ସୁପର୍ ସନ୍‌ଡେ ମ୍ୟାଚ୍: ବାରବାଟି ଦଖଲ ପାଇଁ ସ୍ବତନ୍ତ୍ର ରଣନୀତି ସହ ଖେଳିବେ ଭାରତ ଓ ୱେଷ୍ଟ୍ଇଣ୍ଡିଜ୍

ଏହି ନିର୍ଣ୍ଣାୟକ ମ୍ୟାଚ୍‌ରେ ଟସ୍ ଏକ ବଡ଼ ଭୂମିକା ନେବ । ପ୍ରଥମେ ବ୍ୟାଟିଂ କରିବାର ସୁଯୋଗ ପାଇଲେ ୩୩୦ ରନ୍‌ର ଲକ୍ଷ ରଖିଛି ୱେଷ୍ଟ୍ଇଣ୍ଡିଜ୍ ଟିମ୍ । ଟାଇଟଲ୍‌ ହାସଲ କରିବା ପାଇଁ ସମସ୍ତ ପ୍ରୟାସ କରିବାକୁ ପ୍ରସ୍ତୁତ ଅଛି ଟିମ୍ ଇଣ୍ଡିଆ । ଉଭୟ ଦଳ ‘କର ବା ମର’ ଉତ୍ସାହରେ ଖେଳିବେ ।

ସୁପର୍ ସନ୍‌ଡେ ମ୍ୟାଚ୍: ବାରବାଟି ଦଖଲ ପାଇଁ ସ୍ବତନ୍ତ୍ର ରଣନୀତି ସହ ଖେଳିବେ ଭାରତ ଓ ୱେଷ୍ଟ୍ଇଣ୍ଡିଜ୍
କୋଚ୍ ରବି ଶାସ୍ତ୍ରୀ ଓ ସାଥୀ ଖେଳାଳିଙ୍କ ସହ ବିରାଟ କୋହଲି ପିଚ୍ ଅନୁଧ୍ୟାନ କରୁଛନ୍ତି ।
  • News18 Odia
  • Last Updated: December 21, 2019, 6:46 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
କଟକ: ବାରବାଟୀ ଦଖଲ ପାଇଁ ମୁହାଁମୁହିଁ ହେଉଥିବା ଭାରତ ଓ ୱେଷ୍ଟ୍‌ଇଣ୍ଡିଜ ଟିମ୍‌ ପାଇଁ ଏହି ମ୍ୟାଚ୍‌ ଅତି ଗୁରୁତ୍ବପୂର୍ଣ୍ଣ । ଯେହେତୁ ତିନିଟିକିଆ ଏକ ଦିବସୀୟ ସିରିଜ୍‌ରେ ୧-୧ରେ ବରାବର ଥିବା ଦୁଇ ଦଳ ଭିତରୁ ଯିଏ ଏହି ମ୍ୟାଚ୍‌ ଜିତିବ, ସେ ହିଁ ସିରିଜ ବିଜୟର ମୁକୁଟ ପିନ୍ଧିବ, ସେଥି ପାଇଁ ଉଭୟ କର ବା ମର ସ୍ଥିତିରେ ଖେଳିବେ ।

ଉଭୟ ଟିମ୍‌ ଶନିବାର ଦିନ ନେଟ୍ସ୍‌ କରିବା ସହ ପରସ୍ପରକୁ ମାତ୍ ଦେବା ପାଇଁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି । ଉଭୟ ଟିମ ଦୀର୍ଘ ସମୟ ଧରି ନେଟ୍ସ୍‌ ଅଭ୍ୟାସ କରିଥିଲେ । ପ୍ରଥମେ ସକାଳ ୧୦ଟା ୨୦ରେ ଟିମ୍‌ ଇଣ୍ଡିଆର ଖେଳାଳିମାନେ ସ୍ବତନ୍ତ୍ର ବସ୍‌ ଯୋଗେ ବାରବାଟୀରେ ପହଁଚି଼ଥିଲେ । ପଡିଆରେ ପହଁଚି଼ବା ପରେ କୋଚ୍‌ ରବି ଶାସ୍ତ୍ରୀଙ୍କ ସହ କ୍ୟାପଟେନ୍‌ ବିରାଟ କୋହଲି ଓ ରବିନ୍ଦ୍ର ଜାଡେଜା ପିଚ୍ ଅନୁଧ୍ୟାନ କରିଥିଲେ ।

“ମୁଁ ମୋର ପ୍ରଦର୍ଶନକୁ ନେଇ ଖୁସି ଅଛି ଏବଂ ବିଶାଖାପଟଣାମ୍ ମ୍ୟାଚ ଜିତିବା ପରେ ଆମର ମନୋବଳ ବେଶ ଦୃଢ ରହିଛି ।ତେଣୁ ଟିମ୍‌ ଯେ କୌଣସି ପ୍ରତିକୁଳ ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ଅଛି,” ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଟିମ୍‌ ଇଣ୍ଡିଆର ଖେଳାଳି ଶ୍ରେୟସ୍ ଆୟର ।

