News18 Odia Digital
Karnataka Assembly Election: ଏଥର କ'ଣ ହେବ କର୍ଣ୍ଣାଟକ ରେଜଲ୍ଟ? (Karnataka Election Result) ୧୯୮୫ରୁ ଜାରି ରହିଥିବା ଧାରା ବଜାୟ ରହିବ ନା ଏଇଠି ଲାଗିବ ବ୍ରେକ୍ ? କଂଗ୍ରେସ (Congress) ନା ବିଜେପି (BJP) କହାକୁ ମିଳିବ ପୂର୍ଣ୍ଣ ବହୁମତ? ନା ଗତ ଥର ଭଳି ପୁଣି ଜେଡିଏସ୍ (JDS) ହେବ କିଙ୍ଗ୍ ମେକର୍ ? ଯଦି କଂଗ୍ରେସ ଜିତେ, ତେବେ କିଏ ହେବ ମୁଖ୍ୟମନ୍ତ୍ରୀ? ସିଦ୍ଧରମୈୟା ନା ଡିକେ ଶିବକୁମାର! ସେହିଭଳି ବିଜେପି ବିଜୟୀ ହେଲେ ବୋମାଇଙ୍କ ନେତୃତ୍ବ ହେବ କି ରିପିଟ୍? ନା ଆଉ କେହି ହେବେ ଡାର୍କ ହର୍ସ !
କିଏ ହେବେ କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ?ନା କଂଗ୍ରେସ ନା ବିଜେପି, କେହି ବି ଘୋଷଣା କରିନାହାଁନ୍ତି ସେମାନଙ୍କ ମୁଖ୍ୟନ୍ତ୍ରୀ ଚେହେରା ବା ସିଏମ୍ ଫେସ୍। ତେବେ କଂଗ୍ରେସ ପକ୍ଷରୁ ଉଭୟ ସିଦ୍ଧରମୈୟା ଏବଂ ଡିକେ ଶିବକୁମାର ମୁଖ୍ୟମନ୍ତ୍ରୀ ପଦ ପାଇଁ ଦୌଡ଼ରେ ଥିବା ବେଳେ ବିଜେପିର ଚିତ୍ର ଅସ୍ପଷ୍ଟ। ବାସବରାଜ ବୋମାଇଙ୍କୁ ଦଳ ଆଉ ୫ ବର୍ଷ ପାଇଁ ଚାନ୍ସ ଦେବ କି ନାହିଁ, ତାହା ଏବେଠୁ କହିବା ମୁସ୍କିଲ୍। ବିଜେପି ବିଜୟ କ୍ଷୀଣ ଲାଗୁଥିବା ବେଳେ କଂଗ୍ରେସର ପଲା ଭାରି ରହିଛି। କାରଣ ନିର୍ବାଚନ ପୂର୍ବରୁ ବିଭିନ୍ନ ଓପିନିଅନ୍ ପୋଲ୍ସ ଏବଂ ପୋଲ୍ ଅଫ୍ ପୋଲ୍ସର ଆକଳନରେ ବର୍ତ୍ତମାନ ସୁଦ୍ଧା ବିଜେପି ଠାରୁ ଯଥେଷ୍ଟ ଆଗରେ ରହିଛି କଂଗ୍ରେସ।
ସେପଟେ ଝୁଲା ରେଜଲ୍ଟକୁ ଅପେକ୍ଷା କରିଛି ଜେଡିଏସ୍। ଗତଥର ଭଳି ଏଥର କିଙ୍ଗ୍ ମେକର୍ ହୋଇ ବଡ଼ ବାର୍ଗେନିଂ ଅପେକ୍ଷାରେ ଏଚ୍. ଡି. କୁମାରସ୍ବାମୀଙ୍କ ଜେଡିଏସ୍। ମୁଖ୍ୟମନ୍ତ୍ରୀ ପଦ ପ୍ରତି ଉଭୟ ସିଦ୍ଧରମୈୟା ଏବଂ ଶିବକୁମାରଙ୍କର ରହିଛି ପ୍ରବଳ ଦୁର୍ବଳତା। ପୁଣି ଉଭୟେ ପପୁଲାର୍ ଏବଂ ପାୱାରଫୁଲ୍। ଏଭଳି ସ୍ଥିତିରେ ଯଦି କଂଗ୍ରେସ ଜିତେ, ତେବେ କାହାର ହେବ ଜିତାପଟ?
