ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ପଦଚ୍ୟୁତ ହେଉଥିବା ଆମେରିକାର ପ୍ରଥମ ରାଷ୍ଟ୍ରପତି ହୋଇ ଟ୍ରମ୍ପ ଇତିହାସ ସୃଷ୍ଟି କରି ପାରନ୍ତି

ପଦଚ୍ୟୁତ ହେଉଥିବା ଆମେରିକାର ପ୍ରଥମ ରାଷ୍ଟ୍ରପତି ହୋଇ ଟ୍ରମ୍ପ ଇତିହାସ ସୃଷ୍ଟି କରି ପାରନ୍ତି

ଡୋନାଲ୍ଡ ଟ୍ରମ୍ପ ଆମେରିକାର ପ୍ରଥମ ରାଷ୍ଟ୍ରପତି ଯାହାଙ୍କ ବିରୋଧରେ ନିଜ କାର୍ଯ୍ୟକାଳରେ ଦୁଇ ଥର ମହାଭିଯୋଗ ପ୍ରସ୍ତାବ ଆସିବାକୁ ଯାଉଛି । ଜୋ ବାଇଡେନ୍‌ଙ୍କ ଶପଥ ଗ୍ରହଣ ପୂର୍ବରୁ ତାଙ୍କୁ ଗାଦିଚ୍ୟୁତ କରିବାକୁ ଡେମୋକ୍ରାଟମାନେ ସ୍ଥିର କରିଛନ୍ତି ।

ପଦଚ୍ୟୁତ ହେଉଥିବା ଆମେରିକାର ପ୍ରଥମ ରାଷ୍ଟ୍ରପତି ହୋଇ ଟ୍ରମ୍ପ ଇତିହାସ ସୃଷ୍ଟି କରି ପାରନ୍ତି
ଡୋନାଲ୍ଡ ଟ୍ରମ୍ପ ଓ (ଡାହାଣ) ନାନ୍ସି ପେଲୋସି (ରୟଟର୍ସ୍‌ ଫଟୋ)
  • News18 Odia
  • Last Updated: January 11, 2021, 11:56 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ୱାଶିଂଟନ୍‌: ନିଜ ପଦ ଓ ସେହି ପଦରୁ ମିଳିଥିବା ପ୍ରାସାଦରୁ ବିଦା ହେଉଁ ହେଉଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କୁ (Donald Trump) ଏକ ବଡ଼ କାର୍ଯ୍ୟାନୁଷ୍ଠାନର ସାମନା କରିବାକୁ ପଡ଼ିପାରେ । ଆମେରିକା ସଂସଦରେ ହିଂସାକାଣ୍ଡ ପରେ ଟ୍ରମ୍ପଙ୍କ ବିରୋଧରେ ପାଇଁ ଉଠିଛି ସ୍ବର । ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭରେ ତାଙ୍କ ବିରଦଦ୍ଧରେ ମହାଭିଯୋଗ ପ୍ରସ୍ତାବ (impeachment) ଆଗତ କରିବାକୁ ସଜବାଜ ହେଉଛି ଡେମୋକ୍ରାଟିକ୍‌ ଦଳ । ଏ ସମ୍ପର୍କରେ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ଡେମୋକ୍ରାଟିକ୍‌ ସାଂସଦ ଟେଡ ଲିଉ ।

ମହାଭିଯୋଗ ଆଗତ କରିବା ପାଇଁ ୧୮୦ ଜଣ ସଦସ୍ୟ ପ୍ରସ୍ତୁତ ଥିବା କହିଛନ୍ତି ଲିଉ । ବାଚସ୍ପତି ନାନ୍‌ସି ପେଲୋସି (Nancy Pelosy) ମଧ୍ୟ ଟ୍ରମ୍ପ୍‌ଙ୍କୁ ତତ୍କାଳ ହଟାଇବା ପାଇଁ ସାମ୍ବିଧାନିକ ପ୍ରକ୍ରିୟା ଆରମ୍ଭ କରାଯିବା ଉପରେ ଗୁରୁତ୍ବାରୋପ କରିଛନ୍ତି ।

ଏହା ବି ପଢ଼ନ୍ତୁ | ଢେଙ୍କାନାଳରେ ଦୁଇ ଝିଅଙ୍କ ବଚସା ବେଳେ ଗାଲ କାମୁଡ଼ା ତା ପରେ ପିତାଙ୍କୁ ହାଣି ହତ୍ୟା କଲେ

‘‘ଆଗାମୀ ୨୦ ତାରିଖରେ ନବ-ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ (Jo Biden) ଶପଥ ଗ୍ରହଣ ଉତ୍ସବ ହେବାକୁ ଯାଉଛି । ତା’ ପୂର୍ବରୁ ଟ୍ରମ୍ପ୍‌ଙ୍କୁ କ୍ଷମତାରୁ ହଟାଇବା ପାଇଁ ଚାହୁଛନ୍ତି ସଂଖ୍ୟାଧିକ ଆମେରିକୀୟ । ଆମେ ସେମାନଙ୍କୁ ସମ୍ମାନ ଦେଇ ପଦକ୍ଷେପ ଗ୍ରହଣ କରିବୁ,’’ କହିଛନ୍ତି ପେଲୋସି ।

ଆଗାମୀ ୨୦ ତାରିଖରେ ଜୋ ବାଇଡେନ୍‌ ଆମେରିକାର ନୂତନ ରାଷ୍ଟ୍ରପତି ହେବେ । (ଏ.ପି. ଫଟୋ)


ନାନ୍ସି ପେଲୋସି ସତର୍କ କରାଇଛନ୍ତି ଯେ ଯଦି ଟ୍ରମ୍ପ ଇସ୍ତଫା ନ ଦିଅନ୍ତି କିମ୍ବା ଉପରାଷ୍ଟ୍ରପତି ମାଇକ ପେନ୍ସ ଆମେରିକା ସମ୍ବିଧାନର ୨୫ତମ ସଂଶୋଧନ କ୍ଷମତାକୁ ଉପଯୋଗ କରି କ୍ୟାବିନେଟ କିମ୍ବା କଂଗ୍ରେସ କମିଟି ଦ୍ବାରା ତାଙ୍କୁ ରାଷ୍ଟ୍ରପତି ପଦରୁ ନ ହଟାନ୍ତି, ତା'ହେଲେ ଟ୍ରମ୍ପଙ୍କ ବିରୋଧରେ ଆସିବ ମହାଭିଯୋଗ ପ୍ରସ୍ତାବ ।

ଏହା ବି ପଢ଼ନ୍ତୁସୁରେଶ ମହାପାତ୍ର ହେଲେ ଓଡ଼ିଶାର ନୂଆ ମୁଖ୍ୟ ଶାସନ ସଚିବ; ୨୫ ବର୍ଷ ବୟସରେ IAS ପାଇଥିଲେ

ଜାନୁଆରୀ ୬ରେ ଆମେରିକାର ସଂସଦ ଭବନରେ ଯାହା ଘଟିଲା ତାହା ପୂର୍ବରୁ କେବେ ଘଟି ନ ଥିଲା। କ୍ୟାପଟଲ୍‌ ହିଲ୍‌ ହିଂସା ପାଇଁ ସାରା ବିଶ୍ବରେ ନିନ୍ଦିତ ହୋଇଛି ବିଶ୍ୱର ସର୍ବ ପୂରାତନ ଗଣତନ୍ତ୍ର । କ୍ଷୂର୍ଣ୍ଣ ହୋଇଛି ସର୍ବଶକ୍ତିମାନ ରାଷ୍ଟ୍ରର ମର୍ଯ୍ୟାଦା । ହିଂସାକୁ ଉସୁକାଇବା ଭଳି ସାଙ୍ଘାତିକ ଅଭିଯୋଗ ଆସିଛି ଟ୍ରମ୍ପଙ୍କ ବିରୋଧରେ । ନିର୍ବାଚନରେ ପରାଜୟ ସତ୍ତ୍ବେ କ୍ଷମତାକୁ ଅକ୍ତିଆରରରେ ରଖିବା ପାଇଁ ସବୁ କଳ-ବଳ-କୌଶଳ ଲଗାଇ ଦେଇଥିଲେ ଡୋନାଲ ଟ୍ରମ୍ପ। ନିଜ ମସର୍ଥକଙ୍କୁ କ୍ୟାପିଟଲ ହିଲ ହିଂସା ପାଇଁ ସେ ପ୍ରେରିତ କରିଥିବା ଅଭିଯୋଗ ହୋଇଛି ତାଙ୍କ ବିରୋଧରେ ।

କ୍ୟାପିଟଲ୍‌ ହିଲ୍‌ ଆକ୍ରମଣ ବେଳେ ପ୍ରାଣ ହରେଇଥିବା ପାଞ୍ଚ ଜଣଙ୍କ ମଧ୍ୟରେ ଥିବା ଆଶଲି ବ୍ୟାବିଟ୍‌ (ରୟଟର୍ସ୍‌ ଫଟୋ)


