ୟୁକ୍ରେନର ଜନଗହଳିପୂର୍ଣ୍ଣ ସପିଂ ମଲରେ ଋଷର କ୍ଷେପଣାସ୍ତ୍ର ମାଡ଼
News18 Odia Digital
ନୂଆଦିଲ୍ଲୀ : ୟୁକ୍ରେନର ଜନଗହଳିପୂର୍ଣ୍ଣ ସ୍ଥାନରେ ଋଷ କ୍ଷେପଣାସ୍ତ୍ର ମାଡ଼ କରିଛି । ଏକ ସପିଂ ମଲରେ କ୍ଷପଣାସ୍ତ୍ର ମାଡ଼ ହୋଇଥିବାବେଳେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି ଯେ ‘ଏହି କ୍ଷେପଣାସ୍ତ୍ର ଋଷର ସୈନିକଙ୍କ ପ୍ରତି କୌଣସି ବିପଦ ସୃଷ୍ଟି କରି ନାହିଁ ଏବଂ ଏହାର କୌଣସି ରଣନୈତିକ ମୂଲ୍ୟ ନାହିଁ’ ।
ଏହା ମଧ୍ୟରେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଜିକିସ୍ତାନ ଏବଂ ତୁର୍କମେନିସ୍ତାନ ଗସ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରୁଷ-ୟୁକ୍ରେନ ଯୁଦ୍ଧ ଜାରି ରହିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ G7 ଶିଖର ସମ୍ମିଳନୀରେ ଏହି ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । କଥାବାର୍ତ୍ତା ସହ କୁଟନିତି ଆପଣାଇ ବିବାଦର ଅନ୍ତ ଘଟାଇବାର ଆବଶ୍ୟକତାକୁ ଦୋହରାଇଛନ୍ତି ମୋଦି । ବୈଦେଶିକ ସଚିବ ବିନୟ କ୍ୱାଟ୍ରା ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ଯେ ରୁଷ-ୟୁକ୍ରେନ ଯୁଦ୍ଧ କଥା ପ୍ରଧାନମନ୍ତ୍ରୀ ମୋଦୀ ଦୋହରାଇଛନ୍ତି । ଏହି ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ ଉପରେ ଏକ ପ୍ରଶ୍ନର ଉତ୍ତରରେ କ୍ୱାଟ୍ରା କହିଛନ୍ତି, 'ରୁଷ-ୟୁକ୍ରେନ ଉପରେ ପ୍ରଧାନମନ୍ତ୍ରୀ ଶତ୍ରୁତାକୁ ତୁରନ୍ତ ସମାପ୍ତ କରିବା ସହିତ ଭାରତର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ପରିସ୍ଥିତିର ସମାଧାନ ପାଇଁ କଥାବାର୍ତ୍ତା ଏବଂ କୂଟନୀତି ଆପଣେଇବାକୁ ମୋଦି କହିଛନ୍ତି । ' ସେ ଆହୁରି ମଧ୍ୟ ଦର୍ଶାଇଛନ୍ତି ଯେ ଖାଦ୍ୟ ସୁରକ୍ଷା ସଙ୍କଟ ବିଷୟରେ ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ୱ ନେତାଙ୍କ ସହ କଥା ହୋଇଛନ୍ତି ।
ୟୁକ୍ରେନ ଅଧିକାରୀମାନେ କହିଛନ୍ତି ଯେ ଋଷର ଏକ କ୍ଷେପଣାସ୍ତ୍ର କେନ୍ଦ୍ରରେ ଥିବା ସହର କ୍ରେମେନଚୁକରେ ଏକ ଜନଗହଳିପୂର୍ଣ୍ଣ ସପିଂ ମଲକୁ ଧକ୍କା ଦେଇଛି । ଏହି ଆକ୍ରମଣରେ ୨ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ନ୍ୟୁଜ୍ ଏଜେନ୍ସି ଏପି ଏହି ସୂଚନା ଦେଇଛି । ସୋମବାର ଦିନ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଗଣମାଧ୍ୟମକୁ କହିଛନ୍ତି ଯେ ଆହତଙ୍କ ସଂଖ୍ୟା କଳ୍ପନା ଯୋଗ୍ୟ ନୁହେଁ । ଆକ୍ରମଣ ସମୟରେ ଏକ ହଜାରରୁ ଅଧିକ ସାଧାରଣ ନାଗରିକ ମଲ ଭିତରେ ଥିଲେ ।
