News18 Odia Digital
ଦେହରାଡୁନ୍: ଉତ୍ତରାଖଣ୍ଡରେ (Uttarakhand) ଆସନ୍ତା ବର୍ଷ ହେବାକୁ ଥିବା ବିଧାନ ସଭା ନିର୍ବାଚନ ପୂର୍ବରୁ ଏବେ ନେତୃତ୍ବ ପରିବର୍ତ୍ତନ ହେବା ନିଶ୍ଚିତ ଲାଗୁଛି । ବର୍ତ୍ତମାନର ମୁଖ୍ୟ ମନ୍ତ୍ରୀ ତୀରଥ ସିଂହ ରାୱତ (Tirath Singh Rawat) ଏ ପର୍ଯ୍ୟନ୍ତ ଉପ-ନିର୍ବାଚନ ଲଢ଼ି ନ ଥିବାରୁ ଓ ୨୦୨୨ ମାର୍ଚ୍ଚ-ଏପ୍ରିଲ ମଧ୍ୟରେ ରାଜ୍ୟରେ ନିର୍ବାଚନ ହେବାକୁ ଥିବାରୁ ବର୍ତ୍ତମାନ ପରିସ୍ଥିତିରେ ଉପ-ନିର୍ବାଚନ କରିବା ଉଚିତ ମନେକରୁନାହିଁ ବିଜେପି ନେତୃତ୍ୱ ।
ଶୁକ୍ରବାର ଦିନ ରାଜ୍ୟପାଳଙ୍କୁ ଭେଟି ତୀରଥ ସିଂ ରାୱତ ଇସ୍ତଫା ଦେଇଥିବା ସୂଚନା ମିଳିଛି । ଯେତେ ଦୂର ଆଶା, ଶନିବାର ଦିନ ଉତ୍ତରାଖଣ୍ଡରେ ବିଧାୟକ ଦଳ ବୈଠକ ବସିବ ଓ ସେଠାରେ ପରବର୍ତ୍ତୀ ମୁଖ୍ୟ ମନ୍ତ୍ରୀ କିଏ ହେବେ ତା’ ଉପରେ ନିଷ୍ପତ୍ତି ନିଆଯିବ । ବର୍ତ୍ତମାନର ସ୍ଥିତିକୁ ଦେଖି ବିଧାନସଭା ନିର୍ବାଚନ ପୂର୍ବରୁ ଏତେ କମ୍ ସମୟ ଥିବା ବେଳେ ଏବେ ଉପ-ନିର୍ବାଚନ କିଛି ଗୁରୁତ୍ବ ରଖୁନି । ତେଣୁ ଏଭଳି ସ୍ଥିତିରେ ତୀରଥ ସିଂହ ରାୱତଙ୍କୁ ମୁଖ୍ୟ ମନ୍ତ୍ରୀ ପଦରୁ ହଟାଇ ବିଧାୟକ ଥିବା କୌଣସି ଟାଣୁା ଓ ଲୋକପ୍ରିୟ ନେତାଙ୍କୁ ମୁଖ୍ୟ ମନ୍ତ୍ରୀ ପଦ ଦେବା ପାଇଁ ଯୋଜନା ଚାଲିଥିବା ଜଣାପଡ଼ିଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ଅଣସର: ଶ୍ରୀଅଙ୍ଗରେ ଫୁଲୁରୀ ତେଲ ଲାଗିବା ପରେ ଧୀରେ ଧୀରେ ଜ୍ୱରରୁ ସୁସ୍ଥ ହେଉଛନ୍ତି ଶ୍ରୀଜଗନ୍ନାଥ
ଦଳୀୟ ଅସନ୍ତୋଷ ପ୍ରଶମିତ କରିବାକୁ ଗତ ମାର୍ଚ୍ଚ ମାସରେ ତ୍ରିଭେନ୍ଦ୍ର ସିଂହ ରାୱତଙ୍କୁ (Trivendra Singh Rawat) ଉତ୍ତରାଖଣ୍ଡର ମୁଖ୍ୟ ମନ୍ତ୍ରୀ ପଦରୁ ହଟାଇ ତୀରଥ ସିଂହ ରାୱତଙ୍କୁ ମୁଖ୍ୟ ମନ୍ତ୍ରୀ କରିଥିଲା ବିଜେପି । ସାଂସଦ ଥିବା ତୀରଥ୍ କେନ୍ଦ୍ରୀୟ ନେତୃତ୍ବର ନିର୍ଦ୍ଦେଶରେ ଡେରାଡୁନରେ ରାଜ୍ୟ ଶାସନର ଭାର ସମ୍ଭାଳିଥିଲେ । ଲୋକ ପ୍ରତିନିଧି ଆଇନର ଧାରା ୧୫୧ ଅନୁୟାୟୀ ଛଅ ମାସ ଭିତରେ ଉପ-ନିର୍ବାଚନରେ ସେ ବିଧାନ ସଭାକୁ ନିର୍ବାଚିତ ହେବା କଥା । କିନ୍ତୁ ଆସନ୍ତା