News 18 Odia Digital
ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନରେ କେମିତି ରହିବ ଦେଶର ରାଜନୈତିକ (political) ଚିତ୍ର ? ବିଜେପି ବିରୋଧରେ କେମିତି ଏକାଠି ହେବେ ବିରୋଧୀ (opposition) ? ମୋଦିଙ୍କ ବିରୋଧରେ କଣ ମୁଦ୍ଦା କରିବେ ସେମାନେ ? ମୋଦିଙ୍କ ବିରୋଧରେ କାହାକୁ କରିବେ PM ଚେହେରା ? ବିଜେପି ନେତୃତ୍ବାଧୀନ ମେଣ୍ଟକୁ ବିରୋଧୀ, ମେଣ୍ଟ ଗଠନ କରି ଟକ୍କର ଦେବେ ନା ଉଠିବ ଭିନ୍ନ ଏକ ସାମ୍ମୁଖ୍ୟର କଥା ? ବିନା କଂଗ୍ରେସରେ ବଳିଷ୍ଠ ବିଜେପିକୁ କେମିତି ଟକ୍କର ଦେବେ ବିରୋଧୀ ? କଂଗ୍ରେସକୁ ଅସ୍ପୃଶ୍ୟ କରି ରଖିଲେ କାହାକୁ ମିଳିବ ଫାଇଦା ? ଅହଙ୍କାର ଛାଡ଼ି ଡାଉନ୍ ଟୁ ୟାର୍ଥ ହେବ କି କଂଗ୍ରେସ (congress) ? ନା ବିରୋଧୀଙ୍କ ହାଉ ହାଉ ଭିତରେ ଆହୁରି ଜୋର୍ରେ ବହିବ ମୋଦି-ଶାହଙ୍କ ବିଜେପି ହାୱା !
ଏ ନୁହେଁ ନୂଆ କାହାଣୀ... ହେଲେ କାହାଣୀ ଲାଗୁଛି ନୂଆ । କାହାଣୀ ଏଇଥି ପାଇଁ ଲାଗୁଛି ନୂଆ, କାରଣ ଭିନ୍ନତା ଭିତରେ ଏକତା ସୃଷ୍ଟି କରୁଛି ସମ୍ଭବ ଓ ଅସମ୍ଭବର ଭ୍ରମ । ସମ୍ଭବ-ଅସମ୍ଭବର ଭ୍ରମ ଏଇଥି ପାଇଁ ସୃଷ୍ଟି ହେଉଛି, କାରଣ ଅତୀତର ଟ୍ରାକ ରେକର୍ଡ ଦେଖିଲେ ଲାଗୁଛି ସେମିତି କିଛି । କ’ଣ ସତରେ ୨୦୨୪ରେ କେନ୍ଦ୍ରରୁ ଗାଦିଚ୍ୟୁତ ହେବେ ନରେନ୍ଦ୍ର ମୋଦି ! ସମ୍ଭବ ହୋଇପାରିବ କି ବିରୋଧୀଙ୍କ ବିଜେପି ସଫାୟା ଅଭିଯାନ ! ଭିନ୍ନତାର ଶୂନ୍ୟସ୍ଥାନ ପୂରଣ କରି ବିଜେପି ବିରୋଧରେ ବିରୋଧୀ ହୋଇପାରିବେ କି ଏକାଠି ! ନା ବିରୋଧୀଙ୍କ ହାଉ ହାଉ ଭିତରେ ୨୦୨୪ ପାଇଁ ଦେଶରେ ପୁଣି ଜୋରଦାର ହେବ ବିଜେପି ହାୱା ! ମୋଦି-ଶାହଙ୍କ ବଳିଷ୍ଠ ବିଜେପିକୁ କେମିତି ଟକ୍କର ଦେବେ ବିରୋଧୀ ! କଣ ହୋଇପାରେ ବିରୋଧୀଙ୍କ ପାଇଁ ବିକଳ୍ପ ! ମେଣ୍ଟ ନା ସାମ୍ମୁଖ୍ୟ... !