ବାରବାଟିରେ ନେଟ୍‌ ପ୍ରାକ୍ଟିସ୍‌ କରୁଥିବା ୱେଷ୍ଟ୍ଇଣ୍ଡିଜ୍‌ ଖେଳାଳିମାନେ ।


ସେହିପରି ଅପରାହ୍ନ ଗୋଟାଏ ବେଳେ ବାରବାଟୀରେ ପହଁଚିଥିଲେ ୱେଷ୍ଟଇଣ୍ଡିଜର ଖେଳାଳି । ଟିମ୍‌ର ସଦସ୍ୟ ପ୍ରାୟ ଚ଼ାରି ଘଣ୍ଟା ଧରି ନେଟ୍ସ୍‌ରେ କସରତ ମଧ୍ୟ କରିଥିଲେ । ଟିମ୍‌ର ଅଧିକାଂଶ ଖେଳାଳିଙ୍କ ପାଇଁ ବାରବାଟୀ ସମ୍ପୂର୍ଣ୍ଣ ନୂଆ ହୋଇଥିବାରୁ ପିଚ୍ ଓ ଆଉଟ ଫିଲ୍ଡକୁ ଭଲ ଭାବରେ ଅନୁଧ୍ୟାନ କରିଥିଲେ କ୍ୟାପଟେନ କିଏରୋନ୍‌ ପୋଲାଡ୍ ।

“ଏହି ମ୍ୟାଚରେ ଟିମ୍‌ର ସଦସ୍ୟମାନେ ନିଜର ସର୍ବଶେଷ୍ଠ ପ୍ରଦର୍ଶନ କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ପ୍ରଥମେ ବ୍ୟାଟିଂ କଲେ ୩୨୦ରୁ ୩୩୦ ରନ୍‌ର ଲକ୍ଷ ଭାରତ ସାମନାରେ ରଖିବୁ,” ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ୱେଷ୍ଟଇଣ୍ଡିଜ ଟିମ୍‌ର କୋଚ୍‌ ଫିଲ୍ ସିମନସ୍ ।

ଏ ପର୍ଯ୍ୟନ୍ତ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମୋଟ ୩ ଥର ବାରବାଟୀରେ ମୁହାଁମୁହିଁ ହୋଇଛନ୍ତି । ତିନୋଟି ଯାକ ମ୍ୟାଚ୍‌ରେ ଭାରତ ବିଜୟ ହାସଲ କରିଛି । କିନ୍ତୁ ରବିବାର ମ୍ୟାଚର ଫଳଫଳ କଣ ହେବ ତାହାର ପୂର୍ବାନୁମାନ ମଧ୍ୟ କରାଯାଇ ପାରୁନାହିଁ ।

ଏହି ସିରିଜରେ ୱେଷ୍ଟଇଣ୍ଡିଜ୍‌ ଦଳର ପ୍ରଦର୍ଶନକୁ ଦେଖିଲେ ଏହାର ଖେଳାଳିମାନେ ମ୍ୟାଚ୍‌ର ଦିଗ ପରିବର୍ତ୍ତନ କରିବାରେ ସମର୍ଥ ବୋଲି ପ୍ରମାଣିତ କରିସାରିଛନ୍ତି । ଅପର ପକ୍ଷେ ଟିମ୍‌ ଇଣ୍ଡିଆର ଅନେକ ସଦସ୍ୟ ଭଲ ଫର୍ମରେ ଥିବାରୁ ଭାରତର ବିଜୟ ଆଶା ମଧ୍ୟ ଅଧିକ ରହିଛି ।

ମ୍ୟାଚ୍‌ ପାଇଁ ସ୍ବତନ୍ତ୍ର ସୁରକ୍ଷା ବନ୍ଦୋବସ୍ତ କରିଛି କମିଶନରେଟ ପୋଲିସ । ମୋଟ ୮୦ ପ୍ଲାଟୁନ୍‌ ଫୋର୍ସ ସହ ୩୦୦ ଅଫିସର୍‌ଙ୍କୁ ସୁରକ୍ଷା ଦାୟୀତ୍ବରେ ନିୟୋଜିତ କରାଯାଇଛି । କେବଳ ମୋବାଇଲ ଫୋନ ବ୍ୟତିତ ଷ୍ଟାଡିୟମ ଭିତରକୁ ଅନ୍ୟ କୌଣସି ସାମଗ୍ରୀ ଆଣିବା ଉପରେ କଟକଣା ଲଗାଇଛି ପୋଲିସ ।

“ପୋଲିସ ତ ନିଜ ପ୍ରସ୍ତୁତି ଶେଷ କରିଛି କିନ୍ତୁ ଖେଳ ଦେଖିବା ସମୟରେ ଦର୍ଶକଙ୍କୁ ମଧ୍ୟ ଶାଳୀନତା ରକ୍ଷା କରିବାକୁ ପଡିବ,” କହିଛନ୍ତି ପୋଲିସ କମିଶନର ଡକ୍ଟର ଶୁଧାଶୁଂ ଶଢ଼ଙ୍ଗୀ ।

ରବିବାର ଅପରାହ୍ନ ପ୍ରାୟ ସାଢ଼େ ଗୋଟାଏ ବେଳେ ମ୍ୟାଚ ଆରମ୍ଭ ହେବ । ଏହାର ଅଧଘଣ୍ଟା ପୂର୍ବରୁ ଟସ୍ ପଡିବ । ସକାଳ ସାଢେ ୯ଟା ବେଳେ ଦର୍ଶକମାନଙ୍କ ପାଇଁ ଷ୍ଟାଡିୟମ୍‌ର ଗେଟ୍‌ଗୁଡି଼କୁ ଖୋଲାଯିବ ।
Published by: Anand Shankar Thankur Das
First published: December 21, 2019, 5:20 PM IST
corona virus btn
corona virus btn
Loading