News18 Odia Digital
ପଶ୍ଚିମବଙ୍ଗରେ ସ୍କୁଲ ନିଯୁକ୍ତି ସ୍କାମ ମାମଲାରେ କେନ୍ଦ୍ରୀୟ ଏଜେନ୍ସି ଇଡି କୋଲକାତାର ବେଲଗେରିଆରେ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଫ୍ଲାଟ ଉପରେ ଚଢ଼ାଉ କରିଥିଲେ। ଏହି ସମୟରେ, ଅର୍ପିତା ମୁଖାର୍ଜୀଙ୍କ ଅନ୍ୟ ଏକ ଫ୍ଲାଟରୁ ଇଡି ପ୍ରାୟ ୨୯ କୋଟି ନଗଦ (୨୮.୯୦ କୋଟି ଟଙ୍କା) ଓ ୫ କିଲୋଗ୍ରାମ ସୁନା ପାଇଥିଲା। ଏହି ଟଙ୍କା ଗଣିବାକୁ ଇଡି ଦଳକୁ ପ୍ରାୟ ୧୦ ଘଣ୍ଟା ସମୟ ଲାଗିଲା। ଆଶ୍ଚର୍ଯ୍ୟଜନକ କଥା ହେଉଛି ଅର୍ପିତା ଏହି ଟଙ୍କାକୁ ଫ୍ଲାଟର ଶୌଚାଳୟରେ ଲୁଚାଇ ରଖିଥିଲେ।
ଏହାର ଠିକ୍ ୫ ଦିନ ପୂର୍ବରୁ, ଅର୍ପିତାଙ୍କ ଫ୍ଲାଟରୁ ଇଡି ୨୧ କୋଟି ନଗଦ ଓ ସମସ୍ତ ମୂଲ୍ୟବାନ ସାମଗ୍ରୀ ଜବତ କରିଥିଲା । ନୋଟ୍ ଗଣିବାକୁ ପାଞ୍ଚ ଜଣ ବ୍ୟାଙ୍କ ଅଧିକାରୀଙ୍କୁ ଡକାଯାଇଥିଲା। ଏହା ସହିତ ଟଙ୍କା ଗଣନା ମେସିନ୍ ମଧ୍ୟ ବ୍ୟବହାର କରାଯାଇଥିଲା। ୨୩ ଜୁଲାଇରେ ଅର୍ପିତାଙ୍କୁ ଇଡି ଗିରଫ କରିଥିଲା।
ଏହି ଚଢ଼ାଉରେ ତିନି କିଲୋଗ୍ରାମ ସୁନା, ରୂପା ମୁଦ୍ରା ଓ ସମ୍ପତ୍ତି ଦଲିଲ ମଧ୍ୟ ଜବତ କରାଯାଇଛି ବୋଲି ପ୍ରକାଶ। ଅର୍ପିତା ମୁଖାର୍ଜୀ ବର୍ତ୍ତମାନ ଇଡି ହେପାଜତରେ ଅଛନ୍ତି। ଦୀର୍ଘ ଦିନ ଧରି ପଚରାଉଚରା ପରେ ତାଙ୍କୁ ଗିରଫ କରାଯାଇଥିଲା। ପରେ ଦୀର୍ଘ ସମୟ ଧରି ପଚରାଉଚରା ପରେ ପାର୍ଥ ଚାଟାର୍ଜୀଙ୍କୁ ମଧ୍ୟ ଗିରଫ କରାଯାଇଥିଲା।
ଏହାପୂର୍ବରୁ ଅର୍ପିତା ମୁଖାର୍ଜୀଙ୍କଠାରୁ ଦୁଇଟି ଡାଏରୀ ଜବତ କରାଯାଇଥିଲା। ସୂଚନାନୁସାରେ, ଏହି ଡାଏରୀଗୁଡ଼ିକ ମଧ୍ୟରୁ ଗୋଟିଏରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରିବା ପାଇଁ ବ୍ୟବହୃତ ନଗଦ ଟଙ୍କା ବିଷୟରେ ସୂଚନା ରହିଛି। ଇଡି ଜାଣିବାକୁ ଚାହୁଁଛି ଯେ ଏହି ଟଙ୍କା ଅର୍ପିତା ମୁଖାର୍ଜୀଙ୍କ ପାଖକୁ କେଉଁଠୁ ଆସିଲା? ଏହି ଡାଏରୀରେ ବିଭିନ୍ନ ବ୍ୟାଙ୍କରେ ନଗଦ ଟଙ୍କା ଜମା କରିବାର ବିବରଣୀ ରହିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।