News18 Odia Digital
କୋଲକାତା: ପଶ୍ଚିମ ବଙ୍ଗର ଭାରତୀୟ ଜନତା ପାର୍ଟି (ବିଜେପି)ର ବିଧାୟକ ଦେବେନ୍ଦ୍ର ନାଥ ରାୟଙ୍କ (Debendra Nath Ray) ଶବ ସୋମବାର ସକାଳେ ଉତ୍ତର ଦିନାଜପୁର ଜିଲ୍ଲାରେ ଏକ ଦୋକାନ ସାମନାରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେବା ପରେ ଘଟଣା ସାମ୍ନାକୁ ଆସିଥିଲା । ଏକ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।
ରାୟଙ୍କ ପରିବାର ସଦସ୍ୟମାନେ ଅଭିଯୋଗ କରିଛନ୍ତି ଯେ ଝୁଲୁଥିବା ଅବସ୍ଥାରେ ତାଙ୍କର ଦୁଇ ହାତ ବନ୍ଧା ହୋଇଥିବାରୁ ଏହା ଆତ୍ମ ହତ୍ୟା ନୁହେଁ । ତାଙ୍କୁ ହତ୍ୟା କରିବା ପରେ ଟାଙ୍ଗିଦିଆଯାଇଥିବା କହିଛନ୍ତି ତାଙ୍କ ପରିବାର । ରବିବାର ରାତିରେ ତାଙ୍କୁ କିଛି ଅଚିହ୍ନା ବ୍ୟକ୍ତି ଡାକିଥିଲେ ଓ ସେ ଘରୁ ଯାଇଥିଲେ । ସେବେ ଠାରୁ ସେ ନିଖୋଜ ହୋଇଯାଇଥିଲେ ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି।
ଏହି ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ରାଜ୍ୟ ବିଜେପି ସଭାପତି ଦିଲୀପ ଘୋଷ ରାୟଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ବୋଲି କହିଛନ୍ତି । “ଦୁର୍ଭାଗ୍ୟଜନକ କଥା ଯେ ବେଙ୍ଗଲରେ କୌଣସି ଆଇନ କାନୁନ ନାହିଁ। ବେଙ୍ଗଲର ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବାରେ ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଆମେ ସ୍ଥାନୀୟ ନେତାଙ୍କ ସହ ଯୋଗାଯୋଗରେ ଅଛୁ । ଏହି ମାମଲା ବିଷୟରେ ଅଧିକ ସୂଚନା ପାଇବାକୁ ଚେଷ୍ଟା କରୁଛୁ,’’ ଘୋଷ କହିଛନ୍ତି ।

ଦୋକାନ ବାହାରେ ରାୟଙ୍କ ଶବ ଝୁଲୁଛି ।
ସ୍ଥାନୀୟ ବିଜେପି ନେତାମାନେ ଉକ୍ତ ଅଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଓ ପୋଲିସ ଘଟଣାର ତଦନ୍ତ କରୁ ନ ଥିବା ଅଭିଯୋଗ କରୁଛନ୍ତି ।
ବିଜେପିର ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା ଟ୍ୱିଟରରେ କହିଛନ୍ତି, ‘‘ପଶ୍ଚିମ ବଙ୍ଗର ହେମତାବାଦରୁ ବିଜେପି ବିଧାୟକ ଦେବେନ୍ଦ୍ର ନାଥ ରାୟଙ୍କ ସନ୍ଦେହଜନକ ହତ୍ୟାକାଣ୍ଡ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଓ ନିନ୍ଦନୀୟ । ଏହା ମମତା ସରକାରରେ ଗୁଣ୍ଡା ରାଜ ଓ ଆଇନ ଶୃଙ୍ଖଳା ବିଫଳତାର ପରିଚୟ ଦେଉଛି । ଲୋକେ ଏମିତି ସରକାରକୁ ଭବିଷ୍ୟତରେ କ୍ଷମା କରିବେ ନାହିଁ । ଆମେ ଏହାର ଶକ୍ତ ନିନ୍ଦା କରୁଛୁ ।’’
ଏହି ଅଭିଯୋଗକୁ ଖଣ୍ଡନ କରି ତୃଣମୁଳ କଂଗ୍ରେସର ଉତ୍ତର ଦିନାଜପୁର ଜିଲ୍ଲା ସଭାପତି ଅମଲ ଆଚାର୍ଯ୍ୟ କହିଛନ୍ତି, ‘‘ସେ (ମୃତକ ବିଧାୟକ) ଜଣେ ଭଲ ମଣିଷ ଥିଲେ ଓ ଆମର ରାଜନୈତିକ ମତଭେଦ ସତ୍ତ୍ବେ ମୁଁ ତାଙ୍କୁ ବ୍ୟକ୍ତିଗତ ଭାବେ ଜାଣିଥିଲି । ମୁଁ ଏହି ଖବର ଶୁଣି ଖୁବ୍ କଷ୍ଟ ପାଇଛି । ଯଦି ଏହା ଏକ ହତ୍ୟା, ତେବେ ମୁଁ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଚାହୁଁଛି ।’’
ପଶ୍ଚିମ ବଙ୍ଗ ରାଜ୍ୟପାଳ ଜଗଦୀପ ଧନଖରଙ୍କ ଟ୍ୱିଟ୍
ଏହା ବି ପଢ଼ନ୍ତୁ:
ଜଲଦି ଆସିବ କରୋନା ଭ୍ୟାକ୍ସିନ; ରୁଷିଆରେ ବିଶ୍ୱର ପ୍ରଥମ କରୋନା ଟିକାର କ୍ଲିନିକାଲ୍ ପରୀକ୍ଷା ଶେଷ ହେଲା
ଏହା ବି ପଢ଼ନ୍ତୁ:
ହେମା ମାଳିନୀ କରୋନା ପଜିଟିଭ ହୋଇଥିବା ଖବର ଆସିଲା; ଅଭିନେତ୍ରୀ ଭିଡିଓରେ ଏହି ଉତ୍ତର ଦେଲେ
ଦେବେନ୍ଦ୍ର ନାଥ ରାୟ ୨୦୧୬ରେ ପଶ୍ଚିମ ବଙ୍ଗ ବିଧାନ ସଭାକୁ ହେମତାବାଦରୁ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାର୍କ୍ସବାଦୀ) ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । ସେ ମେ ୨୦୧୯ରେ ସୁଭ୍ରାଶୁଂ ରାୟ ଓ ତୁଷାର କାନ୍ତି ଭଟ୍ଟାଚାର୍ଯ୍ୟଙ୍କ ସମେତ ୫୦ରୁ ଅଧିକ କାଉନସିଲରଙ୍କ ସହ ବରିଷ୍ଠ ବିଜେପି ନେତା ମୁକୁଲ ରୟ ଏବଂ କୈଳାଶ ବିଜୟଭର୍ଗିୟଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।