ତେବେ ଟ୍ରମ୍ପଙ୍କ ବିରୋଧରେ ମହଭିଯୋଗ ଆସିବା ଏହା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ଡିସେମ୍ବର ୨୦୧୯ରେ ମଧ୍ୟ ତାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆସିଥିଲା । କ୍ଷମତାର ଦୂରୁପଯୋଗ ଓ ଆମେରିକାନ କଂଗ୍ରେସକୁ ବିଭ୍ରାନ୍ତ କରିବା ଭଳି ଅଭିଯୋଗ ହୋଇଥିଲା । ୪୩୫ ସଦସ୍ୟ ବିଶିଷ୍ଟ ୟୁ.ଏସ୍. ହାଉସ୍‌ ଅଫ୍ ରିପ୍ରେଜେଣ୍ଟେଟିଭରେ ସଂଖ୍ୟାଧିକ ସଦସ୍ୟ ଏହାକୁ ସମର୍ଥନ କରିଥିଲେ । ମାତ୍ର ସିନେଟରେ ଏହା କାଟ୍‌ ଖାଇଯାଇଥିଲା ।

ଏହା ବି ପଢ଼ନ୍ତୁ | ପରୀକୁ ଗଳା ଚିପି ହତ୍ୟା କରିବା ପରେ ତା ସହ ଦୁଷ୍କର୍ମ ଉଦ୍ୟମ କରିଥିଲା ସରୋଜ: ଅରୁଣ ବୋଥ୍ରା

ଜାନୁଆରୀ ୨୦ରେ ନୂଆ ରାଷ୍ଟ୍ରପତି ରୂପେ ବାଇଡେନ୍‌ ଦାୟିତ୍ବ ନେବା ପୂର୍ବରୁ ଏତେ କମ ସମୟ ମଧ୍ୟରେ ଟ୍ରମ୍ପଙ୍କ ମହାଭିଯୋଗ ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା କଷ୍ଟସାଧ୍ୟ ବ୍ୟାପାର ହୋଇପାରେ । ମହାଭିଯୋଗ ପାଇଁ ପ୍ରଥମେ ହାଉସ୍‌ ଅଫ ରିପ୍ରେଜେଣ୍ଟେଟିଭରେ ଭୋଟିଂ ଆବଶ୍ୟକ । ତଳ ସଦନରେ ଗୃହୀତ ହେବା ପରେ ଯାଇ ସିନେଟରେ ଏହାର ଟ୍ରାଏଲ ହେବ ।  ମହାଭିଯୋଗ ସମ୍ପର୍କରେ ବିଚାର କରିବା ଲାଗି କିଛି ବିଶେଷଜ୍ଞଙ୍କୁ ନେଇ ଏକ କମିଟି ନିଯୁକ୍ତି କରିବା ନେଇ ସମ୍ବିଧାନରେ ବ୍ୟବସ୍ଥା ରହିଛି । କମିଟିର ସଦସ୍ୟ ବା ମ୍ୟାନେଜରମାନେ ଅଭିଯୋଗକୁ ନେଇ ଯୁକ୍ତି ରଖିବା ପରେ ନିଷ୍ପତ୍ତି ନିଆଯିବ । ବିଶେଷଜ୍ଞଙ୍କ କହିବା କଥା ଯେ ଏଥିପାଇଁ ଅତି କମରେ ନଅ ଦିନ ସମୟ  ଲାଗିବ ।

ଡୋନାଲ୍ଡ ଟ୍ରମ୍ପ (ରୟଟର୍ସ୍‌ ଫଟୋ)


ଟ୍ରମ୍ପଙ୍କୁ ହଟାଇବା ପାଇଁ ଆଉ ଏକ ବିକଳ୍ପ ମଧ୍ୟ ରହିଛି । ଆମେରିକା ସମ୍ବିଧାନର ୨୫ତମ ସଂଶୋଧନ ଅନୁଯାୟୀ ଉପରାଷ୍ଟ୍ରପତି ନିଜର କ୍ଷମତା ପ୍ରୟୋଗ କରି ରାଷ୍ଟ୍ରପତିଙ୍କୁ ପଦଚ୍ୟୁତ କରାଇ ପାରିବେ । ୨୫ତମ ସମ୍ବିଧାନ ସଂଶୋଧନରେ ଥିବା ବ୍ୟବସ୍ଥା ଅନୁସାରେ:

୧- ରାଷ୍ଟ୍ରପତିଙ୍କ ମୃତ୍ୟୁ ହେଲେ କିମ୍ବା ଶାସନ କରିବାକୁ ଅକ୍ଷମ ହେଲେ ତାଙ୍କ ସ୍ଥାନରେ ଅନ୍ୟ ଜଣଙ୍କୁ ଦେଶର ଶାସନ ଭାର ହସ୍ତାନ୍ତର କରାଯାଇପାରିବ;

୨- ରାଷ୍ଟ୍ରପତି ଇସ୍ତଫା ଦେଲେ କିମ୍ବା ତାଙ୍କର ମୃତ୍ୟୁ ହେଲେ ଉପରାଷ୍ଟ୍ରପତିଙ୍କୁ ଅସ୍ଥାୟୀ ଭାବେ ଦିଆଯିବ ଦାୟିତ୍ୱ ମିଳିପାରିବ;

