News18 Odia Digital
ନୂଆ ଦିଲ୍ଲୀ: ଆଜି ସକାଳ ଠୁଁ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ଭୋଟିଂ । ଦିନ ୧୨ଟା ସୁଦ୍ଧା ୧୫ ପ୍ରତିଶତ ଭୋଟିଂ ହୋଇଥିବା ଜଣାପଡିଛି । ରାଜ୍ୟରେ ୨,୬୮୯ଟି ପୋଲିଂ ବୁଥ୍ରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ ଦେଉଛନ୍ତି ୧.୪୭ କୋଟି ମତଦାତା । ସେମାନେ ୭୦ ଜଣ ବିଧାୟକଙ୍କୁ ନିର୍ବାଚ଼ିତ କରିବେ । ଶାନ୍ତିପୂର୍ଣ୍ଣ ମତଦାନ ପାଇଁ ୪୦ ହଜାର ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ରାଜପୁରାରେ ନିଜ ପରିବାର ସହ ଭୋଟ ଦେଇଛନ୍ତି ଦିଲ୍ଲୀର ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜରିୱାଲ । ନିଜେ ଭୋଟ୍ ଦେବା ସହ ଲୋକମାନଙ୍କୁ ଭୋଟ ଦେବାକୁ ସେ ନିବେଦନ କରିଛନ୍ତି । କେଜରିୱାଲ ଏଥର ମଧ୍ୟ ନୂଆ ଦିଲ୍ଲୀ ଆସନରୁ ଲଢୁଛନ୍ତି । ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ଯିଏକି ପ୍ରତାପଗଞ୍ଜ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି, ସେ ନିଜ ପରିବାର ସହ ଆସି ପାଣ୍ଡବ ନଗର ଏମ.ସି.ଡି. ସ୍କୁଲରେ ନିଜର ମତଦାନ କରିଛନ୍ତି ।
କଂଗ୍ରେସ ନେତା ରାହୁଲ ଗାନ୍ଧି ଔରଙ୍ଗଜେବ୍ ଲେନରେ ଥିବା ବୁଥରେ ମତଦାନ କରିଛନ୍ତି । କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧି ଭଦ୍ରା ଲୋଧି ଇଷ୍ଟେଟରେ ଥିବା ବୁଥ ନଂ ୧୧୪ ମତଦାନ କରିଛନ୍ତି । ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜ ପତ୍ନୀଙ୍କ ସହ ଆସି ଭୋଟ୍ ଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀ ହର୍ଷବଦ୍ଧନ ନିଜ ପରିବାର ସହ ସକାଳୁ ମତଦାନ କରିଛନ୍ତି । ଭୋଟିଂ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ।