କିଛି ମିନିଟ୍ ପରେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟର ଡେପୁଟି ହେଡ୍ କିରିଲ୍ ଟାଇମୋଶେଙ୍କୋ ଏକ ଟେଲିଗ୍ରାମ ପୋଷ୍ଟରେ କହିଛନ୍ତି ଯେ ଅତି କମରେ ଦୁଇଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ୯ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଋଷର ସୈନ୍ୟ ପ୍ରତି ଏହା କୌଣସି ବିପଦ ନଥିଲା ଏବଂ ଏହା କୌଣସି ରଣନୀତିକ କ୍ଷତି ହୋଇନାହିଁ ।
ଜେଲେନସ୍କି G7 ବୈଠକରେ କହିଛନ୍ତି, ଶୀତ ଆରମ୍ଭ ହେବା ପୂର୍ବରୁ ଯୁଦ୍ଧ ଶେଷ ହେବା ଉଚିତ୍
G7 ଶିଖର ସମ୍ମିଳନୀରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ସୋମବାର କହିଛନ୍ତି କି ସେ ଚାହୁଁଛନ୍ତି ରୁଷ ଦ୍ଵାରା ତାଙ୍କ ଦେଶ ବିରୋଧରେ ଚାଲିଥିବା ଯୁଦ୍ଧ ଶୀତ ପୂର୍ବରୁ ଶେଷ ହେଉ । ବି ବିବିସି ରିପୋର୍ଟ ଅନୁଯାୟୀ, ୟୁକ୍ରେନର ରାଷ୍ଟ୍ରପତି G7 ନେତାମାନଙ୍କୁ ଭର୍ଚୁଆଲି ସମ୍ବୋଧିତ କରିଛନ୍ତି । ଜେଲେନସ୍କି ତାଙ୍କୁ ପୁନଃ ନିର୍ମାଣ ସହାୟତା, ବିମାନ ବିରୋଧୀ ପ୍ରତିରକ୍ଷା ପ୍ରଣାଳୀ, ଶସ୍ୟ ରପ୍ତାନିରେ ସହାୟତା ଏବଂ ସୁରକ୍ଷା ଗ୍ୟାରେଣ୍ଟି ମାଗିଥିଲେ । ୟୁକ୍ରେନ ଯୁଦ୍ଧ G7 ଏଜେଣ୍ଡାର ଶୀର୍ଷରେ ଅଛି । ଋଷ ଉପରେ ଲାଗୁ କରାଯାଇଥିବା ପ୍ରତିବନ୍ଧକକୁ ଆହୁରି କଡାକଡି କରିବାକୁ ସେ ଆହ୍ୱାନ ଦେଇଛନ୍ତି । ବିସିସିଆଇ ରିପୋର୍ଟ ଅନୁଯାୟୀ, ତାଙ୍କ ସମ୍ବୋଧନର ଗୋଟିଏ ଦିନ ପୂର୍ବରୁ ଜେଲେନସ୍କି ଦେଶକୁ ସମ୍ବୋଧିତ କରି କହିଛନ୍ତି ଯେ ୟୁକ୍ରେନକୁ ବାରମ୍ବାର ଅସ୍ତ୍ରଶସ୍ତ୍ର ପଠାଇବାରେ ବିଳମ୍ବ ହେବା ରୁଷିଆକୁ ବାରମ୍ବାର ଆକ୍ରମଣ ପାଇଁ ନିମନ୍ତ୍ରଣ ଦେବା । ଏୟାର ଡିଫେନ୍ସ ସିଷ୍ଟମ ଦାବି କରି ସେ କହିଛନ୍ତି ଯେ ଅଂଶୀଦାରମାନେ ଯଦି ପ୍ରକୃତରେ ଅଂଶଗ୍ରହଣକାରୀ, ଯଦି ପର୍ଯ୍ୟବେକ୍ଷକ ନୁହଁନ୍ତି ତେବେ ଶୀଘ୍ର କାର୍ଯ୍ୟ କରିବା ଆବଶ୍ୟକ ।
ଜର୍ମାନୀ ଏବଂ ଆମେରିକା କ’ଣ କହିଥିଲେ ?
ଜର୍ମାନ ଚାନସେଲର ଓଲାଫ ସୋଲ୍ଜ କହିଛନ୍ତି ଯେ ଋଷର କ୍ଷେପଣାସ୍ତ୍ର ଆକ୍ରମଣରୁ ଜଣାପଡୁଛି ଯେ, ୟୁକ୍ରେନକୁ ସମର୍ଥନ କରିବା ଏବଂ ଏକଜୁଟ ହେବା ଠିକ ନିଷ୍ପତି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଦାବି କରିଛନ୍ତି ଯେ ଋଷର ପ୍ରତିପକ୍ଷ ଭ୍ଲାଦିମିର ପୁଟିନ ନାଟୋ ଏବଂ G7 ଠାରୁ ତାଙ୍କୁ ଅଲଗା କରିବା ପାଇଁ ଆଶା ରଖିଥିଲେ । କିନ୍ତୁ ନା ତାହା ହୋଇଛି ନା ଆଗକୁ ହେବ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।