News18 Odia Digital
ପଟନା: ଲଣ୍ତନରେ ରହୁଥିବା ପୁଷ୍ପମ୍ ପ୍ରିୟା ଚୌଧୁରୀ ନାମକ ଜଣେ ଯୁବତୀ ବିହାରରେ ଏହି ବର୍ଷ ଶେଷ ଆଡ଼କୁ ହେବାକୁ ଥିବା ବିଧାନ ସଭା ନିର୍ବାଚନ ପାଇଁ ନିଜକୁ ମୁଖ୍ୟ ମନ୍ତ୍ରୀ ପାର୍ଥୀ ଭାବେ ଘୋଷଣା କରିଛନ୍ତି । ଏହି କଥା କହି ସେ ବିହାରରେ ପ୍ରକାଶିତ ପାଖାପାଖି ସବୁ ଖବରକାଗଜରେ ପୂରା ପୃଷ୍ଠାର ବିଜ୍ଞାପନ ଛପେଇଛନ୍ତି ।
ପ୍ରିୟା ମୂଳତଃ ବିହାରର ଦରଭଙ୍ଗା ଜିଲ୍ଲାର ବାସିନ୍ଦା, କିନ୍ତୁ ସେ ଲଣ୍ଡନରେ ରହନ୍ତି । ମାର୍ଚ୍ଚ ୮ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସେ ନିଜକୁ ବିହାରର ମୁଖ୍ୟ ମନ୍ତ୍ରୀ ପଦ ପାଇଁ ମିଡ଼ିଆରେ ବିଜ୍ଞାପନ ଦେଇ ଘୋଷଣା କରିଛନ୍ତି ।
ସେ ନିଜେ ଗଠନ କରିଥିବା ‘ପ୍ଲୁରାଲସ’ ନାମକ ଏକ ନୂଆ ରାଜନୈତିକ ଦଳର ସଭାପତି ରୂପେ ବିହାରର ଆସନ୍ତା ବିଧାନ ସଭା ନିର୍ବାଚ଼ନରେ ମୁଖ୍ୟ ମନ୍ତ୍ରୀ ପାର୍ଥୀ ଭାବେ ନିଜ ସୋସିଆଲ ମିଡ଼ିଆ ଏକାଉଣ୍ଟରେ ବି ପୋଷ୍ଟ କରିଛନ୍ତି ।
ଏକ ଟ୍ୟାଗଲାଇନ ‘ପ୍ଲୁରାଲ ଆସି ଯାଇଛି’ ସହିତ ପ୍ରିୟା ବିହାରର ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଯେ ଯଦି ସେମାନେ ନିଜ ରାଜ୍ୟକୁ ଭଲ ପାଆନ୍ତି ଓ ରାଜନୀତିକୁ ଘୃଣା କରନ୍ତି ତାହେଲେ ସେମାନେ ଏହି ଦଳରେ ଯୋଗ ଦିଅନ୍ତୁ । ସେ ନିଜ ୱେବସାଇଟକୁ ସେ ପ୍ଲୁରାଲସ ଦଳକୁ ସମର୍ପିତ କରି ବିହାରରେ ‘‘ଅକ୍ଷମ ଓ ଅସମ୍ବେଦନଶୀଳ ରାଜନେତାମାନଙ୍କୁ’’ ଚ଼୍ୟାଲେଞ୍ଜ କରିଛନ୍ତି । ସେ ନିଜର ୱେବସାଇଟରେ ଲେଖିଛନ୍ତି: ’’ଏହି ଚ଼୍ୟାଲେଞ୍ଜରେ ମୋ ସହ ସାମିଲ ହୁଅନ୍ତୁ, ଖରାପ ରାଜନୀତିକୁ ଖାରଜ କରନ୍ତୁ’’।

ପୁଷ୍ପମ୍ ପ୍ରିୟା ଚୌଧୁରୀ

ସେ ନିକଟରେ କରିଥିବା ଏକ ଟ୍ୱିଟ୍
ପ୍ରିୟା ହେଉଛନ୍ତି ବିହାରର ମୁଖ୍ୟ ମନ୍ତ୍ରୀଙ୍କ ପାର୍ଟି ଜନତା ଦଳ (ୟୁନାଇଟେଡ)ର ପୂର୍ବ ଏମ୍.ଏଲ୍.ସି. ବିନୋଦ ଚୌଧୁରୀଙ୍କ ଝିଅ । ସେ ଲଣ୍ଡନରେ ନିଜର ଉଚ୍ଚ ଶିକ୍ଷା ସମାପ୍ତ କରିଛନ୍ତି । ତାଙ୍କ ୱେବସାଇଟରେ ଦିଆଯାଇଥିବା ତାଙ୍କ ଶିକ୍ଷାଗତ ଯୋଗ୍ୟତାରୁ ଜଣାଯାଉଛି ଯେ ସେ ଇନଷ୍ଟିଚ୍ୟୁଟ୍ ଅଫ୍ ଡେଭଲପମେଣ୍ଟ ଷ୍ଟଡିଜ୍, ସସେକ୍ସ ୟୁନିଭରସିଟି ଅଫ୍ ଡେଭଲପମେଣ୍ଟ ଷ୍ଟଡିଜ୍ ଓ ବ୍ରିଟେନର ଲଣ୍ଡନ ସ୍କୁଲ୍ ଅଫ୍ ଇକୋନୋମିକ୍ସ ଆଣ୍ଡ ପଲିଟିକାଲ ସାଇନ୍ସରୁ ପବ୍ଲିକ୍ ଆଡମିନିଷ୍ଟ୍ରେସନରେ ସ୍ନାତକୋତ୍ତର କରିଛନ୍ତି ।
ଏହି ୱେବସାଇଟ୍ ଲୋକଙ୍କୁ ପ୍ଲୁରାଲ୍ସ ଦଳରେ ନିଜକୁ ପଞ୍ଜୀକୃତ କରିବା ପାଇଁ, ଦଳର ସ୍ବେଚ୍ଛାସେବୀ ହେବା ପାଇଁ ଓ ଦଳକୁ ଟଙ୍କା ଦାନ କରି ସମର୍ଥନ କରିବା ପାଇଁ ଆହ୍ୱାନ ଦେଉଛି । ବର୍ତ୍ତମାନ ବିହାରରେ ମୁଖ୍ୟ ମନ୍ତ୍ରୀ ନିତୀଶ କୁମାରଙ୍କ ନେତୃତ୍ବରେ ଜେଡି (ୟୁ)-ବିଜେପି-ଏଲଜେପି ମିଳିତ ମଞ୍ଚ ଶାସନ କରୁଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।