News 18 Odia Digital
ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଲଖିମପୁର ଖେରୀ ଜିଲ୍ଲାର ବିଜେପି ବିଧାୟକ ଅରବିନ୍ଦ ଗିରି ହୃଦଘାତରେ ମୃତ୍ୟୁ ବରଣ କରିଛନ୍ତି । ସୂଚନାନୁସାରେ, ସେ ଲଖିମପୁର ଖେରୀରୁ ଲକ୍ଷ୍ନୌକୁ ଯାଉଥିବାବେଳେ କାରରେ ତାଙ୍କର ହୃଦଘାତ ହୋଇଥିଲା । ତାଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନଥ ଦୁଃଖ ପ୍ରକାଶ କରିଛନ୍ତି ।
ସଭାରେ ଯୋଗଦେବାକୁ ଲକ୍ଷ୍ନୌକୁ ଯାଉଥିଲେଅରବିନ୍ଦ ଗିରି ପଞ୍ଚମ ଥର ପାଇଁ ଲଖିମପୁର ଖେରୀର ଗୋଲା ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ । ସେ ଏକ ସଭାରେ ଯୋଗ ଦବା ପାଇଁ ତାଙ୍କ କାରରେ ଲକ୍ଷ୍ନୌକୁ ଯାଉଥିଲେ ବୋଲି ତାଙ୍କ ପରିବାର ଲୋକ କହିଛନ୍ତି । ରାସ୍ତାରେ ଗାଡିରେ ଯିବା ସମୟରେ ହୃଦଘାତ ହୋଇଥିଲା । ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ତାଙ୍କ ମୃତ୍ୟୁ ସମ୍ପର୍କରେ ପରିବାର ସମେତ ସମଗ୍ର ଅଞ୍ଚଳରେ ଶୋକର ଲହରୀ ଖେଳିଯାଇଥିଲା। ଏଥି ସହ ସୂଚନା ପାଇବା ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟ୍ୱିଟ୍ କରି ଗଭୀର ଦୁଃଖ ପ୍ରକାଶ କରିଛନ୍ତି।
ସମାଜବାଦୀ ପାର୍ଟି ସହିତ ରାଜନୀତିରେ ପାଦ ଦେଇଥିଲେ।ସୂଚନାନୁସାରେ, ଅରବିନ୍ଦ ଗିରି ୧୯୯୪ ମସିହାରେ ସମାଜବାଦୀ ପାର୍ଟି ସହିତ ରାଜନୀତିରେ ପାଦ ଦେଇଥିଲେ। ୧୯୯୫ ମସିହାରେ ସେ ଗୋଲା ପୌରପାଳିକାର ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥିଲେ । ତା’ପରେ ସେ ସମାଜବାଦି ପାର୍ଟି ଟିକେଟରେ ୧୯୯୬ ମସିହାରେ ପ୍ରଥମ ଥର ପାଇଁ ବିଧାୟକ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ଜିତିଥିଲେ ମଧ୍ୟ । ୨୦୧୭ ମସିହାରେ ଅରବିନ୍ଦ ଗିରି ବିଜେପିରେ ଯୋଗ ଦେଇଥିଲ। ଅରବିନ୍ଦ ଗିରି କ୍ରମାଗତ ଭାବେ ପାଞ୍ଚ ଥର ଏହି ଅଞ୍ଚଳର ବିଧାୟକ ଥିଲେ।
ସିଏମ୍ ଯୋଗୀ ଦୁଃଖ ପ୍ରକାଶ କରି ଟ୍ୱିଟ୍ କରିଛନ୍ତିଏଥି ସହ ମୁଖ୍ୟମନ୍ତ୍ରୀ ଯୋଗୀ ଏହି ଘଟଣା ପରେ ଟ୍ୱିଟ କରିଛନ୍ତି । ସେ ଲେଖିଛନ୍ତି, "ଲଖିମପୁର ଖେରୀ ଜିଲ୍ଲାର ଗୋଲା ବିଧାନସଭା ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ଅରବିନ୍ଦ ଗିରିଙ୍କର ଦେହାନ୍ତ ଅତ୍ୟନ୍ତ ଦୁଃଖ ଦାୟକ । ଦିବଙ୍ଗତ ଆତ୍ମାର ସତଗତି ହେଉ । ଏଭଳି ସମୟରେ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ଏହି ଅପୂରଣୀୟ କ୍ଷତି ସହିବାକୁ ଭଗବାନ ଶକ୍ତି ଦିଅନ୍ତୁ । ଓଁ ଶାନ୍ତି! "
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।