ମୋଟ ୬୭୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୧ କୋଟି ୪୭୬ ଲକ୍ଷ ମତଦାତା । ଏଥର ଦିଲ୍ଲୀରେ ମୁଖ୍ୟତଃ ତ୍ରିକୋଣୀୟ ପ୍ରତିଦ୍ବନ୍ଦ୍ବିତା ହେଉଛି । ମୁଖ୍ୟ ମନ୍ତ୍ରୀ ତଥା ଶାସକ ଆମ୍ ଆଦମୀ ପାର୍ଟିର ନେତା ଅରବିନ୍ଦ କେଜରିୱାଲ ପୁଣି ଥରେ ନିର୍ବାଚ଼ନ ଜିତି ଗାଦିକୁ ଆସିବାକୁ ଲକ୍ଷ୍ୟ ରଖିଛନ୍ତି । କେଜରୀୱାଲଙ୍କୁ ପୁଣି ଥରେ ମୁଖ୍ୟ ମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପିତ କରିଛି ଦଳ । ବିପକ୍ଷରେ ଥିବା ବିଜେପି ଓ କଂଗ୍ରେସ କାହାରିକୁ ମୁଖ୍ୟ ମନ୍ତ୍ରୀ ପ୍ରାର୍ଥୀ କରିନାହାନ୍ତି ।
ଆମ୍ ଆଦମୀ ପାର୍ଟି ଅନ୍ୟ କୌଣସି ଦଳ ସହିତ ମେଣ୍ଟ ନ କରି ସବୁ ୭୦ଟି ଆସନରେ ପ୍ରାର୍ଥୀ ଦେଇଛି । କେଜରିୱାଲ ଏଥର ମଧ୍ୟ ନୂଆ ଦିଲ୍ଲୀ ଆସନରୁ ଲଢୁଛନ୍ତି । ବିଜେପି ୭୦ଟି ଆସନ ମଧ୍ୟରୁ ୬୭ଟିରେ ନିଜର ପ୍ରାର୍ଥୀ ଦେଇଛି ଓ ବାକି ତିନିଟି ଆସନ ତା’ର ବିହାର ସହଯୋଗୀ ଜେଡିୟୁ ଓ ଏଲ୍.ଜେ.ପି. ପାଇଁ ଛାଡ଼ିଦେଇଛି । ଜେଡିୟୁ ଦୁଇଟି ଓ ଏଲ୍.ଜେ.ପି. ଗୋଟିଏ ଆସନରେ ଲଢ଼ୁଛନ୍ତି ।
କଂଗ୍ରେସ ୬୬ଟି ଆସନରେ ଲଢୁଥିଲା ବେଳେ ନିଜ ବିହାର ସହଯୋଗୀ ଆର.ଜେ.ଡି. ସହ ମେଣ୍ଟ କରି ବାକି ଚ଼ାରିଟି ଆସନରେ ତା’ ପ୍ରାର୍ଥୀଙ୍କୁ ଠିଆ କରିଛି । ସବୁ ୭୦ଟି ଆସନରେ ପ୍ରାର୍ଥୀ ଦେଇଛି ଉତ୍ତର ପ୍ରଦେଶର ମାୟାବତୀଙ୍କ ନେତୃତ୍ୱାଧୀନ ଦଳ ବି.ଏସ୍.ପି. । ଆସନ୍ତା ୧୧ ତାରିଖରେ ଭୋଟ ଗଣତି ହେବ ।
ଗତ (୨୦୧୫) ବିଧାନ ସଭା ନିର୍ବାଚ଼ନରେ ଆମ୍ ଆଦମୀ ପାର୍ଟି ୫୪.୩ ପ୍ରତିଶତ ଭୋଟ୍ ପାଇ ଶାସନକୁ ଆସିଥିଲା । ଦଳ ଏଥର ସେମିତି ଫଳ ଆଶା କରୁଛି । ଗତ ବର୍ଷ ମଇ ମାସରେ ହୋଇଥିବା ସାଧରଣ ନିର୍ବାଚ଼ନରେ ବି.ଜେ.ପି. ଦିଲ୍ଲୀର ସାତଟି ଯାକ ଲୋକ ସଭା ଆସନ ଜିତିଥିଲା । ୨୦୧୫ର ଦିଲ୍ଲୀ ବିଧାନ ସଭା ନିର୍ବାଚ଼ନରେ ବି.ଜେ.ପି. ୩୨ ପ୍ରତିଶତ ଭୋଟ୍ ପାଇଥିଲା । ସେହି ନିର୍ବାଚ଼ନରେ କଂଗ୍ରେସକୁ ମିଳିଥିଲା ମାତ୍ର ୯.୬ ପ୍ରତିଶତ ଭୋଟ୍, ହେଲେ ଗୋଟେ ବି ଆସନ ମିଳି ନ ଥିଲା । ଗତ ଲୋକ ସଭା ନିର୍ବାଚ଼ନରେ କଂଗ୍ରେସର ଭୋଟ୍ ଅଂଶ କିନ୍ତୁ ବଢ଼ିଥିଲା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।