News18 Odia Digital
ଲକ୍ଷ୍ନୌ: ନାଗରିକତା ସଂଶୋଧନ ଆଇନର ସମର୍ଥନରେ ଲକ୍ଷ୍ନୌଠାରେ ଆୟୋଜିତ ଜନଜାଗରଣ ରାଲିକୁ ସମ୍ବୋଧିତ କରି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କଂଗ୍ରେସ, ସମାଜବାଦୀ ପାର୍ଟି, ବିଏସପି ଉପରେ ଜବରଦସ୍ତ ଆକ୍ରମଣ କରିବା ସହ ଯାହାର ବିରୋଧ କରିବା ଅଛି କର କିନ୍ତୁ ନାଗରିକତା ସଂଶୋଧନ ଆଇନ କେବେବି ରଦ୍ଦ କରାଯିବ ନାହିଁ । ଏହି ବିଶାଳ ରାଲିରେ ଶାହା ବିରୋଧୀମାନଙ୍କୁ ଆହ୍ବାନ କରି କହିଥିଲେ କି ନାଗରିକତା ସଂଶୋଧନ ଆଇନରେ କେଉଁଠି କାହାର ନାଗରିକତା ନିଆଯିବ ବୋଲି ଲେଖାଯାଇଛି ଦେଖାଇଦିଅ । କେବଳ ଭୋଟ ବ୍ୟାଙ୍କ ଲାଗି ରାଜନୀତି କରି ଲୋକଙ୍କୁ ଭ୍ରମିତ କରାଯାଉଛି ।
ଅମିତ ଶାହା କହିଥିଲେ କି ସିଏଏକୁ ନେଇ ବିରୋଧୀ ପାର୍ଟି ଗୁଡ଼ିକ ଦୁଷ୍ପ୍ରଚାର କରୁଥିବାରୁ ବିଜେପି ଜନଜାଗରଣ ଅଭିଯାନ ଚଳାଉଛି ଯାହା ଦେଶ ଭାଙ୍ଗୁଥିବା ଲୋକଙ୍କ ବିରୋଧରେ ଜନ ଜାଗୃତି ଅଭିଯାନ । ଶାହା କହିଲେ ‘‘ ନରେନ୍ଦ୍ର ମୋଦି ସିଏଏକୁ ଆଣିଛନ୍ତି । କଂଗ୍ରେସ, ମମତା ବାନାର୍ଜୀ, ଅଖିଳେଶ, ମାୟାବତୀ, କେଜ୍ରିଓ୍ବାଲ ସମସ୍ତେ ଏହି ବିଲ ବିରୋଧରେ ଭ୍ରମ ସୃଷ୍ଟି କରୁଛନ୍ତି । ଏହି ବିଲ୍କୁ ଲୋକ ସଭାରେ ମୁଁ ଆଗତ କରିଥିଲି । ମୁଁ ବିରୋଧୀମାନଙ୍କୁ କହିବାକୁ ଚାହୁଁଛି କି ଆପଣ ବିଲ୍କୁ ସାର୍ବଜନୀନ ଭାବେ ଚର୍ଚ୍ଚା କରନ୍ତୁ । ଯଦି ଏହି ବିଲ୍ କୌଣସି ବ୍ୟକ୍ତିର ନାଗରିକତା ନେଉଥାଏ ତାହାଲେ ଏହାକୁ ସାବ୍ୟସ୍ତ କରି ଦେଖାଅ । ଦେଶରେ ସିଏଏ ବିରୋଧରେ ଭ୍ରମ ସୃଷ୍ଟି କରାଯାଉଛି । ସିଏଏରେ କେଉଁଠାରେ ବି କାହାରି ନାଗରିକତା ନେବା ସମ୍ପର୍କରେ ପ୍ରାବଧାନ ନାହିଁ ବରଂ ଏଥିରେ ନାଗରିକତା ଦେବା ସମ୍ପର୍କରେ ପ୍ରାବଧାନ ରହିଛି‘‘ ।
