ବେଙ୍ଗଲ: TMC ନେତାଙ୍କ ଘରେ ମିଳିଲା EVM; ପୋଲିଂ ଅଫିସରଙ୍କୁ ନିଲମ୍ବିତ କଲେ ନିର୍ବାଚନ କମିଶନ
West Bengal Election 3rd Phase Voting: ପଶ୍ଚିମ ବଙ୍ଗରେ ତୃତୀୟ ପର୍ଯ୍ୟାୟ ମତଦାନ ସମୟରେ ମଙ୍ଗଳବାର ଦିନ ଟିଏମସି ନେତାଙ୍କ ଘରୁ ଇଭିଏମ୍ ଓ ଭିଭିପିଏଟ୍ ମେସିନ୍ ଉଦ୍ଧାର କରାଯାଇଛି । ଯାହାକୁ ନେଇ ନିର୍ବାଚନ ଆୟୋଗ କଡା ପଦକ୍ଷେପ ନେଇଛନ୍ତି ।

TMC ନେତାଙ୍କ ଘରେ ମିଳିଲା EVM
- News18 Odia
- Last Updated: April 6, 2021, 10:42 AM IST
ଉଲୁବେରିଆ: ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନ (West Bengal Assembly Voting) ପାଇଁ ଚାଲିଥିବା ତୃତୀୟ ପର୍ଯ୍ୟାୟ ଭୋଟ୍ ମଧ୍ୟରେ ଉଲୁବେରିଆରେ ଏକ ଆଶ୍ଚର୍ଯ୍ୟଜନକ ଘଟଣାକ୍ରମ ଘଟିବା ପରେ ନିର୍ବାଚନ ଆୟୋଗ (Election Commission) ପୁଣିଥରେ ରାଜନୈତିକ ଦଳ ମାନଙ୍କର ଟାର୍ଗେଟରେ ଆସି ଯାଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଉଲୁବେରିଆରେ ତୃଣମୂଳ କଂଗ୍ରେସ ନେତାଙ୍କ ଘରୁ ଇଭିଏମ୍ ଓ ଭିଭିପିଏଟ୍ ମେସିନ୍ ଉଦ୍ଧାର କରାଯାଇଛି । ତେବେ ମଙ୍ଗଳବାର ଦିନର ଭୋଟ୍ ସହିତ ଏହି ମେସିନଗୁଡିକର କୌଣସି ସମ୍ପର୍କ ନାହିଁ ବୋଲି ନିର୍ବାଚନ ଆୟୋଗ କହିଛନ୍ତି । ଏହି ଘଟଣା ସାମ୍ନାକୁ ଆସିବା ପରେ ଭାରତୀୟ ଜନତା ପାର୍ଟି ଏକ ହଙ୍ଗାମା ସୃଷ୍ଟି କରି କାର୍ଯ୍ୟାନୁଷ୍ଠାନ ଦାବି କରିଛି ।
ଜଣେ ସମ୍ପର୍କୀୟଙ୍କ ଘରେ ଶୋଇ ଯାଇଥିଲେ ଅଧିକାରୀ: EC
ଆୟୋଗ କହିଛନ୍ତି, 'ହାୱାଡ଼ା ଜିଲ୍ଲାର ବିଧାନସଭା ନିର୍ବାଚନମଣ୍ଡଳୀ ୧୭୭ ଉଲୁବେରିଆ ଉତ୍ତରରେ ସେକ୍ଟର ୧୭ ର ସେକ୍ଟର ଅଧିକାରୀ ତପନ ସରକାର ରିଜର୍ଭ ଇଭିଏମ ସହିତ ଯାଇ ଜଣେ ସମ୍ପର୍କୀୟଙ୍କ ଘରେ ଶୋଇ ଯାଇଥିଲେ । ନିର୍ବାଚନ ଆୟୋଗର ନିର୍ଦ୍ଦେଶନାମାକୁ ଏହା ଚରମ ଉଲ୍ଲଂଘନ, ଯେଉଁଥିପାଇଁ ତାଙ୍କୁ ନିଲମ୍ବିତ କରାଯାଇଛି । ପ୍ରମୁଖ ଦଣ୍ଡ ପାଇଁ ଚାର୍ଜ ଗଠନ କରାଯିବ ।'
ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ୩୧ ଟି ଆସନ ପାଇଁ ମତଦାନ କଡା ସୁରକ୍ଷା ମଧ୍ୟରେ ମଙ୍ଗଳବାର ସକାଳ ସାତଟାରୁ ଆରମ୍ଭ ହୋଇଛି । ଅଧିକାରୀ ଏ ବିଷୟରେ କହିଛନ୍ତି ଯେ ଦକ୍ଷିଣ ୨୪ ପରଗନା ଜିଲ୍ଲା (ଭାଗ ୨) ରେ ୧୬ ଟି ସିଟ୍, ହାୱାଡ଼ାରେ ସାତୋଟି ସିଟ୍ ଓ ହୁଗଳି (ଭାଗ -୧) ରେ ଆସନରେ କୋଭିଡ -୧୯ ସହ ଜଡିତ ନିୟମକୁ କଡାକଡି ପାଳନ କରାଯାଉଛି ।
ସକାଳ ସାଢ଼େ ୬ ଟାରୁ ଭୋଟ୍ ଦେବା ପାଇଁ ଲୋକଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଛି । ରାଜ୍ୟର ମନ୍ତ୍ରୀ ଆଶିମା ପାତ୍ରା, ବିଜେପି ନେତା ସ୍ୱପ୍ନ ଦାସ ଗୁପ୍ତା ଓ ସିପିଆଇ (ଏମ୍) ନେତା କଣ୍ଟି ଗାଙ୍ଗୁଲିଙ୍କ ସମେତ ୨୦୫ ଜଣ ପ୍ରାର୍ଥୀ ଏହି ନିର୍ବାଚନ ଲଢେଇରେ ପ୍ରତିଦ୍ବନ୍ଦିତା କରୁଛନ୍ତି । ୭୮.୫ ଲକ୍ଷରୁ ଅଧିକ ଭୋଟର ନିର୍ବାଚନରେ ନିଜର ମତଦାନ ସାବ୍ୟସ୍ତ କରିପାରିବେ । ନିର୍ବାଚନ ଆୟୋଗ ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀକୁ 'ସମ୍ବେଦନଶୀଳ' ଘୋଷଣା କରି CrPC ର ଧାରା ୧୪୪ ଅନୁଯାୟୀ ନିଷେଧାଦେଶ ଜାରି କରିଛନ୍ତି ।
ଶାନ୍ତିପୂର୍ଣ୍ଣ ଭୋଟ୍ ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ଓ ୧୦,୮୭୧ ମତଦାନ କେନ୍ଦ୍ରର ସୁରକ୍ଷା ପାଇଁ କେନ୍ଦ୍ରୀୟ ବାହିନୀର ୬୧୮ କମ୍ପାନୀ ନିୟୋଜିତ ହୋଇଛନ୍ତି । ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ କେନ୍ଦ୍ରୀୟ ବାହିନୀକୁ ସାହାଯ୍ୟ କରିବା ପାଇଁ ରାଜ୍ୟ ପୋଲିସ ଫୋର୍ସ ମଧ୍ୟ ନିୟୋଜିତ କରାଯାଇଛି । ପଶ୍ଚିମ ବଙ୍ଗରେ ୨୯୪ ଟି ବିଧାନସଭା ଆସନ ପାଇଁ ଆଠଟି ପର୍ଯ୍ୟାୟରେ ମତଦାନ ଚାଲିଛି । ୨ ମେ'ରେ ଭୋଟ୍ ଗଣତି ହେବ ।