- News18 Odia
- Last Updated :
- Other, India
News18 Odia Digital
International Labour Day: ଆଜି ବିଶ୍ୱ ଶ୍ରମିକ ଦିବସ । ଶ୍ରମିକଙ୍କ ସଂଘର୍ଷମୟ ଇତିହାସର ସ୍ମରଣୀୟ ଦିନ । ୧୯୮୬ ମସିହାରୁ ମେ’ ପହିଲାକୁ ବିଶ୍ୱ ଶ୍ରମିକ ଦିବସ ରୂପେ ପାଳନ କରାଯାଉଛି । ଏକ ସମୟ ଥିଲା ବିଶ୍ୱରେ ପୁଞ୍ଜିପତିମାନେ ଶ୍ରମିକମାନଙ୍କୁ ଶୋଷଣ କରୁଥିଲେ । ଏହାକୁ ବିରୋଧ କରି ଆମେରିକାର ଶ୍ରମିକ ସଂଗଠନ ପ୍ରଥମେ ରାସ୍ତାକୁ ଓହ୍ଲାଇଥିଲା । ପରେ ଏହା ବିଶ୍ୱର ସମସ୍ତ ଶ୍ରମିକଙ୍କୁ ପ୍ରଭାବିତ କରିଥିଲା । ଆମେରିକାର ବାଲ୍ଲିମୋର ସହରରେ ୧୮୬୬ ମସିହା ଅଗଷ୍ଟ ୨୦ ତାରିଖରେ ୬୦ଟି ୟୁନିୟନର ପ୍ରତିନିଧିମାନେ ଏକତ୍ରିତ ହୋଇ ୮ ଘଣ୍ଟା ଶ୍ରମ ଦିବସ ପାଇଁ ଆଇନ ପ୍ରଣୟନ ପାଇଁ ପ୍ରସ୍ତାବ ଗ୍ରହଣ କରିଥଲେ । ୮ ଘଣ୍ଟା କାର୍ଯ୍ୟ ସମୟ ଦାବିରୁ ଜନ୍ମ ନେଇଥିଲା ବିଶ୍ୱ ଶ୍ରମିକ ଦିବସ ।
ଭାରତରେ ୧୯୨୩ ମସିହା ଠାରୁ ଏହି ଦିବସ ପାଳନ କରାଯାଉଛି । ଏହି ଦିନକୁ ଭାରତରେ ପ୍ରଥମେ ମାଡ୍ରାସ ଦିବସ ଭାବେ ମାନି ନିଆଯାଇଥିଲା । ଭାରତରେ ଶ୍ରମିକ ମାନଙ୍କ ଶ୍ରମ ନିର୍ଘଣ୍ଟ ୮ ଘଣ୍ଟା କରିବାକୁ ପ୍ରଥମେ ଦାବି ଜଣାଇଥିଲା ଭାରତୀ ମଜଦୁର କିଷାନ ପାର୍ଟି । ଏହାର ନେତୃତ୍ୱ ନେଇଥିଲେ କମରେଡ଼ ସିଙ୍ଗରବେଲୁ ଚେଟିଆର । ଏନେଇ ମାଡ୍ରାସ ହାଇକୋର୍ଟ ଆଗରେ ଶ୍ରମିକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଫଳରେ ହାଇକୋର୍ଟ ଏକ ସଂକଳ୍ପ ପାରିତ କରି ୮ ଘଣ୍ଟା ଶ୍ରମ ନିର୍ଘଣ୍ଟକୁ ସୀକୃତି ଦେଇଥିଲେ । ସେହିଦିନ ଠାରୁ ଭାରତରେ ବି ଶ୍ରମିକ ଦିବସକୁ ସରକାର ଛୁଟି ଦିନ ଭାବେ ଘୋଷଣା କରିଥିଲେ ।
ହେଲେ ଆଜି ବି ଏ ଆଇନର ଖୋଲା ଖୋଲି ଉଲଙ୍ଘନ ହେଉଛି । ସରକାରୀ ଚାକିରୀ ବାହାରେ ଶ୍ରମକୁ ବିଭିନ୍ନ ଉପାୟରେ ଲୁଣ୍ଠନ କରାଯାଉଛି । ଏନେଇ ବିଭିନ୍ନ ଦେଶର ସରକାରମାନେ ଭିନ୍ନ ଭିନ୍ନ ଆଇନ ଆଣିଥିଲେ ବାସ୍ତବ ପରିସ୍ଥିତି ଏଭଳି ସୃଷ୍ଟି କରାଯାଇଛି ଯେ ଶ୍ରମର ଲୁଣ୍ଠନ ନେଇ ପାଟି ଖୋଲିବାକୁ ଶ୍ରମିକ ପାଖରେ ଜୁ ନାହିଁ । କୌଣସି ସମାଜ, ଦେଶ ଓ ଶିଳ୍ପର ବିକାଶ ପାଇଁ ଶ୍ରମିକର ଭୂମିକା ଗୁରୁତ୍ୱପୂର୍ଣ୍ଣ । ତେଣୁ ଦେଶ ପ୍ରଥମେ ଶ୍ରମିକର ସର୍ବନିମ୍ନ ଆବଶ୍ୟକତା, ସୁରକ୍ଷା ଓ ପରିସ୍ଥିତି ଉପରେ ନଜର ନଦେଲେ ଦେଶର ଯେଉଁ ବିକାଶ ହେବ ସେହି ବିକାଶର ଲାଭ ହାତଗଣତି କେତେଜଣଙ୍କ ପାଖରେ ଅଟକି ଯିବ ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।