ଗର୍ଭପାତର ଅନୁମତି ପାଇଁ ଉପରୀ ସୀମା ୨୪ ସପ୍ତାହକୁ ବଢ଼େଇବାକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ଦେଲା
ଆଇନରେ ଏହି ପରିବର୍ତ୍ତନ ହେବା ଦ୍ୱାରା ଏଣିକି ଅସୁବିଧାଜନକ ଗର୍ଭଧାରଣର ସମାପ୍ତି ଅଧିକ ସୁରକ୍ଷିତ ହେବ ଓ ମହିଳାମାନଙ୍କୁ ନିଜ ଶରୀର ଉପରେ ଅଧିକ ପ୍ରଜନନ ଅଧିକାର ମିଳିବ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାବଡ଼େକର ।

(ପ୍ରତୀକାତ୍ମକ ଛବି)
- News18 Odia
- Last Updated: January 29, 2020, 3:48 PM IST
ନୂଆ ଦିଲ୍ଲୀ: ଦେଶର ମହିଳାମାନଙ୍କ ହିତ ପାଇଁ ଏକ ମହତ୍ୱପୂର୍ଣ୍ଣ ନିର୍ଣ୍ଣୟରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ଆଜି ଗର୍ଭପାତର ଅନୁମତି ପାଇଁ ଉପରୀ ସମୟ ସୀମାକୁ ବର୍ତ୍ତମାନର ୨୦ ସପ୍ତାହରୁ ବଢ଼େଇ ୨୪ ସପ୍ତାହ ବା ଛଅ ମାସ କରିବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି ।
ମେଡିକାଲ ଟର୍ମିନେସନ୍ ଅଫ୍ ପ୍ରେଗନାନ୍ସି (ଆମେଣ୍ଡମେଣ୍ଟ୍) ବିଲ, ୨୦୨୦କୁ ମଞ୍ଜୁରୀ ଦେଇ କେନ୍ଦ୍ର କ୍ୟାବିନେଟ ମେଡିକାଲ ଟର୍ମିନେସନ୍ ଅଫ୍ ପ୍ରେଗନାନ୍ସି ଆକ୍ଟ, ୧୯୭୧ରେ ପରିବର୍ତ୍ତନର ରାସ୍ତା ସଫା କରିଛି । ଏହି ଆମେଣ୍ଡମେଣ୍ଟ୍ ବିଲଟିକୁ ସଂସଦର ଆସନ୍ତା ସତ୍ରରେ ଆଗତ କରାଯିବ ।
ମନ୍ତ୍ରୀମଣ୍ଡଳର ବୈଠକ ସରିବା ପରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାବଡ଼େକର କହିଛନ୍ତି ଯେ ଗର୍ଭପାତର ଅନୁମତି ପାଇଁ ଉପରୀ ସମୟ ସୀମାକୁ ବର୍ତ୍ତମାନର ୨୦ ସପ୍ତାହରୁ ବଢ଼େଇ ୨୪ ସପ୍ତାହ ବା ଛଅ ମାସ କରିଦିଆଯାଇଛି ।
‘‘ଏକ ପ୍ରଗତିଶୀଳ ସଂସ୍କାର ଓ ମହିଳାମାନଙ୍କୁ ପ୍ରଜନନ ସମ୍ବନ୍ଧୀୟ ଅଧିକ ଅଧିକାର ଦେବାର ପ୍ରୟାସରେ ଗର୍ଭପାତକୁ ଚ଼ିକିତ୍ସୀୟ ଉପାୟରେ ଶେଷ କରିବାର ସୀମାକୁ ବଢ଼େଇ ୨୪ ସପ୍ତାହ କରାଯାଇଛି । ଏହା ଏକ ମହତ୍ୱପୂର୍ଣ୍ଣ ନିର୍ଣ୍ଣୟ କାରଣ ଗର୍ଭପାତର ପ୍ରଥମ ପାଞ୍ଚ ମାସରେ ଗର୍ଭବତୀ ହୋଇଥିବା ଝିଅ ସେ କଥା ଜାଣି ପାରୁନଥିବା ଓ ମାମଲା କୋର୍ଟକୁ ଯାଉଥିବାର ଉଦାହରଣ ରହିଛି,’’ କହିଛନ୍ତି ଜାବଡ଼େକର ।
ଏହି ପରିବର୍ତ୍ତନ ପୂର୍ବରୁ ବିଭିନ୍ନ ସମ୍ବନ୍ଧିତ ସଂସ୍ଥା ଓ ବ୍ୟକ୍ତିଙ୍କ ସହିତ ଆଲୋଚ଼ନା କରାଯାଇଥିଲା ବୋଲି ସେ କହିଛନ୍ତି । ‘‘ଏହି ପରିବର୍ତ୍ତନ ଦ୍ୱାରା ମାତୃ ମୃତ୍ୟୁ ଦର କମିବ,’’ କହିଛନ୍ତି ଜାବଡ଼େକର ।