ସବୁ ବିରୋଧୀଙ୍କ ମୁହଁରେ ଗୋଟିଏ କଥା, କାଳେ ଦେଶରେ କେନ୍ଦ୍ରୀୟ ସଂସ୍ଥା ଗୁଡ଼ିକର ଦୁରୁପଯୋଗ ହେଉଛି ଏବଂ ଲାଗୁହୋଇଛି ଅଘୋଷିତ ଜରୁରିକାଳୀନ ସ୍ଥିତି । ଯେଉଁଥି ପାଇଁ ୨୦୨୪ରେ ବିଜେପି, ବିଶେଷକରି ନରେନ୍ଦ୍ର ମୋଦିଙ୍କୁ କ୍ଷମତାରୁ ହଟାଇବାକୁ ସେମାନେ ଦେଉଛନ୍ତି ହୁଂକାର । ଠିକ୍ ଏମିତି ଏକ ପରିସ୍ଥିତି ସୃଷ୍ଟି ହୋଇଥିଲା, ୧୯୭୫ରେ । ଜରୁରିକାଳୀନ ସ୍ଥିତିକୁ ବିରୋଧ କରି, ଇନ୍ଦିରା ଗାନ୍ଧିଙ୍କ ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇଥିଲେ ତମାମ ବିରୋଧୀ । ଭାରତୀୟ ରାଜନୀତିର ପିକ୍ଚରରେ ସେତେବେଳେ ବିଜେପି ନଥିଲା । କଂଗ୍ରେସ ହିଁ ଥିଲା ସବୁଠାରୁ ବଳିଷ୍ଠ । ତଥାପି ୧୯୭୭ରେ ତାହା ସମ୍ଭବ କରି ଦେଖାଇଥିଲେ ବିରୋଧୀ । ରାୟବରେଲୀରେ ଇନ୍ଦିରା ଗାନ୍ଧିଙ୍କୁ ଜୟପ୍ରକାଶ ନାରାୟଣ ହରାଇଥିଲେ, ଆଉ ଜନତା ପାର୍ଟିକୁ ମିଳିଥିଲା ସ୍ବିପିଂ ଭିକ୍ଟ୍ରି । ମୋରାରଜୀ ଦେଶାଇ ହୋଇଥିଲେ ଦେଶର ପ୍ରଥମ ଅଣକଂଗ୍ରେସ ପ୍ରଧାନମନ୍ତ୍ରୀ । ଜରୁରିକାଳୀନ ସ୍ଥିତି ହଟାଇବା ସହ ତାର ତଦନ୍ତ ନିର୍ଦ୍ଦେଶ ଦେଇଥିଲା ଜନତା ପାର୍ଟି ସରକାର । ହେଲେ ୨ ବର୍ଷ ଗଲାନି ମୋରାରଜୀ ଦେଶାଇ ଇସ୍ତଫା ଦେବାକୁ ବାଧ୍ୟ ହେଲେ, ପୁଣି ଚୌଧୁରୀ ଚରଣ ସିଂହ ସଂଖ୍ୟା ଗରିଷ୍ଠତା ଦେଖାଇ ପାରିଲେନି । ଫଳରେ ୧୯୮୦ରେ ହେଲା ସାଧାରଣ ନିର୍ବାଚନ । ଯେଉଁଥିରେ ଇନ୍ଦିରାଙ୍କ ନେତୃତ୍ବରେ କଂଗ୍ରେସ କଲା ଜବରଦସ୍ତ କମ୍ ବ୍ୟାକ୍ । ଦଳକୁ ମିଳିଲା ୩୫୩ ଆସନ । ଇନ୍ଦିରାଙ୍କ ବିରୋଧରେ ସେତେବେଳେ ବିରୋଧୀ ଯେମିତି ଆଭିମୁଖ୍ୟ ଆପଣାଇଥିଲେ, ଏବେ ମୋଦିଙ୍କ ବିରୋଧରେ ଠିକ ସେମିତି କରିବାକୁ ଉଦ୍ୟମ କରୁଛନ୍ତି । ଜରୁରିକାଳୀନ ସ୍ଥିତି ହଟିବାର ୨ ବର୍ଷ ଯାଇନି, ଜନମତ କିନ୍ତୁ ଓଲଟିଗଲା । ସେତେବେଳେ ଇନ୍ଦିରାଙ୍କ ନେତୃତ୍ବରେ କଂଗ୍ରେସକୁ ଯେତିକି ଆସନ ମିଳିଥିଲା, ଏବେ ମୋଦିଙ୍କ ନେତୃତ୍ବରେ ଏନଡିଏ ପାଖରେ ଠିକ୍ ସେତିକି ଆସନ ରହିଛି । ଯାହା ୨୦୨୪ ପୂର୍ବରୁ ୨୦୨୩ରେ ମନେ ପକାଇ ଦେଇଛି ୧୯୭୭ର ରାଜନୈତିକ ଚିତ୍ର ।