୩ - ଧାରା ୪ ଅନୁଯାୟୀ ରାଷ୍ଟ୍ରପତି କ୍ଷମତା ହସ୍ତାନ୍ତର ନ କଲେ କିମ୍ବା ଦାୟିତ୍ୱ ନିର୍ବାହ କରିବାକୁ ବିଫଳ ହେଲେ ତାଙ୍କୁ ପଦରୁ ହଟା ଯାଇପାରିବ ।

୧୯୬୩ରେ ତତ୍କାଳୀନ ରାଷ୍ଟ୍ରପତି ଜନ୍ ଏଫ୍. କେନେଡିଙ୍କ ହତ୍ୟା ପରେ ୧୯୬୭ ମସିହାରେ ସମ୍ବିଧାନରେ ଏହି ୨୫ତମ ସଂଶୋଧନ କରାଯାଇଥିଲା । ଏହି ସଂଶୋଧନ ହିଁ ପରବର୍ତ୍ତୀ ରାଷ୍ଟ୍ରପତିମାନଙ୍କ ଲାଗି ମହାଭିଯୋଗର ବାଟ ଫିଟାଇଛି ।

ଏହା ବି ପଢ଼ନ୍ତୁ | ନବରଙ୍ଗପୁର: ବିବାହର ଦିନ ପରେ ନବ ଦମ୍ପତି ଆତ୍ମହତ୍ୟା କଲେ; ଝୁଲନ୍ତା ମୃତ ଦେହ ଉଦ୍ଧାର

ଆମେରିକାର ଇତିହାସରେ ଏହା ପୂର୍ବରୁ ପାଞ୍ଚ ଜଣ ରାଷ୍ଟ୍ରପତିଙ୍କ ବିରୋଧରେ ଆସିଛି ମହାଭିଯୋଗ । ୧୮୬୦ରେ  ଜେମସ୍‌ ବୁକାନାନଙ୍କ ବିରୋଧରେ ଆସିଥିଲା ପ୍ରଥମ ମହାଭିଯୋଗ । ମାତ୍ର ତଦନ୍ତ କମିଟି ନିକଟରେ ତାହା ପ୍ରମାଣିତ ହୋଇପାରି ନ ଥିଲା । ୧୮୬୮ରେ  ଆଣ୍ଡ୍ର୍ୟୁ ଜନସନ୍‌ଙ୍କ ବିରୋଧରେ ଆସିଥିବା ମହାଭିଯୋଗ ପ୍ରସ୍ତାବ ଆବଶ୍ୟକ ଭୋଟ୍‌ ନ ମିଳିବାରୁ କାଟ୍ ଖାଇଥିଲା । ୧୯୭୩ରେ ରିଚାର୍ଡ଼ ନିକ୍ସନ ମହାଭିଯୋଗର ସାମନା କରିବା ପୂର୍ବରୁ ପଦ ଛାଡ଼ି ଦେଇଥିଲେ । ୧୯୯୮ ତତ୍କାଳୀନ ରାଷ୍ଟ୍ରପତି ବିଲ୍‌ କ୍ଲିଣ୍ଟନଙ୍କ ବିରୋଧରେ ମଧ୍ୟ ମହାଭିଯୋଗ ଆସିଥିଲା । ହେଲେ ଆବଶ୍ୟକ ଭୋଟ୍‌ ନ ମିଳିବାରୁ ଏହା କାଟ ଖାଇଥିଲା । ଶେଷଥର ଡିସେମ୍ବର ୨୦୧୯ରେ ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆସିଥିଲା, ଯାହା ସିନେଟରେ କାଟ ଖାଇଥିଲା ।



ଟ୍ରମ୍ପ ହେଉଛନ୍ତି ପ୍ରଥମ ରାଷ୍ଟ୍ରପତି ଯାହାଙ୍କ ବିରୋଧରେ ନିଜ କାର୍ଯ୍ୟକାଳରେ ଦୁଇ ଦୁଇ ଥର ମହାଭିଯୋଗ ପ୍ରସ୍ତାବ ଆସିବାକୁ ଯାଉଛି । ଯଦି ଏହା ଗୃହୀତ ହୁଏ କିମ୍ବା ୨୫ତମ ସମ୍ବିଧାନ ସଂଶୋଧନ ବଳରେ ତାଙ୍କୁ ପଦଚ୍ୟୁତ କରାଯାଏ ତେବେ ଏହା ହେବ ଆମେରିକା ଇତିହାସର ପ୍ରଥମ ଘଟଣା । ଆଜି ପର୍ଯ୍ୟନ୍ତ ଆମେରିକାର କୌଣସି ରାଷ୍ଟ୍ରପତି ପଦଚ୍ୟୁତ ହୋଇ ନାହାନ୍ତି ।
Published by: Anand Shankar Thankur Das
First published: January 11, 2021, 11:56 PM IST