ଗ୍ରହଣର ଦୋଷ ନା ରହିଛି ଅଲଗା କିଛି କାରଣ...ଜାଣନ୍ତୁ 'ଗ୍ରହଣ ଖଣ୍ଡିଆ'ର ପ୍ରକୃତ ରହସ୍ଯ

ଗ୍ରହଣ ସମୟରେ ଗର୍ଭବତୀ ମହିଳା କୌଣସି କଟାକଟି କରିଥିଲେ ପିଲାଙ୍କର ଗ୍ରହଣ ଖଣ୍ଡିଆ ହୋଇଥାଏ ବୋଲି ଅନେକ ମତ ରଖନ୍ତି। ଆପଣଙ୍କ ମନରେ ମଧ୍ଯ ପ୍ରଶ୍ନ ଆସୁଥିବ ଏହା କେତେ ମାତ୍ରାରେ ସମ୍ଭବ? ଜାଣନ୍ତୁ କଣ ରହିଛି ଏହା ପଛର କାରଣ ।

'ଗ୍ରହଣ ଖଣ୍ଡିଆ'ର ପ୍ରକୃତ ରହସ୍ଯ

'ଗ୍ରହଣ ଖଣ୍ଡିଆ'ର ପ୍ରକୃତ ରହସ୍ଯ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Cleft lip and cleft palate: ଅନେକ ସମୟରେ ଆପଣ ଦେଖିଥିବେ ଯେ କିଛି ପିଲାଙ୍କ ଓଠ ଖଣ୍ଡିଆ ହୋଇଥାଏ। ଏଥିପାଇଁ ସେମାନେ ସ୍ପଷ୍ଟ ଭାବେ କଥାବାର୍ତ୍ତା କରିପାରିନ୍ତି ନାହିଁ। ସାଧାରଣତଃ ଏହାକୁ 'ଗ୍ରହଣ ଖଣ୍ଡିଆ' ବୋଲି କୁହାଯାଏ। ଦେଶରେ ପ୍ରତି ଏକ ହଜାର ନବଜାତ ଶିଶୁଙ୍କ ମଧ୍ୟରୁ ଜଣେ ବା ଦୁଇ ଜଣଙ୍କୁ ଏହି ରୋଗ ହୁଏ।

ଧାର୍ମିକ ମତ ଅନୁସାରେ ଚନ୍ଦ୍ର ଗ୍ରହଣ କିମ୍ବା ସୂର୍ଯ୍ୟ ପରାଗ ସମୟରେ ଅନେକ ଜିନିଷ କରିବାକୁ ବାରଣ କରାଯାଇଥାଏ। ବିଶେଷ କରି ଗର୍ଭବତୀ ମହିଳାମାନଙ୍କୁ ସତର୍କ ରହିବାକୁ କୁହାଯାଏ। ସେମାନଙ୍କୁ କଇଁଚି, ଛୁରୀ, ଛୁଞ୍ଚି ସୂତା, ପନିକି ବ୍ୟବହାର କରିବାକୁ ମନା କରାଯାଇଥାଏ। ଏପରିକି ଘରୁ ବାହାରିବାକୁ ମଧ୍ୟ ବାରଣ କରାଯାଏ। କିନ୍ତୁ  କୌଣସି କାରଣ ବଶତଃ ଜଣେ ଗର୍ଭବତୀ ମହିଳା ଏସବୁ କାମ କରୁଛନ୍ତି, ତାଙ୍କର ଅକାଳ ପ୍ରସବ ବା ଅସ୍ୱାଭାବିକ ପ୍ରସବ ହୁଏ ବୋଲି ମତ ରହିଛି। ଶିଶୁ ଜନ୍ମ ସମୟରେ ତା ଓଠ କିମ୍ବା ତାଳୁରେ ଖଣ୍ଡିଆ ରହିଥିଲେ ଗ୍ରହଣ ଯୋଗୁଁ ଏପରି ହୋଇଥାଇପାରେ ବୋଲି କେହି କେହି ମତ ରଖନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଏପରି ପରିସ୍ଥିତି କାହିଁକି ଦେଖା ଯାଇଥାଏ।