କହିବାକୁ ଗଲେ, ଇନ୍ଦିରା ଗାନ୍ଧିଙ୍କ ଜରୁରିକାଳୀନ ପରିସ୍ଥିତି ଲାଗୁକୁ ବିରୋଧ କରି ତମାମ୍ ବିରୋଧୀ କଂଗ୍ରେସ ବିରୋଧରେ ଗଠନ କରିଥିଲେ ସାମ୍ମୁଖ୍ୟ । ଠିକ୍ ଏମିତି ଆଉ ଏକ ସାମ୍ମୁଖ୍ୟ ଭାତୀୟ ରାଜନୀତିରେ ୧୯୮୯ରେ ଦେଖିବାକୁ ମିଳିଥିଲା । ଜନତା ପାର୍ଟି ନିଶ୍ଚିହ୍ନ ହୋଇ ୧୯୮୮ରେ ଜନତା ଦଳ ହେଲା । ଆଉ ଜନତା ଦଳ ନେତୃତ୍ବରେ ଗଠନ ହେଲା ନାସନାଲ୍ ଫ୍ରଣ୍ଟ ବା ଜାତୀୟ ସାମ୍ମୁଖ୍ୟ । ହେଲେ ୧୯୮୯ରୁ ୧୯୯୦ ମଧ୍ୟରେ ଦେଶ ଦେଖିଲା ୨ ଜଣ ପ୍ରଧାନମନ୍ତ୍ରୀ । ପ୍ରଥମ ପର୍ଯ୍ୟାୟରେ ଭିପି ସିଂହ ଏବଂ ତାଙ୍କ ପରେ ଚନ୍ଦ୍ରଶେଖର ହେଲେ ପ୍ରଧାନମନ୍ତ୍ରୀ । ଜନତା ଦଳ ନେତୃତ୍ବରେ ଜାତୀୟ ସାମ୍ମୁଖ୍ୟରେ ସାମିଲ ଥିଲେ ଇଣ୍ଡିଆନ୍ କଂଗ୍ରେସ ସୋସିଆଲିଷ୍ଟ, ଟିଡିପି, ଡିଏମକେ, ଆସାମ ଗଣପରିଷଦ ଆଦି ଦଳ । ୧୯୯୧ରେ ଜାତୀୟ ସାମ୍ମୁଖ୍ୟରେ ସାମିଲ ହୋଇଥିଲା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା । ୧୯୯୬ରେ ଟିଡିପି ବିଭାଜନ ହୋଇଯିବା ପରେ ୧୯୯୬ ସାଧାରଣ ନିର୍ବାଚନ ବେଳକୁ ଭାଙ୍ଗି ଯାଇଥିଲା ଜାତୀୟ ସାମ୍ମୁଖ୍ୟ ।
୧୯୯୬ ନିର୍ବାଚନ ରେଜଲ୍ଟରେ ବିଜେପି ଟଲ୍ ଫିଗର୍ ଅଟଳ ବିହାରୀ ବାଜପେୟୀଙ୍କ ୧୩ ଦିନିଆ ସରକାର ଭାଙ୍ଗିଯିବା ପରେ କଂଗ୍ରେସ ସମେତ ୧୩ଟି ରାଜନୈତିକ ଦଳ ମିଶି ଗଠନ କଲେ ୟୁନାଇଟେଡ୍ ଫ୍ରଣ୍ଟ ବା ମିଳିତ ସାମ୍ମୁଖ୍ୟ । ଆଉ ଏଠି ମଧ୍ୟ ୧୯୯୬ରୁ ୧୯୯୮ ମଧ୍ୟରେ ଦେଶ ଦେଖିଲା ୨ ଜଣ ପ୍ରଧାନମନ୍ତ୍ରୀ । ପ୍ରଥମ କିସ୍ତିରେ ଏଚ୍. ଡି. ଦେବେ ଗୌଡ଼ା, ଆଉ ତାଙ୍କ ପରେ ଆଇକେ ଗୁଜରାଲ । ୧୯୯୭ରେ ମିଳିତ ସାମ୍ମୁଖ୍ୟରୁ ଓହରିଗଲା କଂଗ୍ରେସ । ଯେଉଁଥିପାଇଁ ନିର୍ଦ୍ଧାରିତ ସମୟର ୩ ବର୍ଷ ପୂର୍ବରୁ ୧୯୯୮ରେ ହେଲା ପୁଣି ସାଧାରଣ ନିର୍ବାଚନ । ବିଜେପିକୁ ଏକକ ସଂଖ୍ୟା ଗରିଷ୍ଠତା ମିଳିଲା କିନ୍ତୁ ମ୍ୟାଜିକ୍ ନମ୍ବର ଛୁଇଁ ପାରିଲାନି । ଯେଉଁଥି ପାଇଁ ସମଭାବାପନ୍ନ ଦଳଙ୍କୁ ନେଇ ଅଟଳ ବିହାରୀ ବାଜପେୟୀ ଗଠନ କଲେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ବା NDA । ହେଲେ ୧୩ ମାସ ଯାଇନି, ଜୟଲଳିତାଙ୍କ AIADMK, NDA ମେଣ୍ଟରୁ ଓହରିଗଲା । ଆସ୍ଥା ଭୋଟରେ ଖଣ୍ଡେ ଭୋଟ ପାଇଁ ଭାଙ୍ଗିଗଲା ବାଜପେୟୀଙ୍କ ୧୩ ମାସିଆ ସରକାର । ୧୯୯୯ରେ ଦେଶ ପୁଣି ଦେଖିଲା ନିର୍ବାଚନ । ୧୯୯୮ରେ ନିର୍ବାଚନ ପରେ NDA ମେଣ୍ଟ ଗଠନ କରିଥିବା ବିଜେପି କିନ୍ତୁ ୧୯୯୯ ନିର୍ବାଚନକୁ ମେଣ୍ଟରେ ଲଢ଼ିଥିଲା । ବର୍ଷକ ପୂର୍ବରୁ ସରକାର ଭାଙ୍ଗିଦେଇ ୨୦୦୪ରେ ନିର୍ବାଚନ କରାଇଲେ ବାଜପେୟୀ ସରକାର । କିନ୍ତୁ ବିଜେପିକୁ ଓଭରଟେକ୍ କଲା କଂଗ୍ରେସ, ହେଲେ ଏକାକୀ ସରକାର ଗଢ଼ିବା ସମ୍ଭବ ହେଲାନି । ସେହିଠାରୁ ହିଁ ବିଜେପିର NDA ଶୈଳୀରେ କଂଗ୍ରେସ କଲା ୟୁନାଇଟେଡ୍ ପ୍ରୋଗ୍ରେସିଭ୍ ଆଲାଏନ୍ସ ବା UPA ।
ଭାରତୀୟ ନିର୍ବାଚନର ରେଜଲ୍ଟକୁ ଯଦି ଦେଖିବା ତେବେ ୧୯୮୯ ଠାରୁ ହିଁ କଂଗ୍ରେସ ସହ କାଣ୍ଟେ କି ଟକ୍କର ଦେଇ ଆସୁଛି ବିଜେପି । ୧୯୯୮ରୁ ବିଜେପି, NDAର ଏବଂ ୨୦୦୪ରୁ କଂଗ୍ରେସ, ୟୁପିଏର ବଡ଼ ଭାଇ ହୋଇ ରହିଆସିଛନ୍ତି । ତେବେ ଦୁଇ ଦଳକୁ ଦୂରରେ ରଖି ୨୦୦୯ ବେଳକୁ ଉଠିଲା ତୃତୀୟ ସାମ୍ମୁଖ୍ୟର କଥା । ବାମ ନେତୃତ୍ବରେ ଏକାଠି ହେଲେ ବିଭିନ୍ନ ଅଣ-ବିଜେପି ଓ ଅଣ-କଂଗ୍ରେସ ଦଳ । କନ୍ଧମାଳ ଦଙ୍ଗାକୁ ନେଇ ପ୍ରନ୍ କଟଲେଟ୍ ସ୍ନାକ୍ସ ବୈଠକ ପରେ ବିଜେପିକୁ ଛି କରିଦେଇଛି ନବୀନ ପଟ୍ଟନାୟକଙ୍କ ବିଜେଡି । ୨୦୦୪ରୁ ଏନଡିଏ ମେଣ୍ଟରେ ଥିବା ବିଜେଡି, ୨୦୦୯ରେ ଓହରିଗଲା । ୟୁପିଏ ମେଣ୍ଟକୁ ବି ଗଲାନି । ସେହିଦିନ ଠାରୁ ସମଦୂରତା ରାଜନୀତି ଆପଣାଇଥିବା ବିଜୁ ଜନତା ଦଳ, ୨୦୦୯ରେ ତୃତୀୟ ସାମ୍ମୁଖ୍ୟରେ ବିଧିବଦ୍ଧ ଭାବେ ସାମିଲ ହୋଇ ନଥିଲେ ମଧ୍ୟ ବାହାରୁ କରିଥିଲା ସମର୍ଥନ । ଏଥିଲା ଭାରତୀୟ ରାଜନୀତିରେ ତୃତୀୟ ସାମ୍ମୁଖ୍ୟର ପ୍ରଥମ ଉଦ୍ୟମ । କିନ୍ତୁ ପ୍ରଥମରୁ ହେଲା ଫେଲ୍ ।
