ସରକାରଙ୍କ ସହ ବୈଠକ ପରେ କୃଷକମାନେ କହିଲେ - ଆନ୍ଦୋଳନ ଜାରି ରହିବ; ୩ ଡିସେମ୍ବରରେ ପୁଣି ଆଲୋଚନା ହେବ
Farmer Protest: କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି, "ଆନ୍ଦୋଳନ ବନ୍ଦ କରିବାକୁ ଆମେ କୃଷକମାନଙ୍କୁ ନିବେଦନ କରିଛୁ ଓ ଆଲୋଚନା ପାଇଁ ଆସିବାକୁ କହିଛୁ । ତେବେ ଏହି ନିଷ୍ପତ୍ତି ସଂଗଠନ ଓ କୃଷକଙ୍କ ଉପରେ ନିର୍ଭର କରେ ।"

କୃଷକମାନେ କହିଲେ ସେମାନଙ୍କ ଆନ୍ଦୋଳନ ଜାରି ରହିବ
- News18 Odia
- Last Updated: December 1, 2020, 8:01 PM IST
ନୂଆ ଦିଲ୍ଲୀ: କେନ୍ଦ୍ରର ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା କୃଷକମାନେ ମଙ୍ଗଳବାର ଦିନ ସରକାରଙ୍କ ସହ ଏକ ବୈଠକ କରିଥିଲେ । ଏହି ବୈଠକ ପରେ ଉଭୟ ପକ୍ଷ ସୂଚନା ଦେଇଛନ୍ତି ଯେ ବୈଠକ ସକରାତ୍ମକ ଓ ଏହି ବୈଠକ ପୁନର୍ବାର ୩ ଡିସେମ୍ବରରେ ଅନୁଷ୍ଠିତ ହେବ । ବୈଠକ ପରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି, "ବୈଠକ ଭଲ ଥିଲା ଓ ୩ ଡିସେମ୍ବରରେ ପୁନର୍ବାର ଆଲୋଚନା ହେବ ବୋଲି ଆମେ ନିଷ୍ପତ୍ତି ନେଇଛୁ । ଆମେ ଚାହୁଁ ଯେ କୃଷକମାନେ ଏକ ଛୋଟ ଗୋଷ୍ଠୀ ଗଠନ କରନ୍ତୁ କିନ୍ତୁ କୃଷକ ନେତାମାନେ ବିଶ୍ୱାସ କରନ୍ତି ଯେ ସମସ୍ତଙ୍କ ସହ କଥାବାର୍ତ୍ତା ହେବା ଉଚିତ୍ । ଏଥିରେ ଆମର କୌଣସି ଅସୁବିଧା ନାହିଁ ।" ତୋମାର ଆହୁରି କହିଛନ୍ତି, "ଆନ୍ଦୋଳନ ବନ୍ଦ କରିବାକୁ ଆମେ କୃଷକମାନଙ୍କୁ ନିବେଦନ କରିଛୁ ଓ ଆଲୋଚନା ପାଇଁ ଆସିବାକୁ କହିଛୁ । ତେବେ ଏହି ନିଷ୍ପତ୍ତି ସଂଗଠନ ଓ କୃଷକଙ୍କ ଉପରେ ନିର୍ଭର କରେ ।"
ସରକାର ଓ କୃଷକ ନେତାଙ୍କ ବୈଠକ ପରେ କୃଷକ ନେତା ରୁଲଡୁ ସିଂ ମାନସା କହିଛନ୍ତି, "ଆମେ ଏକ ବଡ଼ କମିଟି ଦାବି କରୁଛୁ, କିନ୍ତୁ ସରକାର ଏକ ଛୋଟ କମିଟି ଗଠନ କରିବାକୁ ଚେଷ୍ଟା କରୁଛନ୍ତି । ତେଣୁ ଆଜିର ବୈଠକରେ କୌଣସି ନିଷ୍ପତ୍ତି ନିଆଯାଇ ପାରିଲା ନାହିଁ । ବର୍ତ୍ତମାନ ଦ୍ୱିତୀୟ ଥର ପାଇଁ ୩ ତାରିଖରେ ବୈଠକ ଅନୁଷ୍ଠିତ ହେବ।"
ଅଲ ଇଣ୍ଡିଆ କିସାନ ଫେଡେରେଶନର ସଭାପତି ପ୍ରେମ ସିଂ ଭଙ୍ଗୋ କୃଷି ମନ୍ତ୍ରୀଙ୍କ ସହ ସାକ୍ଷାତ ପରେ କହିଛନ୍ତି, "ଆଜିର ବୈଠକ ଭଲ ଥିଲା ଓ କିଛି ଅଗ୍ରଗତି ମଧ୍ୟ ହୋଇଛି । ୩ ଡିସେମ୍ବରରେ ସରକାରଙ୍କ ସହ ଆମର ପରବର୍ତ୍ତୀ ବୈଠକରେ ଆମେ ସେମାନଙ୍କୁ ଚାପ ପକାଇବୁ ଯେ କୃଷି ଆଇନରେ କୃଷକଙ୍କ ସ୍ୱାର୍ଥ ପାଇଁ କୌଣସି ଆଇନ ନାହିଁ । ଆମର ଆନ୍ଦୋଳନ ଜାରି ରହିବ ।"