍ୟାଚରୁ ୧୬୧ ରନ ସଂଗ୍ରହ କରିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ ସମସ୍ତ ବ୍ୟାଟରଙ୍କ ଠାରୁ ତାଙ୍କର ଷ୍ଟ୍ରାଇକ୍ ରେଟ୍ ସର୍ବାଧିକ ରହିଛି । ପ୍ରାରମ୍ଭିକ ଖେଳାଳି ଭାବେ ତାଙ୍କର ଅବଦାନ ଯୋଗୁଁ ଭାରତୀୟ ଦଳ ଟୁର୍ଣ୍ଣାମେଣ୍ଟରେ ଅପରାଜିତ ରହିଛି । ମିତାଲି ରାଜଙ୍କ ପରେ ସେ ହେଉଛନ୍ତି ଦ୍ବିତୀୟ ଭାରତୀୟ ଖେଳାଳି ଯିଏ ଟି-୨୦ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।
ଗତ ବର୍ଷ ସେପ୍ଟେମ୍ବରରେ ସୁରଟରେ ଶେଫାଳୀ ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜର ପ୍ରଥମ ମ୍ୟାଚ଼ ଖେଳିଥିଲେ । ସେତେବେଳେ ସେ ଭାରତୀୟ ଦଳ ପାଇଁ ଖେଳୁଥିବା ସର୍ବକନିଷ୍ଠ କ୍ରିକେଟର ହେବାର ରେକର୍ଡ଼ କରିଥିଲେ । ଛଅ ମାସରୁ କମ୍ ସମୟ ମଧ୍ୟରେ ସେ ଟି-୨୦ରେ ଶୀର୍ଷ ସ୍ଥାନରେ ପହଞ୍ଚି ପାରିଛନ୍ତି । ଆଇସିସିର ଟି-୨୦ ରାଙ୍କିଙ୍ଗରେ ସଭା ଉପରେ ରହିବାରେ ସେ ହେଉଛନ୍ତି ସର୍ବକନିଷ୍ଠ ଭାରତୀୟ ଖେଳାଳି ।

ଶେଫାଳୀ ବର୍ମା
ସେ ଏ ପର୍ଯ୍ୟନ୍ତ ମୋଟ ୧୮ଟି ମ୍ୟାଚ୍ ଖେଳି ୨୮.୫୨ ଆଭେରେଜ ସହ ୪୮୫ ରନ୍ କରିଛନ୍ତି । ଏଥିରେ ସେ ୧୪୬.୯୬ ଷ୍ଟ୍ରାଇକ୍ ରେଟ ସହ ଦୁଇଟି ଅର୍ଦ୍ଧ ଶତକ ମାରଛନ୍ତି । ଆସନ୍ତା ରବିବାର ମେଲବର୍ଣ୍ଣରେ ମହିଳା ଟି-୨୦ ବିଶ୍ବ କପର ଫାଇନାଲ ମ୍ୟାଚ଼ ଖେଳାଯିବାକୁ ଥିବା ବେଳେ ଶେଫାଳୀଙ୍କ ଉପରେ ସମସ୍ତଙ୍କ ନଜର ରହିଛି ।
ପେପସି କୋ ପାନୀୟ କମ୍ପାନୀ ନିକଟରେ ବଲିଉଡ ତାରକା ସଲମାନ ଖାନଙ୍କୁ ଦୁଇ ବର୍ଷ ପାଇଁ ବ୍ରାଣ୍ଡ ଆମ୍ବାସାଡର୍ ଭାବେ ସ୍ୱାକ୍ଷରିତ କରିଛି । ଭାରତୀୟ ମହିଳା ଦଳର କିଛି ବରିଷ୍ଠ ଖେଳାଳି – ମିତାଲି ରାଜ, ସ୍ମୃତି ମନ୍ଧାନା ଓ ହରମାନପ୍ରୀତ କୌର – ନିକଟରେ ଅନେକ ବ୍ରାଣ୍ଡ୍ ସହିତ ଚ଼ୁକ୍ତି ସ୍ୱାକ୍ଷରିତ କରିଛନ୍ତି । ମନ୍ଧାନାଙ୍କ ପାଖରେ ହିରୋ ମୋଟୋକର୍ପ (ବ୍ୟାଟ୍ ପ୍ରାୟୋଜକ), ବାଟାର କ୍ରୀଡ଼ା ପୋଷାକ ବ୍ରାଣ୍ଡ ପାୱାର୍ ଓ ଆମଷ୍ଟ୍ରାଡ୍ ଇଣ୍ଡିଆ ସମେତ ପାଞ୍ଚଟି ବଡ଼ ବିଜ୍ଞାପନ ଅଛି । ହରମାନପ୍ରୀତ କୌର ଟାୟାର୍ କମ୍ପାନୀ ସିଆଟ୍ ସହିତ ଚ଼ୁକ୍ତି ସ୍ୱାକ୍ଷରିତ କରିଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।