କଂଗ୍ରେସ ଓ ବିଜେପିକୁ ବାଦ୍ ଦେଇ ୨୦୦୭ରୁ ୨୦୦୯ ମଧ୍ୟରେ ୟୁନାଇଟେଡ୍ ନାସନାଲ୍ ପ୍ରୋଗ୍ରେସିଭ୍ ଆଲାଏନ୍ସ ବା UNPAର ପରିକଳ୍ପନା କରିଥିଲେ AIADMK ସୁପ୍ରିମୋ ଜେ. ଜୟଲଳିତା । କିନ୍ତୁ ୨୦୦୯ ନିର୍ବାଚନ ବେଳକୁ ତାହା ବାସ୍ତବ ରୂପ ନେଇପାରିଲା ନାହିଁ, ବରଂ ତୃତୀୟ ସାମ୍ମୁଖ୍ୟର ହେଲା ଅଭ୍ୟୁଦୟ । ୨୦୧୪ର ନିର୍ବାଚନ ହେଲା ମୋଦି ବନାମ ରାହୁଲ ଗାନ୍ଧି । ଅମିତ ଶାହଙ୍କ ରଣନୀତି ଏବଂ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ବିଜେପିକୁ ଦେଲା ଜବରଦସ୍ତ ବିଜୟ । ଭୋଟ ଶେୟାର ୩୧ ପ୍ରତିଶତକୁ ବୃଦ୍ଧି ପାଇବା ସହ ୨୮୨ ଆସନ ଦଖଲ କଲା ବିଜେପି । ସହଯୋଗୀଙ୍କ ସଂଖ୍ୟାକୁ ମିଶାଇଲେ ୩୩୬ ହେଲା NDA ଆସନ । ସେପଟେ କଂଗ୍ରେସ ଆସନ ସଂଖ୍ୟା ୪୪କୁ ଖସିଲା ଏବଂ ୫୯ରେ ସୀମିତ ରହିଲା UPA । ୨୦୧୪ରେ କଂଗ୍ରେସର ଭୋଟ ଶେୟାର ଥିଲା ୧୯.୫ ପ୍ରତିଶତ ।
୨୦୧୯ ନିର୍ବାଚନ କଂଗ୍ରେସ, ରାହୁଲଙ୍କ ନେତୃତ୍ବରେ ଲଢ଼ିଥିବା ବେଳେ ବିଜେପି ନେତୃତ୍ବାଧୀନ NDAକୁ ଲିଡ୍ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୦୧୯ ପାଇଁ ଫେଡେରାଲ୍ ଫ୍ରଣ୍ଟ ବା ସଂଘୀୟ ସାମ୍ମୁଖ୍ୟର ପରିକଳ୍ପନା କରିଥିଲେ ଟିଡିପି ନେତା ଏନ୍. ଚନ୍ଦ୍ରବାବୁ ନାଇଡୁ । କିନ୍ତୁ ତାହା ବାସ୍ତବ ହୋଇପାରିଲାନି । ସେପଟେ ମୋଦି ମ୍ୟାଜିକ୍ ଆଗରେ ପୁଣି ମାଟି କାମୁଡ଼ିଲା ରାହୁଲଙ୍କ କଂଗ୍ରେସ । ବିଜେପିର ଭୋଟ ଶେୟାର ୩୭.୩୬ ପ୍ରତିଶତକୁ ବୃଦ୍ଧି ପାଇଲା । ଦଳକୁ ମିଳିଲା ୩୦୩ ଆସନ । ସହଯୋଗୀଙ୍କୁ ମିଶାଇଲେ ୩୫୩ । ସେପଟେ କଂଗ୍ରେସର ଭୋଟ ଶେୟାର ୧୯.୫ ପ୍ରତିଶତ ହୋଇଥିବା ବେଳେ ଦଳକୁ ମିଳିଛି ୫୨ ଆସନ, ୟୁପିଏକୁ ୯୧ ।