୭୫ ବର୍ଷୀୟ ସିଦ୍ଧରମୈୟା ନା ୬୧ ବର୍ଷୀୟ ଡିକେ ଶିକୁମାର। କାହାରୁ ବାଛିବେ ବିଧାୟକ? ଆଉ କାହା ନାଁରେ ମୋହର ମାରିବେ କଂଗ୍ରେସ ହାଇକମାଣ୍ଡ? ସିଦ୍ଧରମୈୟା ଗୋଟେ ଟର୍ମ ପୂରା ମୁଖ୍ୟମନ୍ତ୍ରୀ ରହିଥିବା ବେଳେ ଶିବକୁମାର ଏଯାଏ ସିଏମ୍ ହୋଇନାହାଁନ୍ତି। ସିଏମ୍ ଚେହେରା ପାଇଁ ଉଭୟ ଆଶାୟୀ ଥିଲେ ମଧ୍ୟ ନିର୍ବାଚନରେ ଦଳ ପାଇଁ ଏକ୍ ହୋଇ କାମ କରୁଛନ୍ତି। ଉଭୟ ନେତା କଂଗ୍ରେସର କମବ୍ୟାକ୍ ପାଇଁ ଫୁଲ୍ ଦମ୍ ଲଗାଇ ଦେଇଛନ୍ତି। ଏଭଳି ସ୍ଥିତିରେ ରେଜଲ୍ଟ ଯଦି କଂଗ୍ରେସ ସପକ୍ଷରେ ଯାଏ, ତେବେ ଟପ୍ ପୋଷ୍ଟ ପାଇଁ ଏହି ଦୁହିଁଙ୍କୁ ନେଇ କିଛିଟା ସମସ୍ୟା ସୃଷ୍ଟି ହୋଇପାରେ ।
ଏହା ତାଙ୍କର ଶେଷ ନିର୍ବାଚନ ବୋଲି କହି ସାରିଛନ୍ତି ୭୫ ବର୍ଷୀୟ ସିଦ୍ଧରମୈୟା। କାହିଁକି ଏମିତି କହିଲେ ସେ ? ସିଦ୍ଧଙ୍କ ଏଭଳି କହିବା ପଛରେ ଦୁଇଟି ଦିଗ ରହୁଛି । ପ୍ରଥମଟି ଶେଷ ନିର୍ବାଚନ କହି ସେ, ଭୋଟରଙ୍କ ଆଶୀର୍ବାଦ ଲୋଡ଼ିଛନ୍ତି । ଆଉ ଦ୍ବିତୀୟଟି ହେଉଛି, ହାଇକମାଣ୍ଡଙ୍କ ଦୃଷ୍ଟି ଆକର୍ଷଣ । ଅର୍ଥାତ ଏହା ତାଙ୍କର ଶେଷ ନିର୍ବାଚନ, ତେଣୁ ଶେଷ ଥର ତାଙ୍କୁ ହିଁ ମୁଖ୍ୟମନ୍ତ୍ରୀ ଭାବେ ଦିଆଯାଉ ସୁଯୋଗ। ସେପଟେ ୬୧ ବର୍ଷୀୟ ଶିବକୁମାରଙ୍କ ପାଇଁ ଆଗକୁ ଚାନ୍ସ ରହୁଛି। ଏଭଳି ସ୍ଥିତିରେ ସିଦ୍ଧରମୈୟାଙ୍କ ପଲା, ଶିବକୁମାରଙ୍କ ଠାରୁ ଟିକେ ଭାରି ଲାଗୁଛି। ତଥାପି ନିର୍ବାଚନ ପରବର୍ତ୍ତୀ ରେଜଲ୍ଟ, ବିଧାୟକ ଦଳର ଚୟନ ଏବଂ ସର୍ବୋପରି ହାଇକମାଣ୍ଡଙ୍କ ନିଷ୍ପତ୍ତି ହିଁ ସ୍ପଷ୍ଟ କରିବ ସିଦ୍ଧରମୈୟା ନା ଶିବକୁମାର। କାହାକୁ ମିଳିବ କର୍ଣ୍ଣାଟକ କମାଣ।
