News18 Odia Digital
Vice President Election 2022: ଉପ-ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖର ଜିତିଛନ୍ତି। ସେ ବିରୋଧୀ ଦଳର ପ୍ରାର୍ଥୀ କଂଗ୍ରେସ ନେତା ମାର୍ଗାରେଟ୍ ଆଲଭାଙ୍କୁ ପରାସ୍ତ କରିଛନ୍ତି। ଆସନ୍ତା ୧୧ ତାରିଖରେ ନୂଆ ଉପରାଷ୍ଟ୍ରପତି ଶପଥ ଗ୍ରହଣ କରିବେ।
ଉପ-ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନରେ ମୋଟ ୭୨୫ ସାଂସଦ ଭୋଟ୍ ଦେଇଛନ୍ତି। ୩୪ ଟିଏମସି, ୨ ବିଜେପି, ୨ ଶିବସେନା ଓ ଜଣେ ବିଏସପି ସାଂସଦ ଭୋଟ୍ ଦେଇ ନାହାଁନ୍ତି।
ଉପ-ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଘୋଷଣା ପୂର୍ବରୁ ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଜଗଦୀପ ଧନଖର ୧୧ ଆକବର ରୋଡରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ବାସଭବନରେ ପହଞ୍ଚିଛନ୍ତି। ଭୋଟ୍ ଗଣନା ଶେଷ ହେବା ପରେ ଲୋକସଭା ମହାସଚିବ ଉତ୍କଳ କୁମାର ସିଂ କହିଛନ୍ତି ଯେ ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖର ୭୨୫ ଭୋଟରୁ ୫୨୮ ଭୋଟରେ ବିଜୟ ହାସଲ କରିଛନ୍ତି। ୧୫ଟି ଭୋଟ ଅବୈଧ ଘୋଷିତ ହୋଇଛି।
ସେ କହିଛନ୍ତି ଯେ ନିର୍ବାଚନରେ ବିରୋଧୀ ପ୍ରାର୍ଥୀ ମାର୍ଗାରେଟ୍ ଆଲଭା ୧୮୨ ଭୋଟ ପାଇଛନ୍ତି। ସେ କହିଛନ୍ତି ଯେ ରାଜ୍ୟସଭାର ନିର୍ବାଚିତ ତଥା ମନୋନୀତ ସଦସ୍ୟ, ଲୋକସଭାର ନିର୍ବାଚିତ ସଦସ୍ୟଙ୍କୁ ନେଇ ଗଠିତ ୭୮୦ ଜଣ ଚୟନକର୍ତ୍ତାଙ୍କ ମଧ୍ୟରୁ ୭୨୫ ଜଣ ଭୋଟର ଭୋଟ୍ ଦେଇଛନ୍ତି। ମୋଟ ମତଦାନ ୯୨.୯୪% ଥିଲା।
ଏହି ନିର୍ବାଚନରେ କେବଳ ଦୁଇଜଣ ଟିଏମସି ସାଂସଦ ମତ ଦେଇଛନ୍ତି। ଟିଏମସିର ଶିଶିର ଅଧୀକାରୀ ଓ ଦିବେନ୍ଦୁ ଅଧିକାରୀ ଭୋଟ ଦେଇଛନ୍ତି। ଟିଏମସି ଭୋଟ ଠାରୁ ଦୂରରେ ରହିବାକୁ ଘୋଷଣା କରିଥିଲା। ଅନ୍ୟପକ୍ଷରେ ସ୍ୱାସ୍ଥ୍ୟଗତ କାରଣରୁ ବିଜେପିର ସଞ୍ଜୟ ଧୋତ୍ରେ ଭୋଟ ଦେଇପାରିନଥିଲେ ଓ ସନ୍ନି ଦେଓଲ ଦେଶ ବାହାରେ ଅଛନ୍ତି।
ନୂଆ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଆଜି ସକାଳ ୧୦ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ ଟାରେ ଶେଷ ହୋଇଛି। ଭୋଟ ଗଣତି ସନ୍ଧ୍ୟା ୬ଟା ପରେ ଆରମ୍ଭ ହୋଇଥିଲା। ଭୋଟ ଦେଇଥିବା ପ୍ରଥମ ନେତାଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଥିଲେ। କେନ୍ଦ୍ର ମନ୍ତ୍ରୀ ଅମିତ ଶାହ, ରାଜନାଥ ସିଂ ଓ ବିଜେପି ସଭାପତି ଜେପି ନଡ୍ଡା ମଧ୍ୟ ଭୋଟ ଦେଇଛନ୍ତି।
ୱିଲଚେୟାରରେ ଭୋଟ ଦେବାକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ ପହଞ୍ଚିଥିଲେ। କଂଗ୍ରେସ ନେତା ରାହୁଲ ଗାନ୍ଧି ମଧ୍ୟ ଅନ୍ୟ ସାଂସଦଙ୍କ ବ୍ୟତୀତ ଭୋଟ ଦେଇଛନ୍ତି। ବର୍ତ୍ତମାନର ଉପ-ରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ଶେଷ ହେବାର ଗୋଟିଏ ଦିନ ପରେ ଦେଶର ପରବର୍ତ୍ତୀ ଉପ-ରାଷ୍ଟ୍ରପତି ଅଗଷ୍ଟ ୧୧ରେ ଶପଥ ଗ୍ରହଣ କରିବେ।
୨୦୧୯ରେ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବରେ ଜଗଦୀପ ଧନଖର ନିଯୁକ୍ତ ହୋଇଥିଲେ। ତାଙ୍କ ନାମ ଏନଡିଏର ଉପ-ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଘୋଷଣା ହେବା ପରେ ସେ ଜୁଲାଇ ୧୭ରେ ପଶ୍ଚିମବଙ୍ଗର ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ।
ଦେଶର ଦ୍ୱିତୀୟ ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ଭାରତର ଉପ-ରାଷ୍ଟ୍ରପତି ରାଜ୍ୟସଭା ଓ ଲୋକସଭା ସଦସ୍ୟଙ୍କୁ ନେଇ ଏକ ନିର୍ବାଚନୀ ମଣ୍ଡଳ ମାଧ୍ୟମରେ ନିର୍ବାଚିତ ହୋଇଛନ୍ତି। ଦେଶର ଉପ-ରାଷ୍ଟ୍ରପତି ମଧ୍ୟ ରାଜ୍ୟସଭାର ଅଧ୍ୟକ୍ଷ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।