ଭାରତୀୟ ରାଜନୀତିର ଟ୍ରାକ୍ ରେକର୍ଡ ଦେଖିଲେ ଲାଗୁଛି, ଫ୍ରଣ୍ଟ ପଲିଟିକ୍ସ ଅପେକ୍ଷା ଆଲାଏନ୍ସ ପଲିଟିକ୍ସ ଅନେକ ମାତ୍ରାରେ ସଫଳ ସାବ୍ୟସ୍ତ ହୋଇଛି । ଆଉ ଏହାରି ଭିତରେ ବିଜେପି ଅଧିକ ବଳିଷ୍ଠ ହୋଇଥିବା ବେଳେ ଦୂରରେ ଥାଇ ବି କଂଗ୍ରେସ କିଛି ମାତ୍ରାରେ ତାକତ ରକ୍ଷା କରିପାରିଛି । କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ମୋଦିଙ୍କ ବିଜେପିର ଛାଇ ଛୁଇଁବା ନା କଂଗ୍ରେସ ପକ୍ଷେ ସମ୍ଭବ ନା ବିନା କଂଗ୍ରେସରେ ମିଳିତ ବିରୋଧୀଙ୍କ ପକ୍ଷେ ସମ୍ଭବ । ୨୦୧୯ ପୂର୍ବରୁ ୨୦୧୮ରେ ହୋଇଥିବା ୫ ରାଜ୍ୟ ନିର୍ବାଚନରେ ୩ଟି ବିଜୟୀ ହୋଇଥିଲା କଂଗ୍ରେସ । ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ କଂଗ୍ରେସ ଜିତିଥିବା ବେଳେ ରାହୁଲଙ୍କ ନେତୃତ୍ବର ଦମ୍ ଥିବା ଧରିନେଲେ ଦଳର ନେତାଏ । ଯେଉଁଥି ପାଇଁ ରାହୁଲଙ୍କ ନେତୃତ୍ବରେ ହିଁ ୨୦୧୯ ନିର୍ବାଚନ ଲଢ଼ିଲା କଂଗ୍ରେସ । ହେଲେ ରେଜଲ୍ଟ ହେଲା ଓଲଟା । ବିଜେପି ଭାଷାରେ ପୁଣି ‘ପପୁ’ ବା ଗୁଡ୍ ଫର୍ ନଥିଂ ପ୍ରମାଣିତ ହେଲେ ରାହୁଲ ଗାନ୍ଧି ।
ଭାରତ ଯୋଡ଼ ଯାତ୍ରା, ରାହୁଲଙ୍କୁ ‘ପପୁ’ରୁ ପଣ୍ଡିତ କରିଥିବା ମନେ ହୁଏ । ଭାରତ ଯୋଡ଼ ଯାତ୍ରାରେ ଗହଳି, କଂଗ୍ରେସକୁ ଉତ୍ସାହିତ କରିଥିବା ବେଳେ ବିଜେପିକୁ କରିଛି ଅନେକ ମାତ୍ରାରେ ଭୟଭୀତ । କିନ୍ତୁ ତାର ମାନେ ନୁହେଁ, ରାହୁଲଙ୍କ ସହ ଥିବା ଗହଳି, ୨୦୨୪ରେ ଭୋଟରେ ପରିଣତ ହେବ ବୋଲି । ଏ ଦୃଷ୍ଟିରୁ ଦେଖିବାକୁ ଗଲେ, ୨୦୨୪ ପାଇଁ କଂଗ୍ରେସକୁ କାଲକୁଲେଟେଡ୍ ମିଜର୍ରେ ଚାଲିବାକୁ ହେବ । ବଳିଷ୍ଠ ବିଜେପି ବିରୋଧରେ ଲଢ଼ିବାକୁ ହେଲେ କେବଳ ମୋଦିଙ୍କୁ ଟାର୍ଗେଟ୍ କଲେ ହେବନି, ବରଂ ମୁଦ୍ଦା ଖୋଜିବାକୁ ପଡ଼ିବ । ଆଦାନୀ ପ୍ରସଙ୍ଗରେ କଂଗ୍ରେସ ଫ୍ରଣ୍ଟକୁ ଚାଲି ଆସିଥିବା ବେଳେ ବ୍ୟାକ୍ ଫୁଟକୁ ଚାଲି ଯାଇଥିଲା ବିଜେପି । କିନ୍ତୁ ବ୍ରିଟେନ୍ ମନ୍ତବ୍ୟ ବିଜେପିକୁ, କଂଗ୍ରେସ ବିରୋଧରେ ଫ୍ରଣ୍ଟଫୁଟ୍କୁ ଆଣିଦେଲା ।
