ଶାହିନ୍ ବାଗ୍: ପ୍ରଦର୍ଶନରେ ଥଣ୍ଡା ଧରି କୁନି ପୁଅର ମୃତ୍ୟୁ ହେଲା, ହେଲେ ତା’ ମା’ର ଜିଦ୍ ଅଟଳ

କୁନି ପୁଅଟିର ମୃତ୍ୟୁ NRC ଓ CAA ଯୋଗୁଁ ହେଇଛି ବୋଲି କହିଛନ୍ତି ଆରିଫ । କହୁଥିବା ସମୟରେ ସେ ପୁଅର ଗୋଟେ ଫଟୋ ଦେଖାଇଛନ୍ତି, ଯେଉଁଥିରେ କୁନି ଶିଶୁଟି ଉଲରେ ତିଆରି ଗୋଟେ ଟୋପି ପିନ୍ଧିଛି । ସେ ଟୋପିରେ ଲେଖାହୋଇଛି: ‘‘ଆଇ ଲଭ୍ ମାଇଁ ଇଣ୍ଡିଆ’’ ।

ଶାହିନ୍ ବାଗ୍: ପ୍ରଦର୍ଶନରେ ଥଣ୍ଡା ଧରି କୁନି ପୁଅର ମୃତ୍ୟୁ ହେଲା, ହେଲେ ତା’ ମା’ର ଜିଦ୍ ଅଟଳ
ଶାହୀନ ବାଗ୍‌ର ପ୍ରଦର୍ଶନ ସ୍ଥଳୀରେ ବଡ଼ ପୁଅ ସହିତ ନାଜିଆ ଓ ପତି ଆରିଫ୍‌
  • News18 Odia
  • Last Updated: February 4, 2020, 10:03 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଚ଼ାରି ମାସର ଶିଶୁ ମହମ୍ମଦ ଜହାଁ ତା’ ମା’ ସହିତ ପ୍ରାୟ ପ୍ରତି ଦିନ ଶାହିନ ବାଗର ପ୍ରଦର୍ଶନ ସ୍ଥଳକୁ ଆସୁଥିଲା । ସେଠି ପ୍ରଦର୍ଶନକାରୀମାନେ ତାକୁ ଭାରି ଭଲପାଉଥିଲେ । ତାକୁ ସେମାନେ ଜଣକ ପରେ ଜଣେ ଧରୁଥିଲେ ଓ ତା’ ଗାଲରେ ତ୍ରିରଙ୍ଗା ଆଙ୍କୁଥିଲେ ।

କିନ୍ତୁ ଏବେ ଶାହିନ୍ ବାଗରେ ମହମ୍ମଦ ଜହାଁର ଆଉ ଦେଖା ମିଳିବ ନାହିଁ । ଖୋଲା ଆକାଶ ତଳେ ଥିବା ସେହି ପ୍ରଦର୍ଶନ ସ୍ଥଳରେ ଭୀଷଣ ଶୀତର ସଂସ୍ପର୍ଶରେ ଆସିବା ପରେ ତାକୁ ଜୋର୍‌ ଥଣ୍ଡା ଧରିଯାଇଥିଲା । ଗତ ସପ୍ତାହରେ ତା’ର ମୃତ୍ୟୁ ହୋଇଗଲା । ହେଲେ ତା’ ମା’ ଅବିଚ଼ଳିତ ଅଛନ୍ତି ଓ ବିରୋଧ ପ୍ରଦର୍ଶନରେ ଭାଗ ନେଇଚ଼ାଲିବାକୁ ଦୃଢ଼ ସଂକଳ୍ପ କରିଛନ୍ତି ।

‘‘ଏହି ବିରୋଧ ପ୍ରଦର୍ଶନ ମୋ’ ପିଲାଙ୍କ ଭବିଷ୍ୟତ ପାଇଁ ହେଉଛି,’’ କହିଛନ୍ତି ମହମ୍ମଦ ଜହାଁର ମା’ ନାଜିଆ ।

ନାଜିଆ ଓ ତାଙ୍କ ଭାଙ୍ଗିପଡ଼ିଥିବା ପତି ମହମ୍ମଦ୍ ଆରିଫ୍ ବଟଲା ହାଉସ୍ ଅଞ୍ଚଳରେ ପ୍ଳାଷ୍ଟିକର ଚ଼ାଦର ଓ କପଡ଼ାରେ ତିଆରି ଗୋଟେ ଅତି ଛୋଟ ଝୁମ୍ପୁଡ଼ିରେ ରହନ୍ତି । ତାଙ୍କର ଆଉ ଦୁଇଟି ପିଲା ଅଛନ୍ତି – ଗୋଟେ ପାଞ୍ଚ ବର୍ଷର ଝିଅ ଓ ଗୋଟେ ବର୍ଷକର ପୁଅ ।

