ମହିଳାଙ୍କୁ ଦେଢ଼ ବର୍ଷ ହେଲା ପାଇଖାନାରେ ବନ୍ଦ୍ କରି ରଖିଥିଲେ ତାଙ୍କ ସ୍ୱାମୀ, ଉଦ୍ଧାର କରାଗଲା

ଦୁର୍ଗନ୍ଧଯୁକ୍ତ ଟଇଲେଟରେ ରହି ମହିଳା ଏତେ ଦୁର୍ବଳ ହୋଇଯାଇଥିଲେ ଯେ ସେ ଚାଲିପାରୁ ନ ଥିଲେ । ବାହାରକୁ ଅଣାଯିବା ପରେ ସେ ଏକା ଥରେ ଆଠଟି ରୋଟି ଖାଇଦେଇଥିଲେ । ତାଙ୍କ ଉପଯୁକ୍ତ ଖାଦ୍ୟ ଓ ପାଣି ବି ଦିଆଯାଉ ନ ଥିଲା ବୋଲି ସେ କହିଛନ୍ତି ।

ମହିଳାଙ୍କୁ ଦେଢ଼ ବର୍ଷ ହେଲା ପାଇଖାନାରେ ବନ୍ଦ୍ କରି ରଖିଥିଲେ ତାଙ୍କ ସ୍ୱାମୀ, ଉଦ୍ଧାର କରାଗଲା
ମହିଳାଙ୍କୁ ଟଇଲେଟରୁ ବାହାରକୁ ଅଣାଯାଉଛି । (ଫଟୋ: ଏ.ଏନ୍.ଆଇ.)
  • News18 Odia
  • Last Updated: October 16, 2020, 7:42 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଚଣ୍ଡିଗଡ଼: ନିଜ ସ୍ୱାମୀଙ୍କ ଦ୍ୱାରା ଗତ ଦେଢ଼ ବର୍ଷ ଧରି ଅମାନୁଷିକ ଅବସ୍ଥାରେ ରଖାଯାଇଥିବା ଜଣେ ୩୫ ବର୍ଷ ବୟସ୍କା ମହିଳାଙ୍କୁ ଉଦ୍ଧାର କରାଯାଇଛି ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି । ଏହି ମହାଳାଙ୍କୁ ତାଙ୍କ ସ୍ୱାମୀ ଏକ ପାଇଖାନା (ଟୟଲେଟ୍‌) ଭିତରେ ରଖିଥିଲେ ।

ଏହି ପୀଡିତା ତିନି ପିଲାଙ୍କ ମାଆ, ଆଉ ଏହି ଘଟଣା ହରିୟାଣାର ପାନିପତ ଜିଲ୍ଲାରେ ଘଟିଛି । ପୀଡ଼ିତା ମହିଳାଙ୍କୁ ଜିଲ୍ଲା ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଅଧିକାରୀମାନଙ୍କର ଏକ ଟିମ୍ ଏକ ଅତି ଛୋଟ ଓ ଦୁର୍ଗନ୍ଧଗ୍ରସ୍ତ ଶୌଚାଳୟ ଭିତରୁ ଉଦ୍ଧାର କରିଛି । ଉଦ୍ଧାର ହୋଇଥିବା ମହିଳାଙ୍କୁ ପ୍ରଥମେ ହସ୍ପିଟାଲକୁ ନେଇ ତାଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଥିଲା । ତା’ପରେ ତାଙ୍କୁ ତାଙ୍କ ସମ୍ପର୍କୀୟମାନଙ୍କୁ ହସ୍ତାନ୍ତର କରାଯାଇଛି ।

ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ଦ୍ୱାରା ବନ୍ଦୀ ହୋଇ ରଖାଯାଇଥିବାର ସୂଚନା ପାଇବା ପରେ ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ ରଜନୀ ଗୁପ୍ତା ପୋଲିସ ଅଧିକାରୀଙ୍କ ସହ ତାଙ୍କ ଘରେ ପହଞ୍ଚି ମହିଳାଙ୍କୁ ଶୌଚାଳୟ ଭିତରେ ତାଲା ପକାଇ ରଖାଯାଇଥିବାର ଦେଖିବାକୁ ପାଇଥିଲେ। ମହିଳାଙ୍କୁ ବାହାରକୁ କଢ଼ାଯାଇଥିଲା । ଅନୁସନ୍ଧାନରୁ ଜଣାପଡ଼ିଥିଲା ଯେ ସେ ଗତ ଦେଢ଼ ବର୍ଷ ଧରି ଏମିତି ଅମାନବିକ ଅବସ୍ଥାରେ ରହିବାକୁ ବାଧ୍ୟ ହୋଇଥିଲେ ।

ମହିଳା ଦେଢ଼ ବର୍ଷ ଧରି ଟଇଲେଟରେ ରହି ଖୁବ୍ ଦୁର୍ବଳ ହୋଇଯାଇଛନ୍ତି । (ଫଟୋ: ଏ.ଏନ୍.ଆଇ.)


‘‘ସେ ଏତେ ଦୁର୍ବଳ ହୋଇଯାଇଥିଲେ ଯେ ସେ ଚାଲିପାରୁ ନ ଥିଲେ । ଆମେ ତାଙ୍କୁ ଖାଦ୍ୟ ଦେଇଥିଲୁ । ସେ ଏକା ଥରେ ଆଠଟି ଚପାତି (ରୋଟି) ଖାଇଦେଇଥିଲେ,’’ କହିଛନ୍ତି ଗୁପ୍ତା । ବନ୍ଦୀ ଅବସ୍ଥାରେ ପୀଡ଼ିତା ମହିଳାଙ୍କୁ ଉପଯୁକ୍ତ ଖାଦ୍ୟ ଓ ପିଇବାକୁ ପାଣି ବି ଦିଆଯାଉ ନ ଥିଲା ବୋଲି ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ କରୋନାରୁ ଆରୋଗ୍ୟ ହୋଇଥିବା ଲୋକଙ୍କ ଦେହରେ ୯୦ ଦିନ ପର୍ଯ୍ୟନ୍ତ ରହିଥାଏ ଏହି ଭାଇରସ୍

ଏହି ମହିଳା ୧୭ ବର୍ଷ ତଳେ ନରେଶ କୁମାରଙ୍କୁ ବିବାହ କରିଥିଲେ । ତାଙ୍କର ୧୫ ବର୍ଷର ଝିଅ ଓ ୧୧ ଓ ୧୩ ବର୍ଷର ଦୁଇ ପୁଅଙ୍କ ସମେତ ତିନୋଟି ସନ୍ତାନ ଅଛନ୍ତି ।

ନରେଶ କୁମାର କହିଛନ୍ତି ଯେ ତାଙ୍କ ପତ୍ନୀଙ୍କ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ରହିଛି । କଲ୍ୟାଣ ବିଭାଗ ଅଧିକାରୀମାନେ କହିଛନ୍ତି ଯେ ପୀଡ଼ିତା ମହିଳା ତାଙ୍କ ପରିବାରର ସବୁ ସଦସ୍ୟଙ୍କୁ ଚିହ୍ନିବାରେ ସକ୍ଷମ ହୋଇଥିଲେ ଓ ତାଙ୍କୁ ପଚରାଯାଇଥିବା ସବୁ ପ୍ରଶ୍ନର ଉତ୍ତର ଦେଇପାରିଥିଲେ ।

ଏହା ବି ପଢ଼ନ୍ତୁ | Video: ପୁରୁଷମାନଙ୍କ ସହ ଘଟୁଥିବା ଗ୍ୟାଙ୍ଗ୍ ରେପ୍ ଉପରେ ଆଧାରିତ ଏହି ଫିଲ୍ମ ରିଲିଜ୍‌ ହେଲା

ରଜନୀ ଗୁପ୍ତା ଆହୁରି କହିଛନ୍ତି ଯେ ନରେଶ କୁମାର ନିଜ ସ୍ତ୍ରୀଙ୍କ ମାନସିକ ରୋଗର ଚିକିତ୍ସା ସମ୍ବନ୍ଧୀୟ କାଗଜପତ୍ର ବି ଦେଖାଇ ପାରି ନ ଥିଲେ ।



ଆଇପିସିର ଦଫା ୪୯୮-ଏ ଓ ୩୪୨ ଅନୁଯାୟୀ ମହିଳାଙ୍କ ସ୍ୱାମୀ ନରେଶ କୁମାରଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି ଓ ତାଙ୍କୁ ଗିରଫ କରାଯାଇଛି । ପୋଲିସ୍ ଏବେ ଏହି ମାମଲାର ତଦନ୍ତ ଚଳାଇଛି ।
Published by: Anand Shankar Thankur Das
First published: October 16, 2020, 7:42 PM IST
corona virus btn
corona virus btn
Loading