ସେପ୍ଟେମ୍ବର ୧୦ ତାରିଖ ମଧ୍ୟରେ ତାଙ୍କର ଛଅ ମାସ ଅବଧି ପୂରିବାକୁ ଯାଉଥିବା ବେଳେ ଓ ଆସନ୍ତା ବର୍ଷ ମାର୍ଚ୍ଚ-ଏପ୍ରିଲ୍ ମଧ୍ୟରେ ରାଜ୍ୟରେ ବିଧାନ ସଭା ନିର୍ବାଚନ ହେବାକୁ ଥିବା ବେଳେ ଏଭଳି ସ୍ଥିତିରେ ଉପ-ନିର୍ବାଚନ କରାଇବା ସମ୍ଭବ ନୁହେଁ ବୋଲି ଅନୁଭବ କରି ତୀରଥ ସିଂହ ରାୱତଙ୍କୁ ମୁଖ୍ୟ ମନ୍ତ୍ରୀ ପଦରୁ ହଟାଇବା ଏକ ପ୍ରକାର ନିଶ୍ଚିତ ଲାଗୁଛି ।
ଏହା ବି ପଢ଼ନ୍ତୁ | ଓଡ଼ିଶାର ଭୂମିହୀନ ଚାଷୀମାନେ ପାଇଲେ କୋଭିଡ ସହାୟତା; ୧୮ ଲକ୍ଷ ପରିବାରକୁ ମିଳିଲା ₹୩୮୬ କୋଟି
କେନ୍ଦ୍ରୀୟ ନେତୃତ୍ବଙ୍କ ସମନ୍ ପାଇ ଗତ ବୁଧବାର ଦିଲ୍ଲୀରେ ପହଞ୍ଚିଥିଲେ ମୁଖ୍ୟ ମନ୍ତ୍ରୀ ତୀରଥ ସିଂହ ରାୱତ । ବିଜେପି ରାଷ୍ଟ୍ରୀୟ ସଭାପତି ଜେ. ପି. ନଡ୍ଡା ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସହ ତାଙ୍କର ସାକ୍ଷାତ ଆଲୋଚନା ହୋଇଥିଲା । ଗୁରୁବାର ସନ୍ଧ୍ୟାରେ ତୀରଥ ଡେହରାଡୁନ୍ ଫେରିବା କଥା । କିନ୍ତୁ ଦଳର ନେତୃତ୍ବ ତାଙ୍କୁ ଦିଲ୍ଲୀରେ ଆଉ ଦିନେ ରହିବାକୁ କହିଥିଲେ । ଏହା ସୂଚାଇ ଦେଇଥିଲା ଯେ ଆସନ୍ତା ବର୍ଷ ନିର୍ବାଚନ ପୂର୍ବରୁ ଉତ୍ତରାଖଣ୍ଡରେ ନେତୃତ୍ବ ପରିବର୍ତ୍ତନ ହୋଇପାରେ । ତୀରଥଙ୍କୁ ଇସ୍ତଫା ଦେବାକୁ କହି ଅନ୍ୟ ଜଣେ ବିଧାୟକଙ୍କୁ ମୁଖ୍ୟ ମନ୍ତ୍ରୀ ପଦରେ ବସାଇପାରେ ବିଜେପି । ତାଙ୍କ ନେତୃତ୍ୱରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନ ସଭା ନିର୍ବାଚନ ପାଇଁ ସଙ୍ଗଠନ ସୁଦୃଢ଼ ଦାୟିତ୍ୱ, ତୀରଥଙ୍କ ଉପରେ ନ୍ୟସ୍ତ କରିପାରେ ଦଳ ।
ଏହା ବି ପଢ଼ନ୍ତୁ | ଓଡ଼ିଶାରେ ଆସିଲା ନୂଆ ନିୟମ: ୧୬ ଯାଏଁ ଆଂଶିକ ଲକ୍ଡାଉନ୍; ୨୦ଟି ଜିଲ୍ଲାରେ ସନ୍ଧ୍ୟା ୬ଟା ଯାଏଁ ଦୋକାନ ଖୋଲିପାରିବ
ଯଦିଓ ନିର୍ବାଚନ ସଂକ୍ରାନ୍ତରେ ନିଷ୍ପତ୍ତି ନେବାର ଅଧିକାର କେବଳ ନିର୍ବାଚନ କମିଶନଙ୍କର, ତଥାପି ନିର୍ବାଚନ ପୂର୍ବରୁ ତୀରଥଙ୍କ ପାଇଁ ଉପ-ନିର୍ବାଚନ କରାଇବାକୁ ଚାହୁଁନାହିଁ ବିଜେପି । ଗୋଟିଏ ଉପ-ନିର୍ବାଚନ କରାଇଲେ ଅନ୍ୟ ସ୍ଥାନରେ ମଧ୍ୟ କରିବାକୁ ପଡ଼ିବ । ଲୋକ ପ୍ରତିନିଧି ଆଇନ୍ ଅନୁସାରେ ସାନି ନିର୍ବାଚନ ବର୍ଷେରୁ କମ୍ ସମୟ ନ ଥିଲେ ଉପ-ନିର୍ବାଚନ କରାଯିବ ନାହିଁ । ତେଣୁ ଏସବୁ ସ୍ଥିତି ହିଁ ସ୍ପଷ୍ଟ କରିଦେଉଛି ଯେ ୨୦୨୨ ବିଧାନ ସଭା ନିର୍ବାଚନ ପୂର୍ବରୁ ଉତ୍ତରାଖଣ୍ଡକୁ ଆଉ ଜଣେ ମୁଖ୍ୟ ମନ୍ତ୍ରୀ ମିଳିବା ଏକ ପ୍ରକାର ନିଶ୍ଚିତ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ଗଞ୍ଜାମରେ ବର୍ବରତା: ଗୁଣିଗାରେଡ଼ି ସନ୍ଦେହରେ ୩ ଯୁବକଙ୍କୁ ପିଟିଲେ, ଦାନ୍ତ ଭାଙ୍ଗିଲେ, ବିଷ୍ଠା ଖୁଆଇଲେ
ତୀରଥ ସିଂହ ରାୱତ ମୁଖ୍ୟ ମନ୍ତ୍ରୀ ପଦରୁ ହଟିଲେ ଆଉ କିଏ ଉତ୍ତରାଖଣ୍ଡର ପରବର୍ତ୍ତୀ ମୁଖ୍ୟ ମନ୍ତ୍ରୀ ହେବେ ତାହା ସ୍ପଷ୍ଟ ହୋଇ ନ ଥିଲେ ବି ଯେତେ ଦୂର ଆଶା ପର୍ଯ୍ୟଟନ ମନ୍ତ୍ରୀ ସତପାଲ୍ ମହାରାଜଙ୍କୁ ଏହି ଦାୟିତ୍ବ ମିଳିପାରେ । ନିକଟରେ ଦିଲ୍ଲୀରେ ହୋଇଥିବା ବିଜେପିର ଚିନ୍ତନ ଶିବିରକୁ ସତପାଲ୍ ମହାରାଜଙ୍କ ନେତୃତ୍ବରେ କିଛି ବିଧାୟକ ଯାଇଥିଲେ । ସେଠାରେ କେନ୍ଦ୍ରୀୟ ନେତୃତ୍ବ, ସତପାଲଙ୍କ ସହ ରାଜ୍ୟ ରାଜନୀତି ବାବଦରେ ଆଲୋଚନା କରିଥିବା ଶୁଣିବାକୁ ମିଳୁଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଆକାଶବାଣୀ... ଖବର ପଢ଼ୁଛନ୍ତି... ନା, ଆଉ ଖବର ପଢ଼ିବେନି ଉପେନ୍ଦ୍ର କୁମାର ପାହାଡ଼ ସିଂ
ଦିଲ୍ଲୀ ଯିବା ପୂର୍ବରୁ ବୁଧବାର ହରିଦ୍ବାରରେ ଜୁନା ଆଖଡ଼ା ମୁଖ୍ୟ ଅବଧେଶ ଗିରିଙ୍କୁ ଭେଟିଥିଲେ ମୁଖ୍ୟ ମନ୍ତ୍ରୀ ତୀରଥ ସିଂହ ରାୱତ । କୋଭିଡ୍ ପାଇଁ ଏ ଥରର କୁମ୍ଭ ମେଳାକୁ କାଣ୍ଟଛାଣ୍ଟ କରିଥିବା କାରଣରୁ ସାଧୁ ସମାଜ ମୁଖ୍ୟ ମନ୍ତ୍ରୀ ତୀରଥ ସିଂହ ରାୱତଙ୍କ ଉପରେ ସେତେଟା ଖୁସି ନାହାନ୍ତି । ତେଣୁ ନିର୍ବାଚନ ପୂର୍ବରୁ ସାଧୁ ସମାଜକୁ ସନ୍ତୁଷ୍ଟ କରିବାକୁ ତୀରଥ ଏଭଳି ପ୍ରୟାସ କରିଥିବା ଚର୍ଚ୍ଚା ହେଉଛି ।
ଦିଲ୍ଲୀରେ ଉତ୍ତରାଖଣ୍ଡ ରାଜନୀତିକୁ ନେଇ ଭିତିରିଆ ମିଶାଣ-ଫେଡ଼ାଣ ଚାଲିଥିବା ବେଳେ ରାଜ୍ୟ ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବୋଧ ଉନିୟାଲ୍ କହୁଛନ୍ତି ଯେ ଏସବୁ ‘‘ରୁଟିନ୍ ଆଫେୟାର୍’’ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।