ପଶ୍ଚିମବଙ୍ଗରେ ହାଟ୍ରିକ ବିଜୟ ପରେ ମୋଦିଙ୍କ ବିରୋଧରେ ଦିଲ୍ଲୀରେ ‘ଖେଲା ହୋବେ’ ନାରା ଦେଇଥିଲେ ମମତା ବାନାର୍ଜୀ । ସେହିଭଳି ଜେଡିୟୁର ନୀତୀଶ କୁମାର, ସମାଜବାଦୀ ପାର୍ଟିର ଅଖିଳେଶ ସିଂହ ଯାଦବ, ଆରଜେଡିର ତେଜସ୍ବୀ ଯାଦବ, ଆମ୍ ଆଦମୀ ପାର୍ଟିର ଅରବିନ୍ଦ କେଜ୍ରିୱାଲ, ଭାରତ ରାଷ୍ଟ୍ର ସମିତିର କେ. ଚନ୍ଦ୍ରଶେଖର ରାଓ, ନାସନାଲ୍ କନଫରେନ୍ସର ଓମାର୍ ଏବଂ ଫାରୁକ୍ ଅବଦ୍ଦୁଲ୍ଲା ଆଦି ଆଞ୍ଚଳିକ ଦଳର ନେତାଏ ମୋଦିଙ୍କ ବିଜେପି ବିରୋଧରେ ହୁଙ୍କାର ଦେଉଛନ୍ତି । ତେବେ ଏମାନଙ୍କ ମଧ୍ୟରୁ ଏବେ ବି କିଛି ଦଳ, କଂଗ୍ରେସକୁ ଅସ୍ପୃଶ୍ୟ କରି ରଖିଛନ୍ତି । ବିଶେଷକରି ନିକଟରେ କୋଲକାତାରେ ଅଖିଳେଶ-ମମତା ଭେଟଘାଟର ନିଷ୍କର୍ଷ ଏବଂ ଦିଲ୍ଲୀରେ ବିଆରଏସ୍ ନେତ୍ରୀ କେ. କବିତାଙ୍କ ବୟାନ ଏହା ସ୍ପଷ୍ଟ କରି ଦେଇଛି ।
ମାର୍ଚ୍ଚ ପହିଲା ଷ୍ଟାଲିନଙ୍କ ଜନ୍ମଦିନ ଅବସରରେ ଚେନ୍ନାଇରେ ଗୋଟେ କଥା ସ୍ପଷ୍ଟ କରି ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ । ବିଜେପି ବିରୋଧୀ ମେଣ୍ଟର କଂଗ୍ରେସ ନେତୃତ୍ବ ନେବାକୁ ଚାହୁଁନି କିମ୍ବା ପ୍ରଧାନମନ୍ତ୍ରୀ ପଦ ପାଇଁ ଦଳ ଆଶାୟୀ ନୁହେଁ ବୋଲି ସ୍ପଷ୍ଟ କରି ଦେଇଛନ୍ତି ସେ । ସେହିଭଳି ରାୟପୁର ସମ୍ମିଳନୀରେ ବିଜେପିକୁ ହଟାଇବାକୁ ହେଲେ ‘ବିରୋଧୀଙ୍କ ଏକତା ନିହାତି ଜରୁରୀ’ ବୋଲି କହିଥିଲେ ପ୍ରିୟଙ୍କା ଗାନ୍ଧି । ସେପଟେ ଲଣ୍ଡନରେ ମଧ୍ୟ ଅନୁରୂପ ମନ୍ତବ୍ୟ ଦେଇଥିଲେ ରାହୁଲ ଗାନ୍ଧି । ‘ଭାରତର ବିରୋଧୀ ରାଜନୈତିକ ଦଳଙ୍କ ମଧ୍ୟରେ ଅନେକ କିଛି କୋ-ଅର୍ଡିନେସନ୍ ଚାଲିଛି ଏବଂ ଅନେକ କିଛି ଡେଭଲପମେଣ୍ଟ ମଧ୍ୟ ହେଉଛି’ ବୋଲି କହିଥିଲେ ସେ ।
