News 18 Odia Digital
ନୂଆଦିଲ୍ଲୀ: ବିବାହ (marriage) ପାଇଁ ନିମନ୍ତ୍ରଣ କାର୍ଡରେ (invitation card) କେବେ କେବେ ଲେଖାଥାଏ ‘ମାମୁଙ୍କ ବାହାଘଲକୁ ଜଲୁଲ ଆଥିବେ’ । କୁନି ପିଲାଟିଏ ଖନେଇ ଖନେଇ ଯେମିତି କଥାହୁଏ, ଠିକ୍ ସେମିତି ଲେଖାଯାଇଥାଏ କାର୍ଡରେ । ଏହା ଏବେକାର କଥା ନୁହେଁ, ୯୦ ଦଶକର ପିଲାମାନଙ୍କର । ବର୍ତ୍ତମାନ ଇଣ୍ଟରନେଟ୍ର ଯୁଗ । ବହି ସହିତ ଆଉ ପିଲାଙ୍କର କିଛି ସମ୍ପର୍କ ନାହିଁ । ତେଣୁ ବିବାହ କାର୍ଡରେ ମଧ୍ୟ ପରିବର୍ତ୍ତନ ଆରମ୍ଭ ହୋଇଛି । ଆଜିକାଲି ନୋଏଡାରେ ଛପାଯାଉଥିବା ଏଭଳି କିଛି ବିବାହ କାର୍ଡ ଏବେ ଚର୍ଚ୍ଚାର ବିଷୟ ହୋଇଛି । ଯଦି ଆପଣ ଗାଁର କାହାରି ବାହାଘରକୁ ଯିବାକୁ ଚାହାଁନ୍ତି, ତାହେଲେ ଆପଣଙ୍କୁ ପ୍ରଥମେ ପ୍ରତିଜ୍ଞା କରିବାକୁ ପଡ଼ିବ ।
ଗ୍ରେଟର ନୋଏଡାରେ ରହୁଥିବା ଚୌଧୁରୀ ପ୍ରବୀଣ ଭାରତୀଙ୍କ ସାନଭାଇଙ୍କ ବାହାଘର ଫେବ୍ରୁଆରି ୨୬ରେ । ବିବାହକୁ ନିମନ୍ତ୍ରଣ କରିବା ପାଇଁ କାର୍ଡ ଛପାଇଛନ୍ତି । ପରିଚିତ ଲୋକଙ୍କୁ ନିମନ୍ତ୍ରଣ କରୁଛନ୍ତି । ହେଲେ ଏଥିରେ ଏକ ସର୍ତ୍ତ ରଖିଛନ୍ତି । ବାହାଘରକୁ ଆସନ୍ତୁ, ହେଲେ ନିଜ ଗାଁରେ ଏକ ଲାଇବ୍ରେରୀ ନିର୍ମାଣ କରିବାର ପ୍ରତିଶ୍ରୁତି ଦିଅନ୍ତୁ ବୋଲି ଏଥିରେ ଉଲ୍ଲେଖ ରହିଛି । କାହିଁକି ଏଭଳି ସର୍ତ୍ତ । ଏ ସଂପର୍କରେ ନ୍ୟୁଜ୍ 18 ସହ କଥାବାର୍ତ୍ତା ବେଳେ ଚୌଧୁରୀ ପ୍ରବୀଣ ଭାରତୀ କହିଛନ୍ତି ଯେ, ତାଙ୍କ ସାନ ଭାଇ ଜିତେନ୍ଦ୍ର ଫେବ୍ରୁଆରି ୨୨ରେ ବିବାହ କଲେ । ଆଉ ଜଣେ ଭାଇ ତିଲକ ଫେବ୍ରୁଆରି ୨୬ରେ ବାହା ହେବେ । ଆଜିର ସମୟରେ, ଲୋକେ ଇଣ୍ଟରନେଟ୍ ଅଧିକ ବ୍ୟବହାର କରନ୍ତି । ବହିଠାରୁ ଦୂରେଇ ଯାଉଛନ୍ତି । ବିଶେଷ କରି ପିଲାମାନଙ୍କର ଜୀବନ ଓ ପୁସ୍ତକ ମଧ୍ୟରେ ସମ୍ପର୍କ ଆଉ ଆଗ ଭଳି ନାହିଁ । ଆଜିକାଲି ବିଭିନ୍ନ ସ୍ଥାନରେ ଯେମିତି ମନ୍ଦିର ପ୍ରତିଷ୍ଠା କରାଯାଉଛି, ଠିକ୍ ସେହିଭଳି ଲାଇବ୍ରେରୀ ଖୋଲିବା ଆବଶ୍ୟକ । ଏହାଦ୍ବାରା ଦେଶ ଆଗକୁ ବଢ଼ିପାରିବ । ତେଣୁ ସେ ଯାହା ପାଖକୁ କାର୍ଡ ପଠାଉଛନ୍ତି, ତାଙ୍କୁ ଅନୁରୋଧ କରୁଛନ୍ତି ନିଜ ଘର ଆଖପାଖରେ ଲାଇବ୍ରେରୀଟିଏ ପ୍ରତିଷ୍ଠା କରନ୍ତୁ । ଯାହାଦ୍ବାରା ପିଲାମାନେ ସେମାନଙ୍କର ଭବିଷ୍ୟତ ଗଢ଼ିପାରିବେ।ପ୍ରବୀଣ ଭାରତୀ ମୂଳତଃ ବୁଲନ୍ଦସହରର। ତାଙ୍କ ଭାଇ ସରକାରୀ ଚାକିରିଆ । ସେ ଜଣେ ପୋଷ୍ଟ ଗ୍ରାଜୁଏଟ୍ । ଏବେ ବି ପଢ଼ା ଜାରି ରଖିଛନ୍ତି ।
ଭାରତରେ ପ୍ରତ୍ୟେକ ଗାଁରେ ହେଉ ଲାଇବ୍ରେରୀଆଉ ଜଣେ ବ୍ୟକ୍ତି ହେଉଛନ୍ତି ଦେବେନ୍ଦ୍ର ସିଂହ । ସେ ମଧ୍ୟ ବାହାଘର କାର୍ଡ ଛାପିଛନ୍ତି । ସେଥିରେ ବି ଲେଖାଅଛି ପ୍ରତ୍ୟେକ ଗାଁରେ ଲାଇବ୍ରେରୀଟିଏ ରହିବା ଉଚିତ୍। ଯାହାଫଳରେ ସେଠାରେ ଥିବା ପିଲାମାନେ ଅଧ୍ୟୟନ କରି ଆଗକୁ ବଢ଼ିପାରିବେ । ଚଳିତବର୍ଷଠାରୁ ଆମେ ଆମ ଅଞ୍ଚଳରୁ ଏହା ଆରମ୍ଭ କରିଛୁ । ଯିଏ ବିବାହ କରିବ, ସେ ନିଶ୍ଚିତ ଭାବେ ତାଙ୍କ କାର୍ଡରେ ଲେଖିବେ ଲାଇବ୍ରେରୀଟିଏ ପ୍ରତିଷ୍ଠା କରିବା ପାଇଁ । ତାଙ୍କ ସହ ସଂପର୍କରେ ଥିବା ଲୋକେ, ସେ ବିହାରରେ ହୁଅନ୍ତୁ ଅବା ରାଜସ୍ଥାନ, ସବୁଠି ଏହି ଟ୍ରେଣ୍ଡ ଆରମ୍ଭ ହେବ ବୋଲି ସେ ଆଶା ରଖିଛନ୍ତି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।