ପତି ଘରକୁ ଡେରିରେ ଫେରିଲେ ବୋଲି ପତ୍ନୀ ରାଗରେ ତାଙ୍କ ମୁହଁରେ ଗରମ ତେଲ ଢାଳିଦେଲେ
ଗତ କିଛି ଦିନ ଧରି ଅରବିନ୍ଦ ନିଜ ଡ୍ୟୁଟିରୁ ବିଳମ୍ବରେ ଘରକୁ ଫେରୁଥିବାରୁ ପତ୍ନୀଙ୍କ ସହ ତାଙ୍କର ଝଗଡା ହେଉଥିଲା । ସେ ଘରେ ଶୋଇଥିବା ବେଳେ ଭୋର୍ ସମୟରେ ପତ୍ନୀ ତାଙ୍କ ମୁହଁରେ ଗରମ ତେଲ ଢାଳିଦେଇଥିଲେ ।

(ପ୍ରତୀକାତ୍ମକ ଛବି)
- News18 Odia
- Last Updated: January 6, 2021, 6:28 PM IST
ସାଗର (ମଧ୍ୟ ପ୍ରଦେଶ): ବୈବାହିକ କଳହ ଏକ ସାଧାରଣ କଥା, ହେଲେ ଏହା ଯଦି ସୀମା ଟପିଯାଏ ତେବେ ସ୍ଥିତ ସାଙ୍ଘାତିକ ହୋଇପାରେ । ଏମିତି ଏକ ଭୟଙ୍କର ଘଟଣାର ଏକ ଉଦାହରଣ ଦେଖିବାକୁ ମିଳିଛି । ଜଣେ ମହିଳା ନିଜ ସ୍ୱାମୀ ଡେରିରେ ଘରକୁ ଫେରିଲେ ବୋଲି ଏତେ ରାଗିଗଲେ ଯେ ସେ ତାଙ୍କ ମୁହଁରେ ଟକ୍ ଟକ୍ ହୋଇ ଫୁଟୁଥିବା ଗରମ ତେଲ ଢାଳିଦେଲେ ଓ ତାଙ୍କୁ ଗୁରୁତର ଆହତ କରିଦେଲେ ।
ଏହି ଅଭାବନୀୟ ଘଟଣା ଘଟିଛି ମଧ୍ୟ ପ୍ରଦେଶର ସାଗର ଜିଲ୍ଲାରେ । ସେଠାକାର ପୋଲିସ ୩୫ ବର୍ଷୀୟା ଶିବାକୁମାରୀ ଅହିରୱାର ନାମକ ଏହି ଅଭିଯୁକ୍ତା ମହିଳାଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରିଛି ଓ ତଦନ୍ତ ଚଳାଇଛି । ସେ ତାଙ୍କ ୩୮ ବର୍ଷୀୟ ସ୍ୱାମୀ ଅରବିନ୍ଦ ଅହିରୱାରଙ୍କ ଉପରକୁ ଗରମ ତେଲ ଫିଙ୍ଗିଦେଇଥିବା ଅଭିଯୋଗ ହୋଇଛି । (Wife pours hot oil on husband face)
ଏହା ବି ପଢ଼ନ୍ତୁ | ଢେଙ୍କାନାଳରେ ଦୁଇ ଝିଅଙ୍କ ବଚସା ବେଳେ ଗାଲ କାମୁଡ଼ା… ତା’ ପରେ ପିତାଙ୍କୁ ହାଣି ହତ୍ୟା କଲେ