କଂଗ୍ରେସ ଭୋଟ ଶେୟାର କିଛି ଖରାପ ନାହିଁ । ମଧ୍ଯପ୍ରଦେଶ, ଛତିଶଗଡ଼, ହିମାଚଳ ପ୍ରଦେଶ, ରାଜସ୍ଥାନ, ଉତ୍ତରାଖଣ୍ଡ, କର୍ଣ୍ଣାଟକ, ମହାରାଷ୍ଟ୍ର, ଗୁଜରାଟ, ତେଲଙ୍ଗାନା ଆଦି ରାଜ୍ୟରେ କଂଗ୍ରେସର ଏବେ ବି ରହିଛି ଭଲ ଦବଦବା । ଏସବୁ ରାଜ୍ୟ ମଧ୍ୟରୁ ଅଧିକାଂଶରେ ବିଜେପିକୁ ଟକ୍କର ଦେଉଛି ଦଳ । ପୁଣି ବିଜେପି ବିରୋଧୀ ମେଣ୍ଟ ପ୍ରସଙ୍ଗରେ ଦଳୀୟ ନେତାଏ ଗୋଟେ ପରେ ଗୋଟେ କ୍ଲାରିଫିକେସନ୍ ମଧ୍ୟ ଦେଇ ଚାଲିଛନ୍ତି । ତଥାପି କିଛି ଦଳ, ବିନା କଂଗ୍ରେସରେ ବିଜେପି ବିରୋଧରେ ମେଣ୍ଟ କରିବାକୁ କରୁଛନ୍ତି ଯୋଜନା । ଏଠି କଣ ହୋଇପାରେ କାରଣ- ପ୍ରଥମତଃ ଅଧିକାଂଶ ଆଞ୍ଚଳିକ ଦଳ କଂଗ୍ରେସ ଭୋଟରେ ବଳିୟାନ ହୋଇଥିବା ବେଳେ ସେମାନଙ୍କର କଂଗ୍ରେସ ପ୍ରତି ଭୟ ରହୁଛି । ପୁଣି ସେପଟେ କିଛି ନେତାଙ୍କର ରହୁଛି ପ୍ରଧାନମନ୍ତ୍ରୀ ଚୌକି ଉପରେ ଲୋଭ ।
ହିନ୍ଦୁତ୍ବ, ଜାତୀୟତାବାଦ ଏବଂ ବିଭିନ୍ନ ଜନମଙ୍ଗଳକାରୀ ଯୋଜନାର ପିଲର୍ ଉପରେ ବିଜେପି ଛିଡ଼ା ହୋଇଛି । ଏସବୁ ପିଲର୍ର ଛାଇଁ ଛୁଇଁବା ଆଞ୍ଚଳିକ ଦଳଙ୍କ ପାଇଁ ଅସମ୍ଭବ ହୋଇଥିବା ବେଳେ ସେମାନେ ପୁଣି ଭାବୁଛନ୍ତି, ବିନା କଂଗ୍ରେସରେ ମୋଦି-ଶାହଙ୍କ ବିଜେପିକୁ ଦେବେ ଟକ୍କର । ତେଣୁ ଏ କ୍ଷେତ୍ରରେ କଂଗ୍ରେସକୁ ହିଁ ବିଜେପି ବିରୋଧୀ ମେଣ୍ଟ ପାଇଁ ଇନିସିଏଟିଭ୍ ନେବାକୁ ପଡ଼ିବ । ଅହଙ୍କାର ଛାଡ଼ି ଡାଉନ୍ ଟୁ ୟାର୍ଥ ହେବାକୁ ପଡ଼ିବ । ମୋଦିଙ୍କ ବିରୋଧରେ ନୁହେଁ ମୋଦିଙ୍କ ନେତୃତ୍ବାଧୀନ ଏନଡିଏ ସରକାର ବିରୋଧରେ ମୁଦ୍ଦା ଖୋଜି ଲୋକଙ୍କ ପାଖକୁ ଯିବାକୁ ହେବ । ୨୦୧୮ର ୩ ରାଜ୍ୟ ବିଜୟକୁ ୨୦୧୯ରେ କନଫିଡେଣ୍ଟ ଏନଫ୍ ହେଲାଭଳି ଭାରତ ଯୋଡ଼ ଯାତ୍ରାର ଗହଳିକୁ ଦେଖି ୨୦୨୪କୁ ହାଲକା ଭାବେ ନେଲେ ହେବନି । ସେପଟେ ଆଞ୍ଚଳିକ ଦଳଙ୍କୁ ମଧ୍ୟ ୧୯୭୭ର ନୀତି ଆପଣାଇବାକୁ ପଡ଼ିବ । ନଚେତ୍, ବିରୋଧୀଙ୍କ ହାଉ ହାଉ ଭିତରେ ଆହୁରି ଜୋର୍ରେ ବହିବ ମୋଦି-ଶାହଙ୍କ ବିଜେପି ହାୱା ।
ରିପୋର୍ଟ- ବରେନ୍ଦ୍ର କୃଷ୍ଣ ସାହୁ
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।