News18 Odia Digital
Al Qaeda New Chief Name: ଆଫଗାନିସ୍ତାନର କାବୁଲରେ ଆତଙ୍କବାଦୀ ସଙ୍ଗଠନ ଅଲ କାଏଦାର ମୁଖ୍ୟ ଆୟମାନ ଅଲ-ଜାୱାହିରିଙ୍କୁ ହତ୍ୟା କରିଥିବା ଆମେରିକା ଦାବି କରିଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ନିଜେ ଘୋଷଣା କରିଛନ୍ତି ଯେ ୯/୧୧ ଆକ୍ରମଣ ପାଇଁ ଓସାମା ବିନ୍ ଲାଡେନଙ୍କ ସହ ଷଡ଼ଯନ୍ତ୍ର କରିଥିବା ଆୟମାନ ଅଲ-ଜାୱାହିରିଙ୍କୁ ହତ୍ୟା କରାଯାଇଛି।
ଜାୱାହିରିଙ୍କ ମୃତ୍ୟୁ ପରେ ଅଲ-କାଏଦା ମୁଖ୍ୟଙ୍କ ପଦ ଖାଲି ପଡ଼ିଛି। ଏହି ସମୟରେ ପ୍ରଶ୍ନ ହେଉଛି, ବର୍ତ୍ତମାନ ଅଲ କାଏଦାର ଶାସନ କିଏ ଗ୍ରହଣ କରିବ? ଏଭଳି ପରିସ୍ଥିତିରେ ଅଲ କାଏଦାର ପରବର୍ତ୍ତୀ ମୁଖ୍ୟ ଭାବରେ କୁଖ୍ୟାତ ଆତଙ୍କବାଦୀ ସୈଫ ଅଲ-ଆଦିଲଙ୍କ ନାମକୁ ନେଇ ଚର୍ଚ୍ଚା ଜୋର ଧରିଛି।
ଅଲ କାଏଦାର ପରବର୍ତ୍ତୀ ମୁଖ୍ୟ କିଏ ହେବ?
ଡେଲି ମେଲରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଆତଙ୍କବାଦୀ ସୈଫ ଅଲ ଆଦିଲଙ୍କୁ ଅଲ କାଏଦାର ପରବର୍ତ୍ତୀ ମୁଖ୍ୟ କରାଯାଇପାରିବ। ସୈଫ ଅଲ-ଆଦିଲ ଇଜିପ୍ଟ ସେନାରେ ଜଣେ ଅଧିକାରୀ ରହିଆସିଛନ୍ତି। ଏହା ବ୍ୟତୀତ ସେ ଅଲ କାଏଦାର ପ୍ରତିଷ୍ଠାତା ସଦସ୍ୟମାନଙ୍କ ମଧ୍ୟରୁ ଜଣେ। ଅଲ-କାଏଦା ପୂର୍ବରୁ ଆତଙ୍କବାଦୀ ସୈଫ ଅଲ-ଆଦିଲ ୧୯୮୦ ଦଶକରେ ଆତଙ୍କବାଦୀ ସଙ୍ଗଠନ ମକତବ-ଅଲ-ଖିଦମତର ଅଂଶବିଶେଷ ଥିଲେ। ସୂଚନାନୁସାରେ, ଆତଙ୍କବାଦୀ ସୈଫ ଅଲ-ଆଦିଲଙ୍କ ବୟସ ବର୍ତ୍ତମାନ ୬୦ ବର୍ଷ।
ଏତେ ଭୟଙ୍କର ଆତଙ୍କବାଦୀ ସୈଫ ଅଲ ଆଦିଲ
ଯେତେବେଳେ ଆତଙ୍କବାଦୀ ସୈଫ ଅଲ ଆଦିଲଙ୍କୁ ୩୦ ବର୍ଷ ହୋଇଥିଲା, ସେତେବେଳେ ସେ ସୋମାଲିଆର ମୋଗାଡିଶୁରେ କୁଖ୍ୟାତ 'ବ୍ଲାକ୍ ହକ୍ ଡାଉନ୍' ଅପରେସନର ନେତୃତ୍ୱ ନେଇଥିଲେ ଯେଉଁଥିରେ ୧୯ ଜଣ ଆମେରିକୀୟ ସୈନିକ ନିହତ ହୋଇଥିଲେ। ପରେ ସେମାନଙ୍କ ମୃତଦେହକୁ ମଧ୍ୟ ରାସ୍ତାରେ ଟାଣି ଟାଣି ନିଆଯାଇଥିଲା। ଆପଣ ଏଥିରୁ ଅନୁମାନ କରିପାରିବେ ଯେ ସୈଫ ଅଲ ଆଦିଲ କେତେ ଭୟଙ୍କର।
ଆତଙ୍କବାଦୀ ସୈଫ ଅଲ ଆଦିଲଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ
ଓସାମା ବିନ୍ ଲାଡେନଙ୍କ ମୃତ୍ୟୁ ପରେ ରଣନୀତିଜ୍ଞ ଭାବରେ ଆତଙ୍କବାଦୀ ସୈଫ ଅଲ-ଆଦିଲଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିଲା। ତେବେ ଆତଙ୍କବାଦୀ ସୈଫ କେଉଁଠାରେ ଅଛନ୍ତି ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ? ସୂଚନାନୁସାରେ, ଗତ ୧୯ ବର୍ଷ ଧରି ଆତଙ୍କବାଦୀ ସୈଫ ଇରାନରେ ଫସି ରହିଥିଲେ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।