‘ଟାଇମ୍ସ ଅଫ୍ ଇଣ୍ଡିଆ’ରେ ପ୍ରକାଶିତ ରିପୋର୍ଟ ଅନୁସାରେ ଶିବାକୁମାରୀ ଓ ଅରବିନ୍ଦ ଚାରି ବର୍ଷ ହେଲା ବିବାହିତ । ଏହି ଘଟଣା ପରେ ଅରବିନ୍ଦଙ୍କ ମୁହଁ ଗୁରୁତର ଭାବେ ପୋଡ଼ିଯାଇଛି । ତାଙ୍କୁ ମଧ୍ୟ ପ୍ରଦେଶର ସାଗରସ୍ଥିତ ବୁନ୍ଦେଲଖଣ୍ଡ ମେଡିକାଲ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।
ଏହା ବି ପଢ଼ନ୍ତୁ | ମାହାଙ୍ଗା ଡବଲ ମର୍ଡର: ୪ ଜଣ ଅଭିଯୁକ୍ତ ଗିରଫ ହେଲେ; ହତ୍ୟାରେ ବ୍ୟବହୃତ ଖଣ୍ଡା ଜବତ ହେଲା
‘‘ରାତିରେ ସେମାନେ (ଅରବିନ୍ଦ ଓ ପତ୍ନୀ ଶିବାକୁମାରୀ) କିଛି କଥାକୁ ନେଇ ପରସ୍ପର ସହ ଝଗଡ଼ା କରିଥିଲେ । ମୋ’ ବାପା ଓ ମା’ ହସ୍ତକ୍ଷେପ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ମାତ୍ର ଭୋର୍ ପ୍ରାୟ ୫ଟା ବେଳେ ମୋ’ ଭାଇ ଶୋଇଥିବା ସମୟରେ ସେ (ଶିବାକୁମାରୀ) ରାଗରେ ତାଙ୍କ ମୁହଁରେ ଫୁଟୁଥିବା ତେଲ ଢାଳିଦେଇଥିଲେ,’’ ଅରବିନ୍ଦଙ୍କ ଭାଇ ଗଣମାଧ୍ୟମକୁ କହିଛନ୍ତି ।
ଏହା ବି ପଢ଼ନ୍ତୁ | ନୟାଗଡ଼ ନାବାଳିକାର ହତ୍ୟା ଅଭିଯୁକ୍ତ ନାବାଳକ ବୋଲି ପ୍ରମାଣିତ ହେଲା; ତା’ର ନାର୍କୋ ଟେଷ୍ଟ୍ ହେବନି
ଅରବିନ୍ଦ ଯନ୍ତ୍ରଣାରେ ଚିତ୍କାର କରୁଥିବା ଶୁଣି ତାଙ୍କ ପଡ଼ୋଶୀମାନେ ଦୌଡ଼ିଆସିଥିଲେ ଓ ତାଙ୍କୁ ଡାକ୍ତରଖାନା ନେଇଥିଲେ । ଅରବିନ୍ଦଙ୍କ ଭାଇ କହିଛନ୍ତି ଯେ ପରିବାର ଲୋକେ ଅରବିନ୍ଦଙ୍କୁ ଦେଖିବା ପାଇଁ ଡାକ୍ତରଖାନାକୁ ଯାଇଥିବା ବେଳେ ଶିବାକୁମାରୀ ଘରେ ରହିଥିଲେ । ସେ ଅବଶ୍ୟ ନିଜ ସ୍ୱାମୀଙ୍କ ମୁହଁରେ ଫୁଟୁଥିବା ତେଲ ଢାଳିଥିବାରୁ ଦୁଃଖ ପ୍ରକାଶ କରିଛନ୍ତି ।
‘‘ସ୍ୱାମୀ ଅରବିନ୍ଦ ଅହିରୱାର ଦେଇଥିବା ବିବୃତ୍ତି ଆଧାରରେ ଆମେ ଏକ ମାମଲା ରୁଜୁ କରିଛୁ । ଏବେ ପଚରାଉଚରା ଚାଲିଛି ଓ ତଦନ୍ତ ଆଗକୁ ବଢ଼ୁଛି,’’ କହିଛନ୍ତି କରାପୁର ପୋଲିସ ଆଉଟପୋଷ୍ଟର ଦାୟିତ୍ୱରେ ଥିବା ଅଧିକାରୀ ଯଶପାଲ ସିଂ ସିସୋଡ଼ିଆ ।