ସ୍ବରାଷ୍ଟ୍ରମନ୍ତ୍ରୀ ମହିଛନ୍ତି ‘‘ ପାକିସ୍ଥାନ, ଆଫଗାନିସ୍ଥାନ ଏବଂ ବାଂଲାଦେଶରେ ରହୁଥିବା ଅଳ୍ପସଂଖ୍ୟକମାନଙ୍କ ଉପରେ ଅତ୍ୟାଚାର ହେଉଛି । ସେଠାରେ ସେମାନଙ୍କର ଧାର୍ମିକ ଉପାସନା ପୀଠ ଗୁଡ଼ିକୁ ଭଙ୍ଗା ଯାଉଛି । ତେଣୁ ସେମାନେ ସେଠାରୁ ଭାରତକୁ ପଳାଇ ଆସୁଛନ୍ତି । ଏଭଳି ଶରଣାର୍ଥୀଙ୍କୁ ନାଗରିକତା ଦେବା ନେଇ ଏହି ବିଲ ଓ ପରେ ଆଇନ ହୋଇଛି । ଯେତେବେଳେ ଦେଶ ସ୍ବାଧୀନ ହୋଇଥିଲା ସେହି ସମୟରେ କଂଗ୍ରେସର ପାପ କାରଣରୁ ଧର୍ମ ଆଧାରରେ ଭାରତ ମାତାଙ୍କୁ ଦୁଇ ଭାଗ କରାଯାଇଥିଲା । ୧୬ ଜୁଲାଇ ୧୯୪୭ରେ କଂଗ୍ରେସ ପାର୍ଟି ଏହି ପ୍ରସ୍ତାବ ପାସ କରି ଧର୍ମ ଆଧାରରେ ବିଭାଜନକୁ ସ୍ବୀକାର କରିଥିଲା । ନରେନ୍ଦ୍ର ମୋଦି ଏତେ ବର୍ଷ ଧରି ପ୍ରତାଡ଼ିତ ଲୋକଙ୍କୁ ଜୀବନର ଏକ ନୂଆ ଅଧ୍ୟାୟ ପ୍ରାରମ୍ଭ କରିବାର ସୁଯୋଗ ଦେଇଛନ୍ତି‘‘ ।
ପରେ ଅଧିକ ଆକ୍ରମଣାତ୍ମକ ହୋଇ କହିଥିଲେ ‘‘ମୁଁ ଭୋଟ ବ୍ୟାଙ୍କର ଲୋଭୀ ସମସ୍ତ ନେତାମାନଙ୍କୁ କହିବାକୁ ଚାହେଁ, କେବେ ସେମାନଙ୍କ କ୍ୟାମ୍ପକୁ ଯାଆନ୍ତୁ । ଯେଉଁମାନେ କେବେ ଶହଶହ ହେକ୍ଟର ଜମିର ମାଲିକ ଥିଲେ ସେମାନେ ଆଜି ଏକ ଛୋଟ କୁଡ଼ିଆ ଘରେ ପରିବାରସହ ଭିକ ମାଗି ଚଳୁଛନ୍ତି । କଂଗ୍ରେସର ପାପ କାରଣରୁ ଧର୍ମ ଆଧାରରେ ଭାରତର ଦୁଇ ଭାଗ କରିଥିଲେ । ଏହି ୩ଟି ଦେଶରେ ଅଳ୍ପସଂଖ୍ୟକଙ୍କ ସଂଖ୍ୟା ଲଗାତାର କମିବାରେ ଲାଗିଛି । ଆଜି ସମସ୍ତଙ୍କ ଆଗରେ କହୁଛି ମୁଁ ସିଏଏକୁ କେବେବି ରଦ୍ଦ କରିବି ନାହିଁ‘‘ ।
Published by:Durgamadhab Rath
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।