ଶିବକୁମାର ଜଣେ ପକ୍କା କଂଗ୍ରେସିଆ ହୋଇଥିବା ବେଳେ ଜେଡିଏସରୁ ଆମଦାନୀ ହୋଇଛନ୍ତି ସିଦ୍ଧରମୈୟା। ୨୦୦୫ରେ ଜେଡିଏସରୁ ନିଲମ୍ବନ ହେବା ପରେ କଂଗ୍ରେସକୁ ଆସିଛନ୍ତି ସେ । ସେବେଠାରୁ ସେ ନିଜକୁ ପକ୍କା କଂଗ୍ରେସିଆ ବୋଲି ପ୍ରମାଣିତ କରି ଚାଲିଛନ୍ତି । କିନ୍ତୁ ଏବେ ବି କିଛି କଂଗ୍ରେସ ନେତାଙ୍କ ନଜରରେ ସେ ଆଉଟ୍ ସାଇଡର୍ । ତେବେ ସେ ଯାହାବି ହେଉ, କଂଗ୍ରେସ ଯଦି ଏକାକୀ ସଂଖ୍ୟା ଗରିଷ୍ଠତା ହାସଲ କରେ, ତେବେ ସିଦ୍ଧରମୈୟାଙ୍କ ସପକ୍ଷରେ ଯାଇପାରେ ନିଷ୍ପତ୍ତି।
ଆଉ ଯଦି ମ୍ୟାଜିକ୍ ନମ୍ବର ଠାରୁ ଟିକେ ପଛରେ ରହିଯାଏ ଏବଂ କୁମାରସ୍ବାମୀଙ୍କ ଜେଡିଏସ୍ କିଙ୍ଗ ମେକର୍ ଭୂମିକାକୁ ଆସିଯାଏ, ତେବେ ସିଦ୍ଧଙ୍କ ଆଶା ହୁଏତ, ଧୂଳିସାତ ହୋଇଯାଇପାରେ । ଏଭଳି ସ୍ଥିତିରେ ଯଦି କଂଗ୍ରେସକୁ ଜେଡିଏସ୍ ସହ ଡିଲ୍ କରିବାକୁ ପଡ଼େ, ତେବେ ସିଏମ୍ ପଦ ପାଇଁ ଶିବକୁମାରଙ୍କ ପଲା ଭାରିହେବା ସମ୍ଭାବନା ଅଧିକ ।
ବିଜେପି କହୁଛି କର୍ଣ୍ଣାଟକରେ ଏଥର ସୃଷ୍ଟି ହେବ ଇତିହାସ । ଅର୍ଥାତ, ୧୯୮୫ରୁ ରାଜ୍ୟରେ ପଟ ପରିବର୍ତ୍ତନ ହୋଇ ଆସୁଥିବା ବେଳେ ଏଥର କିନ୍ତୁ ସରକାର ରିପିଟ୍ ହେବ ବୋଲି କହୁଛି ବିଜେପି । ଯଦି ବିଜେପି ନେତାଙ୍କ ଆକଳନ ସତ ହୁଏ, ତେବେ କିଏ ହେବେ ମୁଖ୍ୟମନ୍ତ୍ରୀ ? ବିଏସ୍. ୟେଦିୟୁରପ୍ପା, କର୍ଣ୍ଣାଟକରେ ବିଜେପିର ପ୍ରାଣ ପ୍ରତିଷ୍ଠାତା ହୋଇଥିବା ବେଳେ ୨୦୨୧ରେ ବିଜେପି ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦେଇଛି ।
ବାସବରାଜ ବୋମାଇଙ୍କୁ ଦଳ ମୁଖ୍ୟମନ୍ତ୍ରୀ ଆସନରେ ବସାଇଛି, ହେଲେ ନିର୍ବାଚନ କିନ୍ତୁ ତାଙ୍କ ନେତୃତ୍ବରେ ଲଢୁନି । ଦଳକୁ ପୁଣି ଲୋଡ଼ା ପଡ଼ିଛନ୍ତି ଲିଙ୍ଗାୟତ ଟଲ୍ ଫିଗର୍ ୟେଦିୟୁରପ୍ପା । ତେଣୁ ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ଚୟନରେ ୟେଦିଙ୍କ ଭୂମିକା ଅଧିକ ରହିବ । ୟେଦିଙ୍କ ପସନ୍ଦ ଅନୁସାରେ ହିଁ କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଚୟନ କରାଯିବ ବୋଲି କହି ସାରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।
