News 18 Odia Digital
ଭୁବନେଶ୍ୱର: ନୀତା ମୁକେଶ ଅମ୍ବାନି କଲ୍ଚରାଲ୍ ସେଣ୍ଟର (cultural center) ଖୋଲିବା ଲାଗି ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇରହିଛି । ମାର୍ଚ୍ଚ ୩୧ ତାରିଖ ଶୁକ୍ରବାର ଦିନ ଦର୍ଶକମାନଙ୍କ ଲାଗି ଏହି ସେଣ୍ଟରକୁ ଉଦ୍ଘାଟନ କରାଯିବ । ଏଥିପାଇଁ ଦିନ ସାରା ବିଭିନ୍ନ ସୋ’ ଆୟୋଜିତ ହେବ । ସେଥିରେ ଦେଶବିଦେଶର କଳାକାର, ବଲିଉଡ୍ (bollywood) ଓ ହଲିଉଡ୍ ତାରକାମାନଙ୍କ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ସେଣ୍ଟର ଶୁଭାରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ରାମ ନବମୀ ଅବସରରେ ନୀତା ଅମ୍ବାନି କଲଚାଲ ସେଣ୍ଟରରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି ।
କଲ୍ଚରାଲ୍ ସେଣ୍ଟର ଉଦ୍ଘାଟନୀ ଅବସରରେ “ସ୍ୱଦେଶ’ ନାମକ ଏକ ସ୍ୱତନ୍ତ୍ର କଳା ଓ ଶିଳ୍ପ ପ୍ରଦର୍ଶନୀ ଆୟୋଜନ କରାଯିବ । “ଦି ଗ୍ରେଟ୍ ଇଣ୍ଡିଆନ୍ ମ୍ୟୁଜିକାଲ୍: ସିଭିଲାଇଜେସନ ଟୁ ନେସନ୍’ ନାମକ ଏକ ସଙ୍ଗୀତମୟ ନାଟକ ପ୍ରଦର୍ଶିତ ହେବ । ଭାରତୀୟ ପୋଷାକ ପରିଚ୍ଛଦକୁ ବର୍ଣ୍ଣନା କରୁଥିବା “ଇଣ୍ଡିଆ ଇନ୍ ଫେସନ୍’ ନାମକ ଏକ ପୋଷାକ କଳା ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହେବ । ଭାରତୀୟ ସାଂସ୍କୃତିକ ପରମ୍ପରାର ସାରା ଦୁନିଆ ଉପରେ ପ୍ରଭାବକୁ ପ୍ରଦର୍ଶିତ କରିବା ଲାଗି “ସଙ୍ଗମ’ ନାମରେ ଏକ ଭିଜୁଆଲ ଆର୍ଟ ସୋ’ ଅନୁଷ୍ଠିତ ହେବ ।
ନୀତା ମୁକେଶ ଅମ୍ପାନି କଲଚରାଲ୍ ସେଣ୍ଟର ହେଉଛି ଦେଶରେ ଏଭଳି ଧରଣର ପ୍ରଥମ ସାଂସ୍କୃତିକ କେନ୍ଦ୍ର । ଭାରତୀୟ ଓ ଆନ୍ତର୍ଜାତିକ କଳାକାରମାନଙ୍କ ପ୍ରଦର୍ଶନୀ ପାଇଁ ଏଥିରେ ୧୬ ହଜାର ବର୍ଗଫୁଟରେ ବ୍ୟାପ୍ତ ଏକ ଚାରି ମହଲା ଆର୍ଟ ହାଉସ୍ ରହିଛି । ୮୭୦୦ ସ୍ୱାରୋକ୍ସି କ୍ରିଷ୍ଟାଲ୍ରେ ସଜ୍ଜିତ ପଦ୍ମ ଆକୃତିର ଏକ ଝୁମର ମଧ୍ୟ ରହିଛି । ଦୁଇ ହଜାର ସିଟ୍ ବିଶିଷ୍ଟ ଏକ ବିଶାଳ ଥିଏଟର ମଧ୍ୟ ଏଥିରେ ରହିଛି । ଏଥିରେ ଦେଶର ସବୁଠୁ ବଡ଼ ଅର୍କେଷ୍ଟ୍ରା ପିଟ୍କୁ ପ୍ରସ୍ତୁତ କରାଯାଇଛି । ଛୋଟ ପ୍ରଦର୍ଶନୀ ଓ କାର୍ଯ୍ୟକ୍ରମ ଲାଗି ଷ୍ଟୁଡିଓ ଥିଏଟର ଓ ଦି କ୍ୟୁବ୍ ଭଳି ସୁନ୍ଦର ଥିଏଟର ରହିଛି । ଏହି ସବୁ ବ୍ୟବସ୍ଥାରେ ଅତ୍ୟାଧୁନିକ ପ୍ରଯୁକ୍ତି ବ୍ୟବହାର କରାଯାଇଛି ।
ଏହି ଅବସରରେ ନୀତା ଅମ୍ବାନି କହିଛନ୍ତି ଯେ, “କଲଚାଲ ସେଣ୍ଟର ସ୍ୱପ୍ନକୁ ସାକାର କରିବା ମୋ ପାଇଁ ଏକ ପବିତ୍ର ଯାତ୍ରା ଭଳି ଥିଲା । ଆମେ ଏଭଳି ଏକ ସ୍ଥାନ ପ୍ରସ୍ତୁତ କରିବାକୁ ଚାହୁଥିଲି ଯେଉଁଥିରେ ଆମ ସାଂସ୍କୃତିକ ପରମ୍ପରା ଆହୁରି ସମୃଦ୍ଧ ହେବ । ସିନେମା ହେଉ ଅଥବା ସଙ୍ଗୀତ, ନୃତ୍ୟ ହେଉ ଅଥବା ନାଟକ, ସାହିତ୍ୟ ହେଉ ଅଥବା ଲୋକକଥା, କଳା ହେଉ ଅଥବା ଶିଳ୍ପ, ବିଜ୍ଞାନ ହେଉ ଅଥବା ଆଧାତ୍ମ୍ୟ । କଲଚରାଲ ସେଂଟରରେ ଦେଶ ଓ ଦୁନିଆର ଉତ୍କୃଷ୍ଟ କଳା ପ୍ରଦର୍ଶନୀ ଆୟୋଜନ କରିବା ସମ୍ଭବ ହେବ । ଦୁନିଆର ସର୍ବଶ୍ରେଷ୍ଠ କଳା ଓ କଳାକାରମାନଙ୍କୁ ଭାରତକୁ ସ୍ୱାଗତ କରାଯିବ ।’’
ନୀତା ମୁକେଶ ଅମ୍ବାନି କଲଚରାଲ୍ ସେଣ୍ଟରରେ ଶିଶୁ, ଛାତ୍ରଛାତ୍ରୀ, ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗମାନଙ୍କୁ ମାଗଣାରେ ପ୍ରବେଶ ଅନୁମତି ପ୍ରଦାନ କରାଯିବ । ସ୍କୁଲ କଲେଜର ଆଉଟ୍ରିଚ୍ ପ୍ରୋଗ୍ରାମ, କଳା ଶିକ୍ଷକମାନଙ୍କ ପୁରସ୍କାର କାର୍ଯ୍ୟକ୍ରମ, ଗୁରୁ ଶିଷ୍ୟ ପରମ୍ପରା କାର୍ଯ୍ୟକ୍ରମ ଭଳି ସବୁ ପ୍ରକାର କାର୍ଯ୍ୟକ୍ରମ ସେଂଣ୍ଟରରେ ଆୟୋଜନ କରିବା ଉପରେ ଧ୍ୟାନ ଦିଆଯିବ ।

ଏହି ଖବର ପଢ଼ନ୍ତୁ-
Rising india: 'ଟଙ୍କା ନୁହେଁ ଦର୍ଶକଙ୍କ ଖୁସି ପାଇଁ ଗାଇଥିଲି' ମଞ୍ଚରେ କହିଲେ ଶିଳ୍ପା ରାଓhttps://www.youtube.com/watch?v=DR2ZxALtRA8
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।