ଉତ୍ତର ପ୍ରଦେଶର ବରେଲିରୁ ଆସି ଏହି ଦମ୍ପତି ବହୁତ କଷ୍ଟରେ ନିଜ ପୋଟ ଓ ପରିବାର ପୋଷୁଛନ୍ତି । ଆରିଫ୍ ଜଣେ କପଡ଼ାରେ ସିଲେଇ କରି ଡିଜାଇନ୍‌ (ଏମ୍ବ୍ରଇଡରି) କରୁଥିବା କାରିଗର । ସେ ଗୋଟେ ଇ-ରିକ୍ସା ବି ଚ଼ଳାନ୍ତି । ତାଙ୍କ ସ୍ତ୍ରୀ ତାଙ୍କୁ ଏମ୍ବ୍ରଇଡରି କାର୍ଯ୍ୟରେ ସାହାଯ୍ୟ କରନ୍ତି ।

‘‘ମୁଁ ମୋ’ର ଏମ୍ବ୍ରଡରି କାମ କରିବା ଓ ବ୍ୟାଟେରୀ ରିକ୍ସା ଚଲାଇବା ସତ୍ବେ ଗଲା ମାସରେ ପର୍ଯ୍ୟାପ୍ତ ଉପାର୍ଜନ କରିପାରିନାହିଁ । ବର୍ତ୍ତମାନ ଆମ ପିଲାର ମୃତ୍ୟୁ ଯୋଗୁଁ ଆମେ ସବୁ କିଛି ହରାଇ ବସିଛୁ,’’ କହିଛନ୍ତି ଆରିଫ । କହୁଥିବା ସମୟରେ ସେ ମହମ୍ମଦ ଜହାଁର ଗୋଟେ ଫଟୋ ଦେଖାଇଛନ୍ତି, ଯେଉଁଥିରେ କୁନି ଶିଶୁଟି ଉଲରେ ତିଆରି ଗୋଟେ ଟୋପି ପିନ୍ଧିଛି । ସେ ଟୋପିରେ ଲେଖାହୋଇଛି ‘‘ଆଇ ଲଭ୍ ମାଇଁ ଇଣ୍ଡିଆ’’ ।

ଆଖିଦୃଶିଆଭାବେ ବିଚ଼ଳିତ ଲାଗୁଥିବା ନାଜିଆ କହିଛନ୍ତି ଯେ ୩୦ ଜାନୁଆରୀ ରାତିରେ ପ୍ରତିବାଦ ସ୍ଥଳୀରୁ ଫେରିବା ପରେ ଶୋଇଥିବା ଅବସ୍ତାରେ ତାଙ୍କ ସାନ ପୁଅ ମହମ୍ମଦ ଜହାଁ ଚ଼ାଲିଯାଇଥିଲା ।

‘‘ମୁଁ ଶାହିନ୍ ବାଗରୁ ସେଦିନ ପାଖାପାଖି ରାତି ଗୋଟେ ବେଳେ ଫେରିଥିଲି । ତାକୁ ଓ ଅନ୍ୟ ପିଲାଙ୍କୁ ଶୁଆଇବା ପରେ ମୁଁ ବି ଶୋଇପଡ଼ିଲି । ସକାଳେ ମୁଁ ତାକୁ ଏକ ଦମ୍‌ ଶାନ୍ତ ଓ ଗତିହୀନ ହୋଇ ବିଛଣାରେ ପଡ଼ିଥିବାର ଦେଖିଲି । ସେ ତା’ ନିଦରେ ହିଁ ଚ଼ାଲିଯାଇଥିଲା,’’ କହିଛନ୍ତି ନାଜିଆ ।

୩୧ ଜାନୁଆରୀ ସକାଳେ ଏହି ଦମ୍ପତି ସେହି ନିସ୍ତବ୍ଦ ଶିଶୁକୁ ନିକଟସ୍ଥ ଆଲସିଫା ହସ୍ପିଟାଲ୍କୁ ନେଇଯାଇଥଲେ । ସେଠି ସେ ପହଞ୍ଚିବା ପୂର୍ବରୁ ମରିଯାଇଥିଲା ବୋଲି ଡାକ୍ତରମାନେ କହିଥିଲେ ।

