News18 Odia Digital
ଦୁନିଆର ସବୁଠୁ ଅପରିଷ୍କାର ବ୍ୟକ୍ତି ଆମୌ ହାଜିଙ୍କର ୯୪ବର୍ଷ ବୟସରେ ମୃତ୍ୟୁ ହୋଇଛି। ବାସ୍ତବରେ, ହାଜି ପାଣିକୁ ଭୟ କରୁଥିଲେ ଓ କିଛି ଦିନ ପୂର୍ବରୁ ଗାଁର କିଛି ଲୋକ ତାଙ୍କୁ ଧରି ଗାଧୋଇବା ପାଇଁ ବାଥରୁମକୁ ନେଇ ଯାଇଥିଲେ। କୁହାଯାଉଛି ଯେ ସ୍ନାନ କରିବାର କିଛି ଦିନ ପରେ ହାଜିଙ୍କର ମୃତ୍ୟୁ ହୋଇଛି।
ଆମୌ ହାଜି ହେଉଛନ୍ତି ଅପରିଷ୍କାର ବ୍ୟକ୍ତି ଭାବେ ଅନୌପଚାରିକ ରେକର୍ଡ଼ ଆପଣେଇଥିବା ଜଣେ ଇରାନୀ ବାସିନ୍ଦା। ସୂଚନାନୁସାରେ, ଇରାନର ହାଜି ବିବାହିତ ନଥିଲେ ଓ ୬୦ ବର୍ଷରୁ ଅଧିକ ସମୟ ଧରି ଗାଧୋଇ ନଥିଲେ। ତାଙ୍କର କିଛି ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯାହା ପରେ ତାଙ୍କୁ ଦୁନିଆର ସବୁଠାରୁ ଅପରିଷ୍କାର ବ୍ୟକ୍ତି କୁହାଯାଉଥିଲା। ଦି ଗାର୍ଡିଆନଙ୍କ ରିପୋର୍ଟ ଅନୁଯାୟୀ, ସେ ୨୩ ଅକ୍ଟୋବର (ରବିବାର) ଇରାନର ଦକ୍ଷିଣ ପ୍ରଦେଶର ଦେଜଗା ଗ୍ରାମରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।
ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ହାଜି ଅସୁସ୍ଥ ହେବାର ଭୟରେ ଗାଧୋଇବାକୁ ଏଡ଼ାଉଥିଲେ। ହାଜି ଏକ କୁଟୀରରେ ରହୁଥିଲେ। ତେହେରାନ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ହାଜିଙ୍କ ଖାଦ୍ୟ ମଧ୍ୟ ଅତ୍ୟନ୍ତ ଅଜବ-ଗରିବ। ସେ ମୃତ ପଶୁମାନଙ୍କର ପତଳା ମାଂସ ଖାଇବାକୁ ପସନ୍ଦ କରୁଥିଲେ। ହାଜି ଚିଲମରେ ଶୁଖିଲା ପଶୁ ମଳକୁ ଧୁମ୍ର ଭାବେ ଗ୍ରହଣ କରୁଥିଲେ।
ସ୍ୱଚ୍ଛତା ତାଙ୍କୁ ଅସୁସ୍ଥ କରିବ ବୋଲି ହାଜି ବିଶ୍ୱାସ କରୁଥିଲେ। ସୋସିଆଲ ମିଡିଆରେ କିଛି ଛବିରେ, ସେ ଏକାଠି ଅନେକ ସିଗାରେଟ୍ ଟାଣୁଥିବା ମଧ୍ୟ ଦେଖାଯାଇଛି। ତାଙ୍କର ଏହି ଆଚରଣ ବିଷୟରେ ୨୦୧୩ରେ 'ଆମୌ ହାଜିର ଅଜବ ଜୀବନ' ନାମକ ଏକ କ୍ଷୁଦ୍ର ଡକ୍ୟୁମେଣ୍ଟାରୀ ମଧ୍ୟ ପ୍ରସ୍ତୁତ କରାଯାଇଥିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।