News18 Odia Digital
ଭୁବନେଶ୍ୱର: କଂଗ୍ରେସଠାରୁ ଏବେ ଅଧିକ ଧନୀ ତୃଣମୂଳ କଂଗ୍ରେସ । ବିଜେପି ପରେ ଦ୍ବିତୀୟ ସ୍ଥାନରେ ଟିଏମସି । ଗତ ୫ ବର୍ଷରେ ଟିଏମସିର ଆୟ ୯୦ ଗୁଣା ବଢ଼ିଛି । ସେପଟେ ବିଜେପିର ବାର୍ଷିକ ଆୟ ଏତେ ବୃଦ୍ଧି ପାଇଛି ଯେ, ଯାହା କି ଦେଶର ୭ଟି ଜାତୀୟ ରାଜନୈତିକ ଦଳର ମୋଟ୍ ଆୟଠାରୁ ମଧ୍ଯ ଅଧିକ । ନିର୍ବାଚନ କମିଶନଙ୍କ ଦ୍ବାରା ପ୍ରକାଶ ପାଇଛି ୨୦୨୧-୨୨ ବର୍ଷରେ ଜାତୀୟ ରାଜନୈତିକ ଦଳଗୁଡ଼ିକର ଇନକମ୍ ରିପୋର୍ଟ ।
ଗୋଟେ ମୁଠା ଲୁଣ କରିଦେବ ଆପଣଙ୍କୁ ମାଲାମାଲ; ଦୂର ହେବ ଅଶୁଭ ପ୍ରଭାବ!
କଂଗ୍ରେସ ଠାରୁ ତୃଣମୂଳ କଂଗ୍ରେସ ଧନୀ । ୨୦୨୧-୨୨ ବର୍ଷରେ ଦଳୀୟ ପାଣ୍ଠି ସଂଗ୍ରହରେ, କଂଗ୍ରେସକୁ ପଛରେ ପକାଇ ଦେଇଛି ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ । ନିର୍ବାଚନ କମିଶନଙ୍କ ଦ୍ବାରା ପ୍ରକାଶିତ ଜାତୀୟ ରାଜନୈତିକ ଦଳଗୁଡ଼ିକର ବାର୍ଷିକ ଅଡିଟ୍ ରିପୋର୍ଟରେ ଏହି ଖୁଲାସା ହୋଇଛି । ରିପୋର୍ଟ ଅନୁସାରେ, ୨୦୨୧-୨୨ରେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାର୍ଟି- ଟିଏମସିର ବାର୍ଷିକ ଆୟ ୫୪୫.୭୪ କୋଟି ଟଙ୍କା । ଯାହା କି, ଦେଶର ଦ୍ବିତୀୟ ବଡ଼ ରାଜନୈତିକ ଦଳ କଂଗ୍ରେସଠାରୁ ଅଧ୍ଯ ଅଧିକ । ୨୦୨୧-୨୨ରେ କଂଗ୍ରେସର ବାର୍ଷିକ ପାଣ୍ଠି ୫୪୧.୨୭ କୋଟି ଟଙ୍କା ହୋଇଛି । ଅର୍ଥାତ କଂଗ୍ରେସ ଦିନକୁ ଦିନ ଗରିବ ହେଉଥିବା ବେଳେ, ଟିଏମସି ଧନୀ ହେବାରେ ଲାଗିଛି । ବିଜେପି ପରେ ଟିଏମସି ଏବେ ଦୁଇ ନମ୍ବର ଧନୀ ଦଳ ହୋଇଛି ।
Mauni Amavasya: ଆଜି ମୌନୀ ଅମାବାସ୍ୟା; ଏହି ଉପାୟରେ ଶନିଦେଵଙ୍କୁ କରନ୍ତୁ ସନ୍ତୁଷ୍ଟ