ଡ଼ିସେମ୍ବର ୧୮ ତାରିଖରୁ ଲଗାତର ସେହି ଚ଼ାରି ମାସର ଶିଶୁଟିକୁ ନେଇ ଶାହିନ ବାଗର ପ୍ରଦର୍ଶନ ସ୍ଥଳକୁ ପ୍ରତି ଦିନ ଆସୁଥିବା ନାଜିଆ କହିଛନ୍ତି ଯେ ପ୍ରଚଣ୍ଡ ଥଣ୍ଡା ଧରିବା ଯୋଗୁଁ ଶିଶୁଟିର ମୃତ୍ୟୁ ହେଲା ।

ସେ କହିଛନ୍ତି ଯେ ଛିଶୁଟିକୁ ଏତେ ଜୋର୍‌ ଥଣ୍ଡା ଧରିଥିଲା ବୋଲି ତାଙ୍କୁ ଜଣା ପଡ଼ି ନ ଥିଲା । ହେଲେ ଶିଶୁର ମୃତ୍ୟୁ ପ୍ରମାଣ ପତ୍ରରେ ଡ଼ାକ୍ତରମାନେ ମୃତ୍ୟୁର କୌଣସି କାରଣ ଲେଖିନାହାନ୍ତି ।

ଏହି ଦମ୍ପତିଙ୍କ ଘରକୁ ଆସିଥିବା ତାଙ୍କର ଜଣେ ପଡ଼ୋଶୀ ଶାଜିୟା କହିଛନ୍ତି ଯେ ଶାହିନ୍ ବାଗ୍ ପ୍ରଦର୍ଶନ ସ୍ଥଳୀକୁ ଯିବାକୁ ନାଜିଆ ନିଜ ସ୍ବାମୀ ଓ ମା’ଙ୍କ ସହ ପ୍ରତି ଦିନ ଝଗଡ଼ା କରନ୍ତି । ନାଜିଆ ନିଜ ଘର ପାଖର ସବୁ ମହିଳାଙ୍କୁ ଏକାଠି କରି ସେଠୁ ଦୁଇ କିଲୋମିଟର ଦୂରରେ ଥିବା ପ୍ରଦର୍ଶନ ସ୍ଥଳୀକୁ ନେଇଯାଆନ୍ତି । କେବେକେବେ ଆରିଫ୍ ସେମାନଙ୍କ ମଧ୍ୟରୁ କିଛି ମହିଳାଙ୍କୁ ନିଜ ଇ-ରିକ୍ସାରେ ବସେଇ ସେଠି ଛାଡ଼ି ଆସନ୍ତି ।

ନାଜିଆ କହିଛନ୍ତି ଯେ ତାଙ୍କୁ ଲାଗୁଛି ସି.ଏ.ଏ ଓ ଏନ୍.ଆର୍.ସି. ସବୁ ସମୁଦାୟଙ୍କ କଲ୍ୟାଣ ବିରୋଧରେ ଏକ ପଦକ୍ଷେପ ।

’’ମୁଁ ଶାହିନ୍ ବାଗର ବିରୋଧ ପ୍ରଦର୍ଶନରେ ସାମିଲ ହେଉଛି କାରଣ ଏ ପ୍ରଦର୍ଶନ ମୋ’ ନିଜ ପିଲାଙ୍କ ପାଇଁ ଓ ଆମ ସମସ୍ତଙ୍କ ପିଲାଙ୍କ ଭବିଷ୍ୟତ ପାଇଁ ହେଉଛି । ସି.ଏ.ଏ. ଆମ ସମସ୍ତଙ୍କୁ ଧର୍ମ ନାଆଁରେ ଭାଗ ଭାଗ କରୁଛି । ତାହା ଆଦୌ ଗ୍ରହଣୀୟ ନୁହେଁ,’’ କହିଛନ୍ତି ନାଜିଆ ।

ଆରିଫ୍ ତାଙ୍କ ସାନ ପୁଅର ମୃତ୍ୟୁ ପାଇଁ ଏନ୍.ଆର୍.ସି. ଓ କି ସି.ଏ.ଏ.କୁ ଦାୟୀ କରିଛନ୍ତି । ଯଦି ସରକାର ଏନ୍.ଆର୍.ସି. ଓ ସି.ଏ.ଏ. ଆଣି ନ ଥାନ୍ତେ, ତାହେଲେ ଲୋକେ ବିରୋଧ କରି ନ ଥାନ୍ତେ ଓ ମୋ’ ସ୍ତ୍ରୀ ସେମାନଙ୍କ ସହ ସାମିଲ ହୋଇ ନ ଥାନ୍ତା । ମୋ’ ପୁଅ ଆଜି ବଞ୍ଚି ଥାଆନ୍ତା,’’ କହିଛନ୍ତି ଆରିଫ । (ପି.ଟି.ଆଇ.)
First published: February 4, 2020, 10:03 PM IST