News18 Odia Digital
ଶ୍ରୀନଗର: କାଶ୍ମୀର ପଣ୍ଡିତଙ୍କ ହତ୍ୟା ହେବାର କିଛି ଦିନ ପରେ ପୁଣି ଜମ୍ମୁ ଉପତ୍ୟକାରୁ ପୁଣି ଟାର୍ଗେଟ କିଲିଂ ଘଟଣା ସାମ୍ନାକୁ ଆସିଛି। ଆତଙ୍କବାଦୀମାନେ ଜାମ୍ମୁ କାଶ୍ମୀରର ସୋପିଆନରେ ଦୁଇ ଜଣ ଶ୍ରମିକଙ୍କ ଉପରେ ଗ୍ରେନେଡ୍ ଆକ୍ରମଣ କରିଛନ୍ତି। ଫଳରେ ଦୁହିଁଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ହୋଇଥିବା ଦୁଇ ଜଣ ଉତ୍ତରପ୍ରଦେଶର କନୌଜ ବାସିନ୍ଦା ମନୀଷ କୁମାର ଓ ରାମସାଗର ବୋଲି ଜଣାପଡିଛି। ଏହି ଘଟଣା ପରେ ପୋଲିସ ସମଗ୍ର ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛି।
ଆତଙ୍କବାଦୀମାନେ ସୋପିଆନ୍ର ହରମନ ଅଞ୍ଚଳରେ ଉଭୟ ଶ୍ରମିକଙ୍କ ଉପରେ ଗ୍ରେନେଡ ଫିଙ୍ଗିଥିଲେ ଯେଉଁଥିରେ ଉଭୟ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକମାନେ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ଯେଉଁଠାରେ ଡାକ୍ତରମାନେ ସେମାନଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଏନେଇ ଏଡିଜିପି କାଶ୍ମୀର ଜୋନ୍ ବିଜୟ କୁମାର କହିଛନ୍ତି ଯେ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତାଇବାର ହାଇବ୍ରିଡ ଆତଙ୍କବାଦୀ ଇମ୍ରାନ ବଶୀର ଘନି ଏହି ଶ୍ରମିକମାନଙ୍କ ଉପରେ ଗ୍ରେନେଡ ଫିଙ୍ଗିଥିଲେ। ଆତଙ୍କବାଦୀଙ୍କୁ ଶୋପିଆନ୍ ପୋଲିସ ଗିରଫ କରିଛି ଓ ଅଧିକ ତଦନ୍ତ ଓ ଚଢ଼ାଉ ଜାରି ରହିଛି।
୧୫ ଅକ୍ଟୋବରରେ ଆତଙ୍କବାଦୀମାନେ କାଶ୍ମୀର ପଣ୍ଡିତଙ୍କୁ ଟାର୍ଗେଟ କରିଥିଲେ। ସୋପିଆନରେ ଆତଙ୍କବାଦୀମାନେ କାଶ୍ମୀରୀ ପଣ୍ଡିତ କୃଷ୍ଣ ଭଟ୍ଟଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହି ଘଟଣା ପରେ ଆତଙ୍କବାଦୀମାନେ ଘଟଣାସ୍ଥଳରୁ ପଳାଇଥିଲେ। ଜାମ୍ମୁ କାଶ୍ମୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କ ସମେତ ରାଜନୈତିକ ଦଳ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।