ଗ୍ରହଣ ଖଣ୍ଡିଆକୁ ଇଂରାଜୀ ଭାଷାରେ କ୍ଳେଫ୍ଟ ଲିପ୍ ବା କ୍ଳେଫ୍ଟ ପ୍ୟାଲେଟ କୁହାଯାଏ। ଯେଉଁଥିରେ ଓଠରେ ଫାଙ୍କ ଥାଏ ବା ତାଳୁ ଫାଙ୍କ ଥାଏ ବା ଉଭୟ ଏକାଠି ଥାଏ । ଓଠ ଖଣ୍ଡିଆ ଉପର ଓଠରେ ଦେଖାଯାଏ ଓ ଏହା ନାକ ସହ ମଧ୍ୟ ହୋଇପାରେ। ଏହି ଖଣ୍ଡିଆ ଏକ ପାଖରେ ହୁଏ କିମ୍ବା ଉଭୟ ପାଖରେ, ମଝିରେ ହୁଏ। ଗର୍ଭାବସ୍ଥାରେ ଶିଶୁର ବିକାଶ ସମୟରେ ମୁଖର ତନ୍ତୁମାନେ ସଂଯୁକ୍ତ ହୋଇ ନ ପାରିବାରୁ ଏହି ରୋଗ ହୁଏ । ଏଗୁଡ଼ିକ ଏକ ପ୍ରକାର ଜନ୍ମଗତ ଦୋଷ ଯୋଗୁ ହୁଏ। ଗର୍ଭବସ୍ଥାରେ ପିଲା ନଷ୍ଟ କରିବା ପାଇଁ ଅତ୍ୟଧିକ ମେଡିସିନେ ସେବନ ଯୋଗୁଁ ଏହା ହୋଇଥାଏ। ଅଧିକ ଆଣ୍ଟିବାୟୋଟିକ ଖାଇବା ଦ୍ୱାରା ମଧ୍ୟ ଶିଶୁ ଉପରେ ପ୍ରଭାବ ପଡି ଏହି ସମସ୍ୟା ଦେଖାଯାଏ। ଗର୍ଭବତୀ ମହିଳାଙ୍କୁ ଆଘାତ ଲାଗିଲେ ଶିଶୁ କ୍ଷେତ୍ରରେ ଏହା ଦେଖାଯିବର ସମ୍ଭାବନା ରହିଛି। ସମୟ ପୂର୍ବରୁ ପ୍ରସବ କିମ୍ବା ସମୟ ପରେ ପ୍ରସବ ଯୋଗୁଁ ପିଲାଙ୍କ କ୍ଷେତ୍ରରେ ଏହି ସମସ୍ୟା ଦେଖା ଦେଇଥାଏ। ଗର୍ଭାବସ୍ଥାରେ ଧୂମ୍ରପାନ, ଡାଏବେଟିସ, ବୟସାଧିକ୍ୟ ମାଆ ଓ ବାତ ନିମନ୍ତେ ବ୍ୟବହୃତ କେତେକ ଔଷଧ ଏହି ରୋଗର କାରଣ ହୋଇଥାଏ। ଆଜି କାଲି ଡ଼ାକ୍ତରୀ ପ୍ରକ୍ରିୟା ମାଧ୍ୟମରେ ଏହି ରୋଗ ଠିକ କରିବା ପାଇଁ ପ୍ରୟାସ କରାଯାଉଛି।

'ଗ୍ରହଣ ଖଣ୍ଡିଆ'କୁ ନେଇ ରହିଥିବା ଚିନ୍ତାଧାରା ଶତ ପ୍ରତିଶତ ଠିକ ନଥିଲେ ମଧ୍ୟ ଏହା ଭୁଲ ନୁହେଁ ବୋଲି କେତେକଙ୍କ ମତ। କିନ୍ତୁ ସ୍ୱାସ୍ଥ୍ୟଗତ ଅସାବଧାନତା ଏହି ରୋଗର କାରଣ ହୋଇପାରେ ବୋଲି ବିଶେଷଜ୍ଞ ମତ ରଖିନ୍ତି। ସର୍ବୋପରି ଗର୍ଭବସ୍ଥାରେ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବା ଉଚିତ।
Published by:Soumya Das
First published: