News 18 Odia Digital
ନୂଆ ଦିଲ୍ଲୀ: ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ପୁଣି ଛାତ୍ର ହିଂସା ଦେଖାଦେଇଛି । ରାତିରେ କେତେଜଣ ମୁହଁ ଢ଼ାଙ୍କିଥିବା ବ୍ୟକ୍ତି ହଠାତ କ୍ୟାମ୍ପସ ଭିତରେ ପସି ରଡ ଏବଂ ବାଡିରେ ଛାତ୍ରୀଛାତ୍ର ଏବଂ ପ୍ରଫେସର ମାନଙ୍କୁ ପିଟିଥିବାବେଳେ ହଷ୍ଟେଲର କାଚ ଏବଂ ଚେୟାର ଟେବୁଲ ଭାଙ୍ଗିଦେଇଛନ୍ତି । ଏଥିରେ ଜେଏନୟୁ ଛାତ୍ର ସଂସଦ ସଭାପତି ଆଇଶୀ ଘୋଷ ଆହତ ହୋଇଛନ୍ତି । ସେ କହିଛନ୍ତି ‘‘ ମୋତେ କେତେଜଣ ମୁହଁ ଢାଙ୍କିଥିବା ଗୁଣ୍ଡା ଶ୍ରେଣୀୟ ଲୋକେ ଆକ୍ରମଣ କରି ପିଟିଥିଲେ । ମୋ ମୁଣ୍ଡରୁ ରକ୍ତଶ୍ରାବ ହେଉଛି ଏବଂ ଭୀଷଣ କଷ୍ଟ ହେଉଛି’’ ।
ବାମପନ୍ଥୀ ବିଚାରଧାରାରା ଛାତ୍ରୀଛାତ୍ରମାନେ ଅଖିଳଭାରତୀୟ ବିଦ୍ୟାର୍ଥୀ ପରିଷଦର ଛାତ୍ରୀଛାତ୍ରଙ୍କ ଉପରେ ଏହି ହିଂସାକାଣ୍ଡ ଭିଆଇଥିବା ନେଇ ଅଭିଯୋଗ କରିଛନ୍ତି । ତେବେ ଆକ୍ରମଣକାରୀମାନଙ୍କର ସମ୍ପର୍କରେ କିଛି ଜଣାପଡ଼ିନାହିଁ । ତେବେ ଏହି ସମ୍ପୂର୍ଣ୍ଣ ଘଟଣାକ୍ରମ ଉପରେ ଦିଲ୍ଲୀ ପୋଲିସ କହିଛି ‘‘ ହଷ୍ଟେଲର କେତେକ ଛାତ୍ରଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା । ପରେ ଏହା ଭୟଙ୍କର ରୂପ ଧାରଣ କରିଥିଲା । ଯଦି ଏ ନେଇ ଅଭିଯୋଗ ହୁଏ ତେବେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ’’ ।
ଲେଫ୍ଟ ଛାତ୍ରସଂଘ ପକ୍ଷରୁ ଆରୋପ ଲଗାଯାଇଛି ଯେ, ‘‘ ଏବିଭିପି ସେହି ଛାତ୍ରମାନଙ୍କ ଉପରେ ଆକ୍ରମଣ କରୁଛି ଯେଉଁମାନେ ଜେଏନୟୁରେ ଫିସ ବୃଦ୍ଧି ବିରୋଧରେ ଶାନ୍ତିପୂର୍ଣ୍ଣ ଭାବେ ବିରୋଧ ପ୍ରଦର୍ଶନ କରୁଥିଲେ‘‘ ।

ଜେଏନ୍ୟୁର ଏକ ହଷ୍ଟେଲ୍ରେ କିଛି ମୁଖାପିନ୍ଧା ଆକ୍ରମଣକାରୀ
ଏହି ଘଟଣା ଉପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ କହିଛନ୍ତି ‘‘ ଜେଏନୟୁରେ ହୋଇଥିବା ହିଂସାକୁ ନେଇ ଦୁଃଖିତ ଅଛି । ଛାତ୍ରମାନଙ୍କ ଉପରେ ଅମାନବିକ ଭାବେ ଆକ୍ରମଣ କରାଯାଇଛି । ପୋଲିସ ତୁରନ୍ତ ହିଂସାକୁ ରୋକିବା ସହ ସେଠାରେ ଶାନ୍ତି ଫେରାଇ ଆଣୁ । ଯଦି ଛାତ୍ରମାନେ ବିଶ୍ବବିଦ୍ୟାଳୟ ଭିତରେ ସୁରକ୍ଷିତ ନରହିବେ ତାହାଲେ ଦେଶ କିପରି ଆଗକୁ ବଢ଼ିବ’’ ।
ବାମ ସଂଗଠନ ଉପରେ ଆରୋପ ଲଗାଇଲା ଏବିଭିପିସେହିପରି ଏବିଭିପି ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି କି ‘‘ବାମ ସଂଗଠନ ଏସଏଫଆଇ, ଆଇସା, ଡିଏସଏଫ ସହିତ ଜଡ଼ିତ ଥିବା ଛାତ୍ରମାନେ ଏହି ହିଂସାକାଣ୍ଡ ଘଟାଇଛନ୍ତି । ଏହି ଆକ୍ରମଣ ଫଛରେ ୧୫ଜଣ ଛାତ୍ରଙ୍କୁ ଗଭୀର ଆଘାତ ଲାଗିଛି । ଅଲଗା ଅଲଗା ଛାତ୍ରାବାସରେ ଏବିଭିପି ସହ ଜଡ଼ିତ ଛାତ୍ରମାନଙ୍କ ଉପରେ ଆକ୍ରମଣ କରାଯାଇଛି । ଏହା ସହ ହଷ୍ଟେଲର ଝରକା ଏବଂ କବାଟକୁ ବାମ ସଂଗଠନର ଛାତ୍ରମାନେ ଭାଙ୍ଗି ଦେଇଛନ୍ତି’’ ।
Published by:Durgamadhab Rath
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।