News18 Odia Digital
Arvind Kejriwal: ଜାତୀୟ ରାଜନୀତିରେ ବିରୋଧୀ ଏକତା ବଡ଼ ଚ୍ୟାଲେଞ୍ଜ ସାଜିଛି । ଗୋଟିଏ ପଟେ ବିରୋଧୀ ମୋର୍ଚ୍ଚା ଗଠନର ପରିକଳ୍ପନା, ଅନ୍ୟପଟେ ସଂସଦରେ ବିପକ୍ଷଙ୍କ ଗୋଟିଏ ସ୍ବର ପ୍ରସଙ୍ଗ । ଜେଡିୟୁ ନେତା ନୀତୀଶ କୁମାର, ବିରୋଧୀଙ୍କୁ ଏକଜୁଟ୍ କରିବାକୁ ପ୍ରୟାସ ଜାରି ରଖିଥିବା ବେଳେ, ଦିଲ୍ଲୀରେ ସରକାରୀ ବାବୁଙ୍କ ନିୟନ୍ତ୍ରଣ ସଂପର୍କିତ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶକୁ ନେଇ, ବିରୋଧୀଙ୍କ ସମର୍ଥନ ଜୁଟାଉଛି ଆମ ଆଦମୀ ପାର୍ଟି । ଏହି କ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଲୱାଲ, ଉଦ୍ଧବ ଠାକରେ, ଶରଦ ପାୱାର ଏବଂ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି। ତେବେ ପ୍ରଶ୍ନ ଉଠୁଛି, କଂଗ୍ରେସଠାରୁ ସମଦୂରତା ବଜାୟ ରଖୁଥିବା କେଜ୍ରିୱାଲଙ୍କୁ, ରାଜ୍ୟସଭାରେ ସହଯୋଗ କରିବେ ତ ମଲିକାର୍ଜୁନ ଖଡ଼ଗେ !
ଦିଲ୍ଲୀ ପ୍ରଦେଶରେ ସରକାରୀ ଅଧିକାରୀଙ୍କ ନିୟନ୍ତ୍ରଣ କାହା ହାତରେ ରହିବ ! ରାଜ୍ୟ ସରକାର ନା ଉପରାଜ୍ୟପାଳଙ୍କ ହାତରେ ! ସୁପ୍ରିମକୋର୍ଟ ଦିଲ୍ଲୀର ନିର୍ବାଚିତ ସରକାରଙ୍କୁ ଏହି ଅଧିକାର ଅର୍ପଣ କରିବା ପରେ, ଅଧ୍ଯାଦେଶ ଆଣିଛନ୍ତି କେନ୍ଦ୍ର ସରକାର । ଯାହାକୁ ନେଇ କେନ୍ଦ୍ର ସରକାର ଏବଂ ଆମ ଆଦମୀ ପାର୍ଟି ମଧ୍ୟରେ ଟକରା ଟକରି ସ୍ଥିତି ଉପୁଜିଛି । କେନ୍ଦ୍ର ସରକାର ଆଣିଥିବା ଅଧ୍ଯାଦେଶକୁ ସଂସଦରେ ପାସ୍ କରି ଆଇନରେ ପରିଣତ କରିବାକୁ ଯୋଜନା କରୁଛନ୍ତି । ଯାହାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଚିନ୍ତା ବଢ଼ିଯାଇଛି । .... ଆମ ଆଦମୀ ପାର୍ଟି, କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ, ବିଲ୍କୁ ରାଜ୍ୟସଭାରେ ଲଗାମ ଦେବାକୁ ବିରୋଧୀ ଦଳଗୁଡ଼ିକର ସହଯୋଗ ଲୋଡୁଛି । ...କେଜ୍ରିୱାଲ ମୁମ୍ବାଇରେ ଉଦ୍ଧବ ଶିବସେନା ମୁଖ୍ଯ ଉଦ୍ଧବ ଠାକରେ ଏବଂ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ଭେଟିଛନ୍ତି । କେଜ୍ରିୱାଲ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀଙ୍କ ସହ ସାକ୍ଷାତ ଆଲୋଚନା କରିବେ । ପରବର୍ତ୍ତୀ ସମୟରେ କେଜ୍ରିୱାଲ୍ ଅଣ-ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ବିରୋଧୀ କ୍ୟାମ୍ପ ନେତାଙ୍କୁ ମଧ୍ୟ ଭେଟିବେ।
ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ସହ ଆଲୋଚନା କରି ସାରିଛନ୍ତି କେଜ୍ରିୱାଲ୍ । ନୀତୀଶ ଏବଂ ତେଜସ୍ବୀ ୨୦୨୪ ପାଇଁ, ଆମ ଆଦମୀ ପାର୍ଟିକୁ ବିରୋଧୀ ମେଣ୍ଟରେ ସାମିଲ ହେବାକୁ ନିବେଦନ କରାଯାଇଥିଲା । ଅପର ପକ୍ଷରେ କେନ୍ଦ୍ର ସରକାରଙ୍କ ମେ-19 ଅଧ୍ଯାଦେଶ ବିରୋଧରେ, ଆପ୍ ସାଥ ଦେବାକୁ ଦାବି କରିଥିଲେ କେଜ୍ରିୱାଲ୍ । ତେବେ ଆପ୍-କଂଗ୍ରେସ ସଂପର୍କ ଠିକ ଠାକ୍ ନାହିଁ । କର୍ଣ୍ଣାଟକରେ ସିଦ୍ଧରମୈୟା ସରକାର ଶପଥ ସମାରୋହକୁ, କଂଗ୍ରେସ ପାର୍ଟି ଅନ୍ୟ ସମସ୍ତ ବିରୋଧୀ ଶକ୍ତିଙ୍କୁ ନିମନ୍ତ୍ରଣ କରିଥିବା ବେଳେ, ଆପ୍କୁ ନିୟୁତା ଦେଇ ନଥିଲା । କଂଗ୍ରେସ ଏବଂ ଆପ୍ ସଂପର୍କରେ ଉନ୍ନତି ଆଣିବାକୁ ପ୍ରୟାସ କରୁଛନ୍ତି ନୀତୀଶ ଏବଂଶରଦ ପାୱାର । ଅପର ପକ୍ଷରେ ରାଜ୍ୟସଭାରେ କଂଗ୍ରେସର ବିନା ସହଯୋଗରେ ଅଧ୍ୟାଦେଶ କାଟ୍ ଖାଇବା ଅସମ୍ଭବ । କଂଗ୍ରେସ ପାର୍ଟି ଦିଲ୍ଲୀ ଅଧ୍ୟାଦେଶକୁ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେଇ ନଥିବା, ଦଳର ମହାସଚିବ ବେଣୁଗୋପାଳ ଟ୍ବିଟ ଜରିଆରେ ସୂଚନା ଦେଇଛନ୍ତି । ତେବେ ବିରୋଧୀ ମଞ୍ଚର ଆଲୋଚନାରୁ କଂଗ୍ରେସ-ଆପ୍ ତିକ୍ତ ସଂପର୍କରେ ବିରାମ ଲାଗିବା ସମ୍ଭାବନା ରହିଛି ।
ଯଦି କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶକୁ ସଂସଦର ସ୍ବୀକୃତି ମିଳେ । ତେବେ ଦିଲ୍ଲୀରେ ସରକାରୀ ବାବୁଙ୍କ ନିଯୁକ୍ତି ଏବଂ ବଦଳିର ଅଧିକାର ଉପରାଜ୍ୟପାଳଙ୍କ ହାତରେ ରହିବ । ଯାହାକୁ ନେଇ ଗତ କିଛି ବର୍ଷ ଧରି ଦିଲ୍ଲୀ ସରକାର ଏବଂ ଉପରାଜ୍ୟପାଳଙ୍କ ମଧ୍ଯରେ ଟକରା ଟକରି ସ୍ଥିତି ସୃଷ୍ଟି ହୋଇଛି ।
