ବିଶ୍ୱର ଦ୍ରୁତତମ ଦୌଡ଼ାଳି କିଏ? ଉସାଇନ୍ ବୋଲ୍ଟ ନା କର୍ଣ୍ଣାଟକରେ ମଇଁଷି ସହ ଦୌଡ଼ୁଥିବା ଲୋକ?

ଦୁଇଟି ମଇଁଷିଙ୍କ ସହ ଏକ କାଦୁଆ ଖେତରେ ଦୌଡ଼ିବା ସତ୍ୱେ ଶ୍ରୀନିବାସ ଗୌଡ଼ ବିଶ୍ୱର ଦ୍ରୁତତମ ଦୌଡ଼ାଳି ଉସାଇନ୍ ବୋଲ୍ଟଙ୍କ ବିଶ୍ବ ରେକର୍ଡର ବେଗ ଠାରୁ ୦.୩ ସେକେଣ୍ଡ କମ୍ ସମୟରେ ୧୦୦ ମିଟର ଦୌଡ଼ି ପାରିଛନ୍ତି ।

ବିଶ୍ୱର ଦ୍ରୁତତମ ଦୌଡ଼ାଳି କିଏ? ଉସାଇନ୍ ବୋଲ୍ଟ ନା କର୍ଣ୍ଣାଟକରେ ମଇଁଷି ସହ ଦୌଡ଼ୁଥିବା ଲୋକ?
ମଇଁଷି ସହ କାଦୁଆ ଖେତରେ ଦୌଡ଼ୁଛନ୍ତି ଶ୍ରୀନିବାସ ଗୌଡ଼ । (ଫଟୋ: ଡି.ପି. ସତୀଶ)
  • News18 Odia
  • Last Updated: February 15, 2020, 2:15 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ଡି.ପି. ସତୀଶ | News18 Digital

ବେଙ୍ଗାଲୁରୁ: ଲାଗୁଛି ଉସାଇନ୍‌ ବୋଲ୍ଟଙ୍କ ପାଇଁ ଆଉ ଏକ ପ୍ରତିଯୋଗିତା ସୃଷ୍ଟି ହେଲାଣି! କର୍ଣ୍ଣାଟକର ଜଣେ ଗ୍ରାମବାସୀ ଏକ ପାରମ୍ପରିକ ମଇଁଷି ଦୌଡ଼ (କମ୍ବାଲା) ରେ ଭାଗ ନେଇ ୧୪୨.୫୦ ମିଟର ଦୂରତା ମାତ୍ର ୧୩.୬୨ ସେକେଣ୍ଡରେ ଅତିକ୍ରମ କରିଛନ୍ତି ଆଉ ରାତାରାତି ଚର୍ଚ୍ଚିତ ହୋଇଛନ୍ତି ।

କର୍ଣ୍ଣାଟକର ଉପକୂଳବର୍ତ୍ତୀ ଅଞ୍ଚଳରେ ୨୮ ବର୍ଷୀୟ କମ୍ବାଲା ଜକି ଶ୍ରୀନିବାସ ଗୌଡ଼ ଏହି ପାରମ୍ପରିକ ଖେଳରେ ଏ ଯାବତ ଦ୍ରୁତତମ ଦୌଡାଳି ସାବ୍ୟସ୍ତ ହୋଇଛନ୍ତି । ସେ ଏହି ଖେଳର ୩୦ ବର୍ଷର ରେକର୍ଡ ଭାଙ୍ଗି ଇତିହାସ ରଚ଼ିଛନ୍ତି । ତାଙ୍କର ଏହି ଉପଲବ୍ଧିକୁ ବିଶ୍ୱର ଦ୍ରୁତତମ ଦୌଡ଼ାଳି ଉସାଇନ୍‌ ବୋଲ୍ଟଙ୍କ ବିଶ୍ବ ରେକର୍ଡ ଦୌଡ଼ ସହିତ ତୁଳନା କରାଯାଉଛି । ବୋଲ୍ଟ ମାତ୍ର ୯.୫୮ ସେକେଣ୍ଡରେ ୧୦୦ ମିଟର ଦୂରତା ଅତିକ୍ରମ କରିଥିଲେ ।