ସେପଟେ ବୋମାଇଙ୍କ ନେତୃତ୍ବରେ ସରକାର ରିପିଟ୍ ହେବ ବୋଲି ସଙ୍କେତ ଦେଇ ସାରିଛନ୍ତି ଜେପି ନଡ୍ଡା । କର୍ଣ୍ଣାଟକ ବିଜେପିର ଅଧିକାଂଶ ନେତା ଚାହୁଁଛନ୍ତି ଲିଙ୍ଗାୟତ ସଂପ୍ରଦାୟରୁ କେହି ଜଣେ ହୁଅନ୍ତୁ ମୁଖ୍ୟମନ୍ତ୍ରୀ । ଏ ଦୃଷ୍ଟିରୁ ଦେଖିଲେ, ବୋମାଇଙ୍କ ପାଇଁ କିଛିଟା ଚାନ୍ସ ରହୁଛି । ଆଉ କିଛି ପ୍ରମୁଖ ଲିଙ୍ଗାୟତ ନେତା ମଧ୍ୟ ଏଥିପାଇଁ ଭିତିରିଆ ଲବି ଆରମ୍ଭ କରି ଦେଇଥିବା ଶୁଣିବାକୁ ମିଳୁଛି ।
ସେହିପରି ପାର୍ଟି ହାଇକମାଣ୍ଡଙ୍କ କଥା ମାନି ଏଥର ନିର୍ବାଚନ ଲଢ଼ି ନଥିବା ପୂର୍ବତନ ମନ୍ତ୍ରୀ କେ. ଏସ୍. ଈଶ୍ବରପ୍ପା, ରାଜ୍ୟ ବିଜେପି ସଭାପତି ସିଟି ରବିଙ୍କ ପାଇଁ ଲବି ଚଳାଇଥିବା ଚର୍ଚ୍ଚା ହେଉଛି । ଏସବୁ ଭିତରେ ଡାର୍କ ହର୍ସ ସମ୍ଭାବନାକୁ ଏଡ଼ାଯାଇ ପାରୁନି । ବିଜେପି ହାଇକମାଣ୍ଡଙ୍କ ଫୁଲ୍ କନ୍ଫିଡେନ୍ସରେ ଥିବା କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଶୋଭା କରନ୍ଦଲାଜେ, ଡାର୍କ ହର୍ସ ଭାବେ ଉଭା ହେବା ସମ୍ଭାବନା ରହୁଛି। ଉତ୍ତରପ୍ରଦେଶ ନିର୍ବାଚନରେ ଦଳୀୟ ନିଷ୍ପତ୍ତିକୁ ସଫଳତାର ସହ କାର୍ଯ୍ୟକାରୀ କରାଇଥିବା ଶୋଭା କରନ୍ଦଲାଜେ, ୟେଦିୟୁରପ୍ପାଙ୍କର ମଧ୍ୟ ଖାସ୍ ଅନୁଗତ।
ପଢ଼ନ୍ତୁ ଏହି ଖବର: Aamir Khan: ଶାନ୍ତି ଖୋଜିବାକୁ ବାହାରିଲେ ଆମୀର ଖାନ; ଦେଶ ଛାଡ଼ି ଚାଲିଗଲେ !୧୩ ତାରିଖରେ ସ୍ପଷ୍ଟ ହେବ କର୍ଣ୍ଣାଟକ ଚିତ୍ର । ତା ପରେ ହିଁ ଜଣାପଡ଼ିବ କିଏ ଗଢ଼ିବ ସରକାର । ଆଉ ତା ପରେ ହିଁ ଆରମ୍ଭ ହେବ ସିଏମ୍ ପୋଷ୍ଟ ପାଇଁ ପ୍ରକୃତ ଲବି ଏବଂ ଲେ ଆଉଟ୍ ।
ରିପୋର୍ଟ- ଅମରେଶ ରାଉତନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।