୧୩୮ ବର୍ଷର ରାଜନୈତିକ ଦଳ କଂଗ୍ରେସ ପାର୍ଟିକୁ ଆର୍ଥିକ ଦୃଷ୍ଟିକୋଣରୁ ପଛରେ ପକାଇଛି ମାତ୍ର ୨୫ ବର୍ଷର ରାଜନୈତିକ ଶକ୍ତି ଟିଏମସି । ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ବଳିଷ୍ଠ ନେତୃତ୍ବ ଏବଂ କ୍ରମାଗତ ତୃତୀୟ ଥର ପାଇଁ ମୁଖ୍ଯମନ୍ତ୍ରୀ ହେବା ପରେ, ଦଳର ବିଶ୍ବସନୀୟତା ବଢ଼ିଛି । ସବୁଠୁ ବଡ଼ ତଥା ହେଲା, ଗତ ୫ ବର୍ଷ ମଧ୍ୟରେ ଟିଏମସିର ଆୟ ୯୦ ଗୁଣା ବଢ଼ିଛି । ୨୦୧୭-୧୮ରେ ଟିଏମସିକୁ ମିଳିଥିଲା ମାତ୍ର ୫.୧୬ କୋଟି । ୨୦୧୮-୧୯ରେ ପାଣ୍ଠି ସଂଗ୍ରହ ପରିମାଣ ୧୯୨.୬୫ କୋଟିରେ ପହଞ୍ଚିଥିଲା ।
୨୦୧୯-୨୦ରେ ୧୪୪.୭୩ କୋଟି ଏବଂ ୨୦୨୦-୨୧ରେ ମିଳିଥିଲା ୭୪.୪୧ କୋଟି । କୋରୋନା ମହାମାରୀ ଯୋଗୁଁ ୨୦୧୯ ରୁ ୨୦୨୧ ମଧ୍ଯରେ ଦଳୀୟ ପାଣ୍ଠି ସଂଗ୍ରହ ହ୍ରାସ ପାଇଥିବା ବେଳେ, ୨୦୨୧-୨୦୨୨ରେ ଜବରଦସ୍ତ ରୋଜଗାର ହୋଇଥିଲା । ୨୦୨୧ରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସିର ପ୍ରଚଣ୍ଡ ବହୁମତ ହାସଲ ପରେ, ଦଳ ପ୍ରତି ଆର୍ଥିକ ସହାୟତାର ସୁଅ ଛୁଟି ଥିଲା । ଫଳରେ ୨୦୨୧-୨୨ରେ ଟିଏମସି ସର୍ବାଧିକ ୫୪୫.୭୪ କୋଟି ଟଙ୍କା ହାତେଇଥିଲା।
Budget: ବଜେଟରେ ଅଧିକ ଆୟ ଦେଉଥିବା PLI ସ୍କିମକୁ ସାମିଲ କରିବେ ସରକାର
ବର୍ତ୍ତମାନ ଦେଶରେ ୯ଟି ଜାତୀୟ ରାଜନୈତିକ ଦଳ ଅଛନ୍ତି । ସେଗୁଡ଼ିକ ହେଲା ବିଜେପି, କଂଗ୍ରେସ, ଟିଏମସି, ଏନସିପି, ସିପିଆଇ, ସିପିଏମ୍, ଏନପିପି ଏବଂ ଆପ୍ । ଶେଷ ଦଳ ଭାବେ ଜାତୀୟ ପାର୍ଟି ମାନ୍ୟତା ପାଇଛି ଆମ୍ ଆଦମୀ ପାର୍ଟି । ୨୦୨୧-୨୨ବର୍ଷରେ ଜାତୀୟ ଦଳଗୁଡ଼ିକର ମୋଟ ଆୟ ୩ ହଜାର ୨୮୯ କୋଟି ୨୮ ଲକ୍ଷ ଟଙ୍କା । ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ୨୦୨୧-୨୨ ରେ ୭ଟି ଜାତୀୟ ଦଳର ମୋଟ ବାର୍ଷିକ ଆୟଠାରୁ, ଏକାକୀ ବିଜେପିର ରୋଜଗାର ଅଧିକ ରହିଛି । ବିଜେପିର ଆୟ ୧୯୧୭ କୋଟି ୧୨ ଲକ୍ଷ ହୋଇଥିବା ବେଳେ, ଅନ୍ୟ ୭ ଟି ଦଳର ମୋଟ ଆୟ ୧୩୭୨ କୋଟି ୧୬ ଲକ୍ଷ ରହିଛି । ବିଜେପିର ମୋଟ ଆୟ ମଧ୍ଯରୁ କେବଳ ଦାନ ଅର୍ଥ ହେଉଛି ୧୭୭୫ କୋଟି । ଏଥିରେ ୧୦୩୩ କୋଟି ହେଉଛି ଇଲେକ୍ଟୋରାଲ୍ ବଣ୍ଡ । ୧୯୧୭ କୋଟି ୧୨ ଲକ୍ଷ ଟଙ୍କା ସହ ବିଜେପି, ଧନୀ ତାଲିକାରେ ଶୀର୍ଷରେ ଥିବା ବେଳେ, ୫୪୫ କୋଟି ୭୪ ଲକ୍ଷ ସହ ଦ୍ବିତୀୟରେ ଟିଏମସି ଏବଂ ୫୪୧ କୋଟି ୨୭ ଲକ୍ଷ ସହ କଂଗ୍ରେସ ତୃତୀୟରେ ଅଛି । ସେହିପରି ସିପିଏମର ୧୬୨ କୋଟି ୨୪ ଲକ୍ଷ, ଏନସିପିର ୭୫ କୋଟି ୮ ଲକ୍ଷ, ବିଏସପିର ୪୩ କୋଟି ୭୭ ଲକ୍ଷ, ସିପିଆଇର ୨ କୋଟି ୮୯ ଲକ୍ଷ ଏବଂ ଏନପିପିର ୪୭ ଲକ୍ଷ ଟଙ୍କା ଅଛି ।
‘ରୋଜଗାର ମେଳା’ ଆମର ଉତ୍ତମ ଶାସନର ପରିଚୟ: PM ମୋଦି
ସାଧାରଣତଃ ରାଜନୈତିକ ଦଳଗୁଡ଼ିକର ବାର୍ଷିକ ଆୟ, ବର୍ଷକୁ ବର୍ଷ ଫରକ ରହେ । ଡୋନେସନ, ଚାନ୍ଦା, ଫି ଏବଂ ସଦସ୍ୟ ସଂଗ୍ରହ ସମେତ ବିଭିନ୍ନ ଆଡୁ ରାଜନୈତିକ ଦଳଗୁଡ଼ିକୁ ପାଣ୍ଠି ମିଳିଥାଏ । ପୂର୍ବରୁ କଂଗ୍ରେସ ପାର୍ଟି ଧନୀ ଦଳ ଥିବା ବେଳେ, ୨୦୧୪ ପରଠାରୁ ଆୟରେ ଏକ ନମ୍ବର ସ୍ଥାନରେ ରହି ଆସିଛି ଭାରତୀୟ ଜନତା ପାର୍ଟି । ବର୍ତ୍ତମାନ ସମୟରେ କଂଗ୍ରେସ ପାର୍ଟି ଦେଶରେ ଦ୍ବିତୀୟ ବଡ଼ ଜାତୀୟ ଦଳ ଭାବେ ପରିଗଣିତ ହେଉଥିଲେ ମଧ୍ୟ ଦଳର ଆର୍ଥିକ ଶକ୍ତି ଦୁର୍ବଳ ହେବାରେ ଲାଗିଛି । ୨୦୨୪ ସାଧାରଣ ନିର୍ବାଚନକୁ ବର୍ଷେ ରହିଥିବା ବେଳେ, ଏବେ ଅଣ କଂଗ୍ରେସ ମହାମେଣ୍ଟ ଗଠନ ପାଇଁ ଉଦ୍ୟମ ଆରମ୍ଭ ହୋଇଯାଇଛି । ଆଉ ଏଭଳି ସମୟରେ କଂଗ୍ରେସର ଆୟକୁ ଟିଏମସି ଟପିବା ଘଟଣା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।