ଲୋକସଭାରେ ବିଜେପି ନେତୃତ୍ବାଧୀନ ଏନଡିଏ ନିକଟରେ ପୂର୍ଣ୍ଣ ବହୁମତ ରହିଛି । ଲୋକସଭାରେ 543 ନିର୍ବାଚିତ ସାଂସଦଙ୍କ ମଧ୍ଯରୁ ଏନଡିଏରୁ ରହିଛନ୍ତି 329 ଜଣ । ତେବେ ରାଜ୍ୟସଭାରେ କଠିନ ପରୀକ୍ଷାର ସାମ୍ନା କରିପାରେ ଶାସକ ପକ୍ଷ । 245 ସଦସ୍ୟ ବିଶିଷ୍ଟ ରାଜ୍ୟସଭାରେ, ବିଜେପି ସଦସ୍ୟଙ୍କ ସଂଖ୍ଯା 93 । ବିଭିନ୍ନ ସମୟରେ ରାଜ୍ୟସଭାରେ ବିଜେପିକୁ ସମର୍ଥନ କରି ଆସିଛନ୍ତି ଓଡ଼ିଶାର ବିଜୁଜନତା ଦଳ ଏବଂ ଆନ୍ଧ୍ର ପ୍ରଦେଶର ୱାଇଏସଆର କଂଗ୍ରେସ । ରାଜ୍ୟସଭାରେ ବିଜେଡିରୁ 9 ଏବଂ YSRCPରୁ 9 ସାଂସଦ ଅଛନ୍ତି । ଦିଲ୍ଲୀ ଅଧ୍ୟାଦେଶ ପ୍ରସଙ୍ଗରେ ଏହି ଦୁଇ ଦଳର ସମର୍ଥନରେ ବିଲ୍ ପାସ୍ ପାଇଁ ଲକ୍ଷ୍ୟ ରଖିଛି ବିଜେପି । ସେପଟେ ଆମ ଆଦମୀ ପାର୍ଟି ପାଇଁ, ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକର ସମର୍ଥନ ଜରୁରୀ । ରାଜ୍ୟସଭାରେ କଂଗ୍ରେସରୁ 31 ଜଣ ସଦସ୍ୟ ଅଛନ୍ତି । ସେହିପରି AAP 10, TMCରୁ 12, DMKରୁ 10, BRSରୁ 7, RJDରୁ 6, JDUରୁ 5, CPIMରୁ 5, CPIରୁ 2, NCPରୁ 4, ଉଦ୍ଧବ ଶିବସେନାରୁ 3, ସମାଜବାଦୀ ପାର୍ଟିରୁ 3, JMMରୁ 2 ଏବଂ TDPରୁ ଜଣେ ରାଜ୍ୟସଭା ସଦସ୍ୟ ଅଛନ୍ତି । ଏହାସହ AGP, IUML, JDS, କେରଳ କଂଗ୍ରେସ , MDMK, RLD, ତାମିଲ ମାନିଲା କଂଗ୍ରେସ ସାଂସଦକୁ ମିଶାଇଲେ ମୋଟ ବିରୋଧୀ ସଂଖ୍ୟା 108 ହେଉଛି ।
ଜାତୀୟ ରାଜନୀତିରେ ବିରୋଧୀ ଏକତା ନେଇ ଅଭିଯାନ ଚାଲିଥିବା ବେଳେ, ନିଜ ସ୍ବାର୍ଥ ପାଇଁ ବିରୋଧୀଙ୍କ ସହଯୋଗ ସାଉଁଟୁଛି ଆମ ଆଦମୀ ପାର୍ଟି । ତେବେ ସଫଳ ହେବେ କି କେଜ୍ରିୱାଲ ! ରାଜ୍ୟସଭାରେ ଅଧ୍ୟାଦେଶ କାଟ୍ ଖାଇବା ପାଇଁ ବିରୋଧୀ ପକ୍ଷଙ୍କୁ ଏକାଠି କରିପାରିବେ କି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ! କେଜ୍ରିୱାଲଙ୍କୁ ବିନା ସର୍ତ୍ତରେ ସମର୍ଥନ କରିବ କି କଂଗ୍ରେସ ! 2024 ନିର୍ବାଚନ ପୂର୍ବରୁ, ରାଜ୍ୟସଭାରେ ଏକଜୁଟ ହୋଇପାରିବେ କି ବିରୋଧୀ ! ବିରୋଧୀ ଏକତାକୁ ନେଇ ଏଭଳି ଅନେକ ପ୍ରଶ୍ନ ଉଙ୍କିମାରୁଛି ।
ପଢନ୍ତୁ ଏହି ଖବର:
5G Phone Offer: ୨୦୦୦ ଟଙ୍କାରେ କିଣିପାରିବେ ୨୯ ହଜାରର ସ୍ମାର୍ଟ ଫୋନ୍ !ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।