News 18 Odia Digital
ଲଣ୍ଡନ: ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର୍ ଜେଲେନ୍ସ୍କି ହ୍ବାଇଟ୍ ହାଉସ୍ରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କୁ ଭେଟିଛନ୍ତି।
ରୁଷ୍ ଆକ୍ରମଣ କରିବାର ୩୦୦ ଦିନ ପରେ ଏହା ହେଉଛି ଜେଲେନ୍ସ୍କିଙ୍କ ପ୍ରଥମ ବିଦେଶ ଗସ୍ତ। ସାକ୍ଷାତ୍ ସମୟରେ ଜୋ ବାଇଡେନ୍ କହିଲେ, ବିଶ୍ବାସ ହେଉନି, ଏଭଳି ପାଶବିକ ଯୁଦ୍ଧରେ ୩୦୦ ଦିନ ଅତିବାହିତ ହୋଇଗଲାଣି। ଗୋଟାଏ ରାଷ୍ଟ୍ର ଭଳି ତିଷ୍ଠି ରହିବା ପାଇଁ ୟୁକ୍ରେନ୍ର ଅଧିକାର ଉପରେ ପୁଟିନ୍ ପାଶବିକ ଆକ୍ରମଣ କରିଛନ୍ତି। ନିରୀହ ୟୁକ୍ରେନ୍ ଜନତାଙ୍କୁ ଭୟଭୀତ କରିବା ବ୍ୟତୀତ ଏହି ଆକ୍ରମଣର ଆଉ କିଛି କାରଣ ନାହିଁ।
ୟୁକ୍ରେନକୁ ଆଉ ୧୫ ହଜାର କୋଟିର ସାମରିକ ପ୍ୟାକେଜ୍ ଘୋଷଣା କରିଛି ଆମେରିକା । ହ୍ଵାଇଟ୍ ହାଉସରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ସାକ୍ଷାତ ଆଲୋଚନା ପରେ ଏହି ଘୋଷଣା କରିଛନ୍ତି ଜୋ ବାଇଡେନ୍ । ଏଥିସହ ୟୁକ୍ରେନକୁ ମିଳିବ ପାଟ୍ରୋଏଟ୍ ମିସାଇଲ୍ ଡିଫେନ୍ସି ସିଷ୍ଟମ୍ । ବାଇଡେନ୍ କହିଛନ୍ତି, ବାଟଲ ଗ୍ରାଉଣ୍ଡରେ ୟୁକ୍ରେନକୁ ସହାୟତା ଦେବା ଆମେରିକା ଓ ସହଯୋଗୀ ରାଷ୍ଟ୍ରଙ୍କ ଫୋକସ୍ ରହିଛି ।
ୟୁକ୍ରେନକୁ ସମସ୍ତ ସହାୟତା ଜାରି ରହିବ ବୋଲି କହିଛନ୍ତି ବାଇଡେନ୍ । ୟୁକ୍ରେନର ସ୍ୱାଧୀନତା ଓ ସୁରକ୍ଷା ନେଇ ଦୁଇ ନେତା ଆଲୋଚନା କରିଛନ୍ତି । ଯୁଦ୍ଧର ପରିସମାପ୍ତି ହେଉ ବୋଲି ମତ ରଖିଛନ୍ତି ଦୁଇ ରାଷ୍ଟ୍ର ନେତା । ନୂତନ ସାମରିକ ସହୟତା ଘୋଷଣା ପରେ ବାଇଡେନଙ୍କୁ କୃତଜ୍ଞତା ଜଣାଇଛନ୍ତି ଜେଲେନସ୍କି । ସେ କହିଛନ୍ତି, ୟୁକ୍ରେନ୍ ଉପରେ ହେଉଥିବା ଆକ୍ରମଣକୁ ଏହି ସହାୟତା ପ୍ରତିହତ କରିବ । ଆକାଶ ମାର୍ଗରୁ ରୁଷ୍ ସେନାକୁ ମିଳିବ ମୁହଁତୋଡ ଜବାବ । ଆକାଶରୁ ହମଲାକୁ ଦୃଢ଼ ଜବାବ ଦିଆଯିବ ବୋଲି ଜେଲେନସ୍କି କହିଛନ୍ତି । ୟୁ.ଏସ୍. କଂଗ୍ରେସରେ ଐତିହାସିକ ଉଦ୍ବୋଧନ ଦେଇ ସାଂସଦମାନଙ୍କୁ ଜେଲେନ୍ସ୍କି କହିଲେ, ୟୁକ୍ରେନ୍ ସର୍ବବ୍ୟାପ୍ତ ଓ ଜୀବନ୍ତ। ୟୁକ୍ରେନ୍ ତା’ର ରାଷ୍ଟ୍ରୀୟ ମର୍ଯ୍ୟାଦା ବଜାୟ ରଖିବ। କଦାପି ଆତ୍ମ ସମର୍ପଣ କରିବ ନାହିଁ।
Published by: Soumyashree Mishra
First published: December 22, 2022, 09:13 IST
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।