News 18 Odia Digital
ନୂଆଦିଲ୍ଲୀ: ବର୍ତ୍ତମାନ ମୁସଲମାନଙ୍କର ବଡ଼ ପର୍ବ ରମଜାନ ମାସ ଚାଲିଛି । ଏହି ମାସକୁ ଅତ୍ୟନ୍ତ ପବିତ୍ର ମାସ ବୋଲି ମୁସଲମାନ (Muslim) ଧର୍ମର ଲୋକେ ମାନିଥାନ୍ତି। ପବିତ୍ର ରମଜାନ ମାସରେ ମୁସଲମାନମାନେ ସାଧାରଣତଃ ରୋଜା ରଖିଥାନ୍ତି । ଖାଦ୍ୟ ପେୟ ଗ୍ରହଣ କରିବାର ସ୍ୱତନ୍ତ୍ର ନିୟମ ମାନିଥାନ୍ତି । ଏଥିସହ ନମାଜ ପାଠ ମଧ୍ୟ କରିଥାନ୍ତି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଜଣେ ହିନ୍ଦୁ (hindu) ବ୍ୟକ୍ତି ମଧ୍ୟ ମୁସଲମାନଙ୍କ ପରି ରୋଜା (rojaa) ରଖିଛନ୍ତି । ଯାହାକୁ ନେଇ ସବୁଠି ଚର୍ଚ୍ଚା ଆଲୋଚନା ହେଉଛି ।
ବିହାରର ଗୟା ଅଞ୍ଚଳରେ ଏକ ନିଆରା ଉଦାହରଣ ତଥା ଚିତ୍ର ଦେଖିବାକୁ ମିଳିଛି। ଜଣେ ହିନ୍ଦୁ ପରିବାରର ବ୍ୟକ୍ତି ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ କୌଣସି ଧର୍ମର ବନ୍ଧନରେ ବାନ୍ଧି ହୋଇନାହାନ୍ତି। ପ୍ରାୟ ୮ ବର୍ଷ ହେବ ଗୟା ଅଞ୍ଚଳର ଅମରଦୀପ ମୁସଲମାନ ଭାଈମାନଙ୍କ ସହ ମିଶି ରୋଜା ରଖୁଛନ୍ତି । ଗ୍ରୀଷ୍ମ ଋତୁରେ ଉପବାସ ରହିବା କଷ୍ଟକର ହୋଇଥିଲେ ମଧ୍ୟ ଅମରଦୀପ ନିଷ୍ଠାର ସହ ରୋଜା ପାଳନ କରନ୍ତି । ତାଙ୍କର ଏପରି ବିଶ୍ୱାସ (believe) ସ୍ଥାନୀୟ ଲୋକଙ୍କୁ ଏକ ଭାଇଚାରାର ବାର୍ତ୍ତା ଦେଉଛି । ରମଜାନ ଏବଂ ରୋଜା ଉପରେ ଅମରଦୀପଙ୍କର ଏତେ ବିଶ୍ୱାସ ଅଛି ଯେ, ସୂର୍ଯ୍ୟ ଉଦୟ ପୂର୍ବରୁ ଏବଂ ସୂର୍ଯ୍ୟୋଦୟ ପରେ ହେଉଥିବା ନୀତିନିୟମକୁ ମଧ୍ୟ ସେ ମୁସଲମାନଙ୍କ ପରି ପାଳନ କରନ୍ତି ।
ସେହ୍ରି ଠାରୁ ଇଫତାର ପର୍ଯ୍ୟନ୍ତ ନୀତି ନିୟମକୁ ମାନି ରୋଜା ରଖନ୍ତି । ସନ୍ଧ୍ୟାରେ ସେ ନିଜର ମୁସଲମାନ ବନ୍ଧୁଙ୍କ ସହ ପାରମ୍ପାରିକ ଉପାୟରେ ଉପବାସ ଭାଙ୍ଗନ୍ତି । ଉପବାସ ସମୟରେ ଯେଉଁସବୁ ସତର୍କତା ତଥା ନିୟମ ମାନିବା କଥା ସେ ସମ୍ପର୍କରେ ସମ୍ପୂର୍ଣ୍ଣ ଅବଗତ ଅଛନ୍ତି ଅମରଦୀପ । ଅମରଦୀପଙ୍କ ଏପରି କାମକୁ କୌଣସି ହିନ୍ଦୁ ତଥା ସାହି ପଡୋଶୀ ବିରୋଧ କରନ୍ତି ନାହିଁ । ବରଂ ସମସ୍ତେ ଖୁସି ହୁଅନ୍ତି । ଏଥିରେ ସମସ୍ତେ ସେମାନଙ୍କ ସହିତ ସମ୍ପୂର୍ଣ୍ଣ ସହଯୋଗ କରନ୍ତି । ଲୋକମାନେ ସାମ୍ପ୍ରଦାୟିକ ଏକତାର ଉଦାହରଣ ଭାବରେ ଅମରଦୀପଙ୍କୁ ବିବେଚନା କରନ୍ତି । ସେମାନେ କହିଛନ୍ତି ଯେ ଅମରଦୀପଙ୍କ ପରି ବ୍ୟକ୍ତିଙ୍କ ପାଇଁ ଦେଶରେ ଶାନ୍ତି ବଜାୟ ରହିଛି ।
ଅମରଦୀପ କହିଛନ୍ତି ଯେ, ଆଠ ବର୍ଷ ପୂର୍ବେ ତାଙ୍କ ଜୀବନରେ କିଛି ଅସୁବିଧା ଆସିଥିଲା । ତାଙ୍କର କିଛି ବନ୍ଧୁ ଏପରି ଉପବାସ କରିବା ପାଇଁ କହିଥିଲେ । ସେହି ସମୟରେ ରମଜାନ ମାସ ଆରମ୍ଭ ହେବାକୁ ଥିଲା । ତେଣୁ ସେ ଆଲ୍ଲାଙ୍କୁ ସନ୍ତୁଷ୍ଟ କରିବାକୁ ଓ ନିଜର ଅସୁବିଧାକୁ ଦୂର କରିବାକୁ ରୋଜା ରଖିବା ପାଇଁ ଏପରି ନିଷ୍ପତ୍ତି ନେଲେ । ରୋଜା ରଖିବା ପରେ ଅମରଦୀପ କହିଛନ୍ତି ଯେ, ଆଲ୍ଲାଙ୍କ କୃପାରୁ ମୁଁ ବର୍ତ୍ତମାନ ଖୁସି ଅଛି । ମୋର ସମସ୍ୟା ଦୂର ହୋଇଯାଇଛି । ଏଥିସହ ମୋର ଉନ୍ନତି ହେଉଛି । ଏହାସହ ଅମରଦୀପ କହିଛନ୍ତି, ଯଦି ମୁସଲମାନ ଧର୍ମର ବ୍ୟକ୍ତି ଛତ୍ର ପର୍ବ ପାଳନ କରିପାରୁପଛନ୍ତି ତେବେ ମୁଁ କାହିଁକି ରୋଜା ଉପବାସ କରିପାରିବି ନାହିଁ ? ଆଉ ଏକ କଥା ହେଉଛି ଯେ, କେବଳ ରୋଜା ନୁହେଁ ଏହାପୂର୍ବରୁ ଅମରଦୀପ ନବରାତ୍ରୀ ସମୟରେ ନଅ ଦିନ ଉପବାସ କରି ମାଆ ଦୁର୍ଗାଙ୍କ ପୂଜାର୍ଚ୍ଚନା ଓ ଆରଧନା କରିଥିଲେ। ସେ ଭାବନ୍ତି ସବୁ ଧର୍ମର ଦେବତା ସମାନ ।

ଏହି ଖବର ପଢ଼ନ୍ତୁ -
ପୁରୀ ବେଦାନ୍ତ ବିଶ୍ବବିଦ୍ୟାଳୟ ପ୍ରସଙ୍ଗ: ସମ୍ୱିତଙ୍କ ଅଭିଯୋଗର ଜବାବ ରଖିଲା BJDPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।