ଗୌଡ଼ ୧୩.୬୨ ସେକଣ୍ଡରେ ୧୪୨.୫୦ ମିଟର ଦୌଡିବା ପରେ ଲୋକେ ହିସାବ କରିଦେଖିଲେ ୧୦୦ ମିଟର ଦୂରତା ସେ କେତେ ସମୟରେ ଅତିକ୍ରମ କରିଥା’ନ୍ତେ । ଜଣା ପଡ଼ିଲା ଯେ ତାଙ୍କୁ ମାତ୍ର ୯.୫୫ ସେକେଣ୍ଡ ଲାଗିଥାନ୍ତା, ମାନେ ସେ ବୋଲ୍ଟଙ୍କ ରେକର୍ଡ଼ ସୃଷ୍ଟିକରିଥିବା ସମୟ ଠାରୁ ୦.୩ ସେକେଣ୍ଡ କମ୍‌ ସମୟରେ ୧୦୦ ମିଟର ଦୌଡ଼ି ପାରନ୍ତି ।

ଏହି ଦୁଇଟି ରେକର୍ଡକୁ ଆବଶ୍ୟ ସିଧାସଳଖ ଭାବେ ତୁଳନା କରିହେବ ନାହିଁ କାରଣ ଶ୍ରୀନିବାସ ଜଣେ କମ୍ବାଲା ଜକି ଓ ସେ ଜୋଡ଼େ ମଇଁଷିଙ୍କ ସହ ଦୌଡୁଥିଲେ, ଆଉ ଦୌଡ଼ର ବେଗ ଏହି ପଶୁ ଦୁଇଟି ହିଁ ସୃଷ୍ଟି କରୁଥିଲେ । ତା‘ଛଡ଼ା ଏହି ଦୌଡ଼ ପ୍ରତିଯୋଗିତା ଏକ କାଦୁଆ ପଡ଼ିଆରେ ହେଉଥିଲା, ଯେଉଁଥି ପାଇଁ ବେଗ କମ୍‌ ରହିବା ସ୍ୱାଭାବିକ ଥିଲା ।

କୌଣସି ତୁଳନା ନ କଲେ ବି ଗୌଡ଼ଙ୍କର ଉପଲବ୍ଧି ଉଲ୍ଲେଖନୀୟ । କମ୍ବାଲା ହେଉଛି କର୍ଣ୍ଣାଟକର ମାଙ୍ଗାଲୋର ଓ ଉଡୁପି ଉପକୂଳବର୍ତ୍ତୀ ଅଞ୍ଚଳରେ ଆୟୌଜିତ ହୋଇଆସୁଥିବା ଏକ ପୁରାତନ ଓ ପାରମ୍ପରିକ ମଇଁଷି ଦୌଡ଼ର ଖେଳ । କାଦୁଅ ଓ ପଙ୍କରେ ଭରା ଧାନ କ୍ଷେତରେ ଏହି ଖେଳ ଖେଳାଯାଏ । କର୍ଣ୍ଣାଟକରେ ଅନେକ ଗାଁ କମ୍ବାଲାର ଆୟୋଜନ କରନ୍ତି । ଡଜନ ଡଜନ ଯୁବକ ଉତ୍ସାହରେ ନିଜର ସର୍ବଶ୍ରେଷ୍ଠ ତାଲିମ ଦେଇଥିବା ମଇଁଷିମାନଙ୍କ ସହ ଏହି ପ୍ରତିଯୋଗିତାରେ ଭାଗ ନିଅନ୍ତି ।

୨୮ ବର୍ଷୀୟ ଗୌଡ଼ଙ୍କୁ ବିଜୁଳି ବେଗରେ ଦୌଡୁଥିବାର ଦେଖିଥିବା ସ୍ଥାନୀୟ ଲୋକଙ୍କ କହିବାନୁସାରେ ତାଙ୍କ ମୁହଁରେ ଥିବା ଖୁସିରୁ ଏକ ସଂସ୍କୃତିକୁ ମନପ୍ରାଣ ଦେଇ ବଞ୍ଚେଇ ରଖିବାର ତାତ୍ପର୍ଯ୍ୟ ଝଲକୁଥିଲା ।

ଏହି ଦୌଡ଼ ତାଙ୍କୁ ରାତାରାତି ଚର୍ଚ୍ଚାକୁ ଆଣିବା ପରେ ହସ ହସ ମୁହଁର ଲାଜକୁଳା ଗୌଡ଼ ମିଡିଆକୁ କହିଥିଲେ ଯେ ତାଙ୍କୁ ମିଳିଥିବା ଅଦ୍ଭୁତ ପ୍ରତିକ୍ରିୟାରେ ସେ ଅଭିଭୂତ ।

‘‘ମୋତେ କମ୍ବାଲା ବହୁତ ଭଲ ଲାଗେ । ମୋ‘ ସଫଳତାର ଶ୍ରେୟ ମୁଁ ମୋର ଦୁଇ ମଇଁଷିଙ୍କୁ ଦେବି । ସେମାନେ ଭଲ ଦୌଡ଼ିଥିଲେ । ମୁଁ ତାଙ୍କୁ ପିଛା କରିଥିଲି ଓ ଦୌଡ଼େଇଥିଲି,’’ କହିଛନ୍ତି ଗୌଡ଼ ।

ତାଙ୍କର ଏହି ଅବିଶ୍ୱସନୀୟ କୃତିତ୍ବ ଇଣ୍ଟରନେଟରେ ଚ଼ହଳ ପକାଇଛି । ବିଶ୍ବ ସାରା ହଜାର ହଜାର ଲୋକ ଏହାକୁ ଟ୍ବିଟର ଓ ଫେସବୁକରେ ସେୟାର କରିଛନ୍ତି । ସରକାର ଗୌଡ଼ଙ୍କୁ ଅଲମ୍ପିକ ପାଇଁ ପ୍ରଶିକ୍ଷଣ ଦେବା ଉଚ଼ିତ ବୋଲି କେତେକ ଲୋକ କହିଛନ୍ତି ।

କିଛି ପଶୁ ଅଧିକାର କାର୍ଯ୍ୟକର୍ତ୍ତାଙ୍କ ଚ଼ାପରେ କମ୍ବାଲା ଖେଳକୁ କିଛି ବର୍ଷ ପୂର୍ବେ ବନ୍ଦ କରି ଦିଆଯାଇଥିଲା କାରଣ ଏ ଖେଳରେ ମହିଁଷିମାନଙ୍କୁ ଦୃତ ଗତିରେ ଦୌଡ଼େଇବା ପାଇଁ ଜକିମାନେ ତାଙ୍କୁ ଛାଟରେ ପିଟନ୍ତି । ହେଲେ କର୍ଣ୍ଣାଟକର ତତ୍କାଳୀନ ମୁଖ୍ୟ ମନ୍ତ୍ରୀ ସିଦ୍ଦରମୟାଙ୍କ କଂଗ୍ରେସ ସରକାର ଏକ ବିଶେଷ ଆଇନ ପ୍ରଣୟନ କରି ଏହି ଖେଳକୁ ଅନୁମତି ଦେଇଥିଲେ । କେତେକ ସ୍ଥାନରେ କମ୍ବାଲା ପ୍ରତିଯାଗିତାର ପୁରଷ୍କାର ରାଶି ବେଶ୍‌ କିଛି ଲକ୍ଷେ ଟଙ୍କା ହୋଇଥାଏ ।
First published: February 15, 2020, 2:15 PM IST
corona